ଉଛେଦ ପାଇଁ ଦାବି କରି ଉପ ଜିଲ୍ଲାପାଳଙ୍କୁ ଭେଟିଲେ ନୃସିଂହନାଥ ମନ୍ଦିର କର୍ମଚାରୀ ଓ ବ୍ୟବସାୟୀ
ବୁଧବାର ସୁଦ୍ଧା ଉଛେଦ ନହେଲେ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ କରିବେ ଆନ୍ଦୋଳନ
ବରଗଡ :- ବରଗଡ଼ ଜିଲ୍ଲା ତଥା ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପ୍ରସିଦ୍ଧ ତୀର୍ଥ କ୍ଷେତ୍ରରେ ବର୍ଷ ସାରା ପର୍ଯଟକ ତଥା ତୀର୍ଥ ଯାତ୍ରୀଙ୍କର ସମାଗମ ଲାଗିରହିଥାଏ ।
ବିଗତ କିଛି ବର୍ଷ ହେଲା ମନ୍ଦିର ପୂର୍ବରୁ ଗେଟ ନିକଟରେ ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି ପ୍ରାୟ 2 ଏକରରୁ ଅଧିକ ସରକାରୀ ଜମିକୁ ଜୋର ଜବରଦସ୍ତ ଭାବରେ ଅକ୍ତିଆର କରି ସେହି ଜମିରେ ଏକ ବେଆଇନ ଯାତ୍ରୀ ନିବାସ କରି ଲୋକଙ୍କର ପାଖରୁ ମୋଟା ଅଙ୍କରେ ଟଙ୍କା ଆଦାୟ କରୁଛନ୍ତି । ଏହା ସହିତ ପାଖରେ ଥିବା ସଂସ୍କୃତ ବିଦ୍ୟାନିକେତନର ସବୁବେଳେ ଦୁର୍ବ୍ୟବହାର କରିବା ସହିତ ଛୁଆ ମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି କରୁଥିବାର ବହୁ ଅଭିଯୋଗ ଭାସ୍କରଙ୍କ ନାମରେ ରହିଛି । ମନ୍ଦିର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିରୋଧ ରେ ବାରମ୍ବାର ମିଥ୍ୟା ଅଭିଯୋଗ କରିବା ସହିତ ଅନେକ ତୀର୍ଥ ଯାତ୍ରୀମାନଙ୍କୁ ବହୁଥର ଦୁର୍ବ୍ୟବହାର କରିଥିବାର ଅଭିଯୋଗ ମଧ୍ୟ ରହିଛି । ଏଣୁ ଗତ 19 ତାରିଖ ଦିନ ନୃସିଂହନାଥ ମନ୍ଦିର କର୍ମଚାରୀ ଓ ସ୍ଥାନୀୟ ବ୍ୟବସାୟୀମାନେ ମିଳିତ ଭାବରେ ଭାସ୍କରଙ୍କ ବିରୋଧରେ ପାଇକମାଲ ଥାନାରେ ଏକ ଅଭିଯୋଗ କରିଥିଲେ । ଆଜି ମନ୍ଦିର କର୍ମଚାରୀ ଓ ବ୍ୟବସାୟୀ ମାନେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆସନ୍ତା ବୁଧବାର ସାନ୍ଧ୍ୟ ସୁଦ୍ଧା ଭାସ୍କରଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାନଗଲେ ଗୁରୁବାର ଦିନ ସମସ୍ତେ ମିଶି ପାଇକମାଲ ତହସିଲଦାରଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜଣାଇଛନ୍ତି ।