ଶ୍ରମିକଙ୍କୁ ଧମକ ଚମକ, ଦାଦା ବଟି ଅସୁଲି ଅଭିଯୋଗରେ ଜଣେ ଗିରଫ
ନୂଆପଡ଼ା(ଅମିତ ପୁରୋହିତ) : ସ୍ଥାନୀୟ ରେଲୱେ ଷ୍ଟେସନରୁ ସଦର ପୁଲିସ ୬ ଜଣ ଦାଦନ ଶ୍ରମିକଙ୍କୁ ଚାଳାଣ ବେଳେ ଉଦ୍ଧାର କରିଛି । ଦାଦନ ଶ୍ରମିକ ମାନଙ୍କୁ ଧମକ ଚମକ ଓ ଦାଦା ବଟି ଅସୁଳି ଅଭିଯୋଗରେ ସଦର ପୁଲିସ ସ୍ଥାନୀୟ ତେଲିପଡାର ଅଜୟ ସାହୁ(୨୨)ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪ ଜଣଙ୍କୁ ପୁଲିସ ନୋଟିସ କରି ଛାଡି ଦେଇଥିବା ସଦର ଆଇଆଇସି ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି ।
ବରଗଡ଼ ଜିଲ୍ଲା ପାଇକମାଲ ଥାନା ଜାମସେଟ ଗାଁର ହରିଜନପଡାର ଲୋଚନା ସୁନା(୨୬), ସିଗା ଭୋଇ(୫୦), ସୋନୁରାମ ପାଣ୍ଡେ(୪୮), ମନ୍ଥନ ସୁନା(୬୦), ତେଜିଆ ସୁନା(୫୬), କୁନ୍ତଲା ବିଭାଗର(୨୭) ଦାଦନ ଖଟି ଯିବାକୁ ସ୍ଥିର କରିଥିଲେ । ବଲାଙ୍ଗୀର ଜିଲ୍ଲା ଲାଠୋର ଗାଁର ଦାଦନ ସଦ୍ଧାର ଲବ ସୁନାଙ୍କ ଠାରୁ ଜଣ ପିଛା ୩୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ଆଜି ସକାଳେ ଲାଠୋର ରେଲୱେ ଷ୍ଟେସନରେ ଟ୍ରେନ ଚଢି ରାୟପୁର ଅଭିମୁଖେ ଯାଉଥିଲେ । ରାୟପୁରରୁ ଟ୍ରେନ ଯୋଗେ ହାଇଦ୍ରାବାଦକୁ ଚାଳଣା କରିବାକୁ ଯୋଜନା କରିଥିଲେ । ଏହି ସମୟରେ ନୂଆପଡ଼ା ରେଲୱେ ଷ୍ଟେସନରେ ଓହ୍ଲାଇ ଅନ୍ୟ ଏକ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ଖବର ପାଇ ସଦର ଆଇଆଇସି ଶ୍ରୀ ମହାକୁଡଙ୍କ ତତ୍ୱାବଧାନରେ ଏକ ପୁଲିସ ଟିମ ରେଲୱେ ଷ୍ଟେସନରେ ପହଂଚି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏନେଇ ସଦର ପୁଲିସ ଶ୍ରମ ବିଭାଗକୁ ଖବର ଦେଇଥିଲେ । ଅପରାହ୍ନରେ ଥାନାରେ ଶ୍ରମ ବିଭାଗ ଓ ପୁଲିସ ଅଧିକ ତଦନ୍ତ କରି ଶ୍ରମିକ ମାନଙ୍କୁ ତାଙ୍କ ଗାଁକୁ ପଠାଇ ଦେଇଥିଲେ ।
ସ୍ଥାନୀୟ ରେଲୱେ ଷ୍ଟେସନ ଦାଦନ ଶ୍ରମିକ ମାନେ ଅଟକି ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ନୂଆପଡ଼ା ସହର ୫ ଜଣ ଯୁବକ ଷ୍ଟେସନରେ ପହଂଚି ଶ୍ରମିକ ମାନଙ୍କୁ ଟଙ୍କା ମାଗିଥିଲେ । ଶ୍ରମିକ ମାନେ ଟଙ୍କା ନ ଦେବାରୁ ଧମକ ଚମକ ଦେଇଥିବା ଜାମସେଟ ହରିଜନପଡାର ଲୋଚନା ସୁନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ସଦର ପୁଲିସ ଉକ୍ତ ୫ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା । ସନ୍ଧ୍ୟାରେ ଅଧିକ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ତେଲିପଡା ର ଅଜୟ ସାହୁଙ୍କୁ ଗିରଫ କରିଛି । ଏନେଇ ସଦର ଆଇଆଇସି ଶ୍ରୀ ମହାକୁଡ଼ଙ୍କୁ ପଚାରିବାରୁ, ଶ୍ରମିକ ମାନଙ୍କୁ ଧମ ଚମକ ଦେଇ ଦାଦା ବଟି ମାଗିବା ଅଭିଯୋଗରେ ୫ ଜଣକୁ ଅଟକ ରଖିଥିଲୁ । ସେଥିରୁ ତେଲିପଡାର ଅଜୟ ପୂର୍ବରୁ ବହୁ କେଶରେ ସାମିଲ ଥିଲେ । ତାଙ୍କୁ ଗିରଫ କରିଛୁ ଓ ଆଜି କୋର୍ଟ ଚାଳାଣ କରାଯିବ । ଅନ୍ୟ ୪ ଜଣଙ୍କୁ ନୋଟିସ କରି ଛାଡି ଦେଇଛୁ ବୋଲି କହିଛନ୍ତି ।