ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ପକ୍ଷରୁ ନିକଟରେ ଭାରତର ଫ୍ଲାଗସିପ ଇକ୍ୱିଟି ବେଂଚମାର୍କ ଏବଂ ବିଶ୍ୱର ଅନ୍ୟତମ ସର୍ବାଧିକ ଟ୍ରାକ ହୋଇଥିବା ସୂଚକାଙ୍କ ନିଫ୍ଟି ୫୦ ଇଣ୍ଡେକ୍ସର ୩୦ ବର୍ଷ ପୂର୍ତି ଅବସରକୁ ପାଳନ କରାଯାଇଛି । ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମୁମ୍ବାଇସ୍ଥିତ ଏନଏସଇର ଏକ୍ସଚେଞ୍ଜ ପ୍ଲାଜାରେ ଆୟୋଜିତ ହୋଇଥିଲା ଯାହା ମାର୍କେଟ ଲିଡର, ନିଫ୍ଟି ୫୦ କମ୍ପାନୀଗୁଡିକର ପ୍ରତିନିଧି, ନିୟାମକ ଓ ଭାରତର ପୁଞ୍ଜି ବଜାର ଇକୋସିଷ୍ଟମର ଅଂଶଗ୍ରହଣକାରୀଙ୍କୁ ଏକତ୍ରିକ କରିଥିଲା । ସାଧାରଣ ଭାଷାରେ ‘ସ୍କୋରବୋର୍ଡ ଅଫ୍ ଇଣ୍ଡିଆନ ଷ୍ଟକ୍ ମାର୍କେଟ’ କୁହାଯାଉଥିବା ନିଫ୍ଟି ୫୦, ଏନଏସଇରେ ତାଲିକାଭୁକ୍ତ ୫୦ଟି ସର୍ବବୃହତ ଓ ସର୍ବାଧିକ ସକ୍ରିୟ ଟ୍ରେଡେଡ କମ୍ପାନୀର ପ୍ରଦର୍ଶନକୁ ଟ୍ରାକ କରିଥାଏ । ଏହି କାର୍ଯ୍ୟକ୍ରମରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ଅଧ୍ୟକ୍ଷ ଶ୍ରୀ ତୁହିନ କାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଏବଂ ଲେଖକ, ରଣନୈତିକ ଚିନ୍ତନକାରୀ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ୱାଧୀନ ନିର୍ଦ୍ଦେଶକ ଶ୍ରୀ ଏସ. ଗୁରୁମୂର୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେମାନଙ୍କ ସହ ଏନଏସଇ ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ଇଞ୍ଜେଟି ଓ ଏନଏସଇର ଏମ୍ଡି ଓ ସିଇଓ ଶ୍ରୀ ଆଶିଷ କୁମାର ଚୌହାନ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ସେବି ଅଧ୍ୟକ୍ଷ ଶ୍ରୀ ତୁହିନ କାନ୍ତ ପାଣ୍ଡେ କହିଛନ୍ତି, “ଆମେ ନିଫ୍ଟି ୫୦ର ୩ ଦଶନ୍ଧି ପାଳନ କରି କେବଳ ଏକ ସୂଚକାଙ୍କର ଇତିହାସକୁ ଚିହ୍ନିତ କରୁନାହୁଁ ବରଂ ଆମେ ଭାରତୀୟ ପୁଞ୍ଜି ବଜାର ଓ ସେଗୁଡିକୁ ସମର୍ଥନ କରୁଥିବା ଅନୁଷ୍ଠାନଗୁଡିକର ଏକ ବିସ୍ତୃତ ଯାତ୍ରାକୁ ସ୍ୱୀକୃତି ଦେଉଛୁ । ଏହି ଯାତ୍ରା ଏକ୍ସଚେଞ୍ଜ, ନିୟାମକ, ମଧ୍ୟସ୍ଥି, ବଜାର ପ୍ରତିଷ୍ଠାନ ଓ ଲକ୍ଷ ଲକ୍ଷ ନିବେଶକଙ୍କ ଭଳି ଅନେକ ହିତାଧିକାରୀଙ୍କ ସାମୂହିକ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି ।” ସେହିପରି ଆରବିଆଇର ସ୍ୱାଧୀନ ନିର୍ଦ୍ଦେଶକ ଶ୍ରୀ ଏସ ଗୁରୁମୂର୍ତି କହିଛନ୍ତି, “ସେବି, ଆରବିଆଇ ଓ ଅନ୍ୟ ନିୟାମକୀୟ ସଂସ୍ଥା ଭଳି ଅନୁଷ୍ଠାନଗୁଡିକ ନିବେଶକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିଛନ୍ତି । ଯାହାଫଳରେ ଭାରତ ଆଜି ଏକ ସ୍ୱତନ୍ତ୍ର ବଜାର ଭାବେ ଉଭା ହୋଇଛି ଯେଉଁଠାରେ ସ୍ୱଚ୍ଛତା, ଉତରଦାୟିତ୍ୱ ଓ ନିବେଶକଙ୍କ ସୁରକ୍ଷା ଆର୍ଥିକ ଇକୋସିଷ୍ଟମର କାର୍ଯ୍ୟକାରିତାର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି,ଯାହା ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ନିବେଶକଙ୍କ ସ୍ଥାୟୀ ଅଂଶଗ୍ରହଣକୁ ସକ୍ଷମ କରିଛି ।”
ଏହି କାର୍ଯ୍ୟକ୍ରମରେ ଏନଏସଇର ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ଇଞ୍ଜେଟି କହିଛନ୍ତି, “ଗତ ତିନି ଦଶନ୍ଧି ମଧ୍ୟରେ ନିଫ୍ଟି ୫୦ ଏକ ମାର୍କେଟ ବେଂଚମାର୍କରୁ ଭାରତର ଅର୍ଥନୈତିକ ବେଗର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ ହୋଇଛି । ୧୯୯୦ ମଧ୍ୟଭାଗରେ ଏକ ବୈଜ୍ଞାନିକ ସୂଚକାଙ୍କ ଭାବେ ଆରମ୍ଭ ହୋଇଥିବା ନିଫ୍ଟି ୫୦ ଆଜି ଉଦ୍ୟୋଗ, ସ୍ଥିରତା ଓ ନିବେଶକ ଆତ୍ମବିଶ୍ୱାସର ଏକ ବିଶ୍ୱସ୍ତ ବାରୋମିଟରରେ ପରିଣତ ହୋଇଛି । ” ଏନଏସଇ ଏମଡି ଓ ସିଇଓ ଶ୍ରୀ ଆଶିଷ କୁମାର ଚୌହାନ କହିଛନ୍ତି, “ଗତ ୩୦ ବର୍ଷରେ ନିଫ୍ଟି ୫୦ ଏକ ମାର୍କେଟ ବେଂଚମାର୍କରୁ ବହୁ ଆଗକୁ ବଢିଛି । ଏହା ଭାରତର କର୍ପୋରେଟ ସେକ୍ଟରର ଗତିଶୀଳତା ଓ ଦେଶର ପୁଞ୍ଜି ବଜାରଗୁଡିକର ଅଭିବୃଦ୍ଧିକୁ ପ୍ରତିଫଳନ କରୁଛି ।”








