ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୧/୩/୨୬: ଦୀର୍ଘ ବର୍ଷର ସାଧନାରେ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରୁଥିବା ବିଶିଷ୍ଟ କବି ଚକ୍ରପାଣି ପରିଚ୍ଛା ପାଇବେ 'କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ' । ଆସନ୍ତା ମାର୍ଚ୍ଚ ୨୧ ତାରିଖ ଦିନ ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୫୨ତମ କବି ବଳରାମ ପୂଜାରୀ ଜୟନ୍ତୀ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି। ସମ୍ମାନ ସ୍ବରୂପ ମାନପତ୍ର, ଉପଢୌକନ ଓ ଅର୍ଥରାଶି ପ୍ରଦାନ କରାଯିବ। ସମକାଳୀନ ସାହିତ୍ୟ ଜଗତରେ କବିତା ଲେଖିବାର କଳା ଓ କୌଶଳକୁ ପାଥେୟ କରି ସାରସ୍ୱତ ସର୍ଜନା କ୍ଷେତ୍ରରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଚକ୍ରପାଣି ପରିଚ୍ଛାଙ୍କ କାବ୍ୟଶୈଳୀ ବେଶ୍ ଋଦ୍ଧିମନ୍ତ । ତାଙ୍କ ରଚିତ ଅନେକ ପୁସ୍ତକ ଓଡ଼ିଆ ସାରସ୍ୱତ ଜଗତକୁ ପରିସ୍ଫୁଟ କରିଛି । ସେ ଆଧୁନିକ କବିତାର ଏକ ସ୍ବତନ୍ତ୍ର ପରିଚୟ । ତାଙ୍କ ଶବ୍ଦ ବିନ୍ୟାସର ଉଷୁମ ନିଃଶ୍ୱାସରେ କବିତାର ଖାଲିପଣକୁ ଜାକି ହୋଇଯାଇଥିବା ସ୍ୱପ୍ନ ଗୁଡ଼ିକ ଚେଇଁ ଉଠନ୍ତି । ଜୀବନ ଯାତନାର ଅନେକ ଏକ୍ଲାପଣର ଅନୁଭବକୁ ଶବ୍ଦକାନ୍ତିରେ ଭରିଦେବା ହେଉଛି ତାଙ୍କର ଅନନ୍ୟ ପ୍ରତିଭା । ନକାରାତ୍ମକ ଭାବାବେଗକୁ ସମ୍ମୋହନର ଅତ୍ୟୁଚ୍ଚ ଶିଖରରେ ପହଞ୍ଚାଇବାରେ ସେ ସିଦ୍ଧହସ୍ତ । ବେତାର ନାଟକ, ରହସ୍ୟ ଉପନ୍ୟାସ ଏବଂ କବିତା ଲେଖିବା ନିଶାରେ ସେ ମସଗୁଲ। ଉଭୟ ସଂକ୍ଷିପ୍ତ ଏବଂ ଦୀର୍ଘ କବିତା ଲେଖିବାରେ ସେ ପରିପକ୍ଵ । ଏକ ସ୍ବତନ୍ତ୍ର ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଆୟୋଜକ କମିଟିର ଆବାହିକା ପୁଷ୍ପାଞ୍ଜଳି ରଣା, ସଂଯୋଜକ ସବ୍ୟସାଚୀ ବିଷୋୟୀ, ନିରଞ୍ଜନ ପାଣିଗ୍ରାହୀ ଓ ରୂପେଶ ସାହୁ କବି ଚକ୍ରପାଣି ପରିଚ୍ଛାଙ୍କ ନାମ ଘୋଷଣା କରିଛନ୍ତି। ନାମ ଘୋଷଣା ପରେ କବିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ରାଜ୍ୟ
ବିଶିଷ୍ଟ ସାହିତ୍ୟିକ ଚକ୍ରପାଣି ପରିଚ୍ଛା ପାଇବେ 'କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ'
- Hits: 5








