ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଓଡ଼ିଆ ଠିକାଦାର ଦେବାଳିଆ ହେଲେଣି
କୋଟିଏ ପରିବାରର ପେଟକୁ ନାଟ ମାରୁଛନ୍ତି ରାଜ୍ୟ ସରକାର
ଠିକାଦାର ମାରଣ ନୀତିକୁ ବରୋଧ, ନୀତିକୁ ୧୦ଦଫା ଦାବି ନେଇ ବିଧାନସଭା ଘେରିଲେ ହଜାର ହଜାର ଠିକାଦାର
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡିଶାର ଠିକାଦାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦ କରି ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଥିବା ଓଡିଶା ଠିକାଦାର ସଂଘ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆମରଣ ଅନଶନ ଆରମ୍ଭ କରାଯାଇଛି । ରାଜ୍ୟୀ ସମସ୍ତ ଜିଳ୍ଲାରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ ଠିକାଦାର ଏହି ପ୍ରତିବାଦ ବିକ୍ଷୋଭରେ ସାମିଲ ହୋଇ ରାଜ୍ୟସରକାର ସକରାତ୍ମକ ମାନସିକତା ପୋଷଣ କରି ଓଡିଶା ଠିକାଦାର ମାରଣ ନୀତିରେ ପରିବର୍ତ୍ତନ କରନ୍ତୁ ବୋଲି ଦାବି କରିଛନ୍ତି । ସଂଘର ସଭାପତି ପ୍ରଭାତ ଦାଶଙ୍କ ନେତୃତ୍ୱରେ ଠିକାଦାର ମାନେ ଏକ ଶୋଭାଯାତ୍ରାରେ ଆସି ଲୋୟର ପିଏମଜି ସ୍ଥିତ ଧାରଣା ସ୍ଥଳରେ ସମବେତ ହେବା ପରେ ଆମରଣ ଅନଶନ ଆରମ୍ଭ ହୋଇଥିଲା ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ସରକାରଙ୍କର ଓଡ଼ିଶାର ଠିକାଦାରମାନଙ୍କ ପ୍ରତି ଏକ ଅତି ନକାରାତ୍ମକ ମନୋଭାବର ପରିଣାମ ସ୍ୱରୂପ ଆଜି ଓଡ଼ିଶାର ଠିକାଦାରମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ । ଓଡିଶାର ଠିକାଦାର ଆର୍ଥିକ ଦୃଷ୍ଟିରୁ ଗୁରୁତର କ୍ଷତିଗ୍ରସ୍ତ ହୋଇ ଭୀଷଣ ମାନସିକ ଚାପ ଭିତରେ ରହୁଛନ୍ତି । ପ୍ରାୟତଃ ସମସ୍ତେ ଆର୍ଥିକ ଭାବେ ଦେବାଳିଆ ଅବସ୍ଥାକୁ ଆସିଯାଇଅଛନ୍ତି । ଓଡ଼ିଶାର ଠିକାଦାରମାନେ ପ୍ରତିଦିନ ପ୍ରାୟ ୧କୋଟି ଲୋକଙ୍କ ମୁହଁକୁ ଦାନା ଦିଅନ୍ତି । ଓଡିଶାର ଠିକାଦାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ଆଚରଣ ସିଧାସଳଖ ଭାବେ ଏକ କୋଟି ଓଡ଼ିଆଙ୍କ ପେଟକୁ ଲାତ ମାରିବା ପରିସ୍ଥିତି ସୃଷ୍ଟି କରିଛି ।
ଓଡ଼ିଶାର ଠିକାଦାରମାନେ ଏକ ନକାରାତ୍ମକ ପରିସ୍ଥିତି ଭିତରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଚାଲିଥିଲେ । ଏହି ସମୟରେ ଜିଏସଟି ଆସିଗଲା ଏବଂ ପ୍ରାୟ ସମସ୍ତ ରାଜ୍ୟ ନିଜ ରାଜ୍ୟର ଠିକାଦାରମାନେ ଯେପରି ଜିଏସଟି ଦ୍ୱାରା କ୍ଷତିଗ୍ରସ୍ତ ନହୁଅନ୍ତୁ, ତାହାକୁ ଆଖିରେ ରଖି କାମର ସମସ୍ତ ବିଭାଗ ଏବଂ ଉପକରଣର ପୁନଃ ମୂଲ୍ୟାୟନ କରି ନିଜ ରାଜ୍ୟର ଠିକାଦାରମାନଙ୍କୁ ଉଯୁକ୍ତ ସୁରକ୍ଷା ପ୍ରଦାନ କଲେ । କେତେକ ରାଜ୍ୟ ଯଥା ତେଲେଙ୍ଗାନା ମଧ୍ୟ ଅଧିକ ୧୦ପ୍ରତିଶତ ଦେଇ ୧୨ପ୍ରତିଶତ ଜିଏସଟି ହିସାବ କରି ଠିକାଦାରଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କଲେ । ମାତ୍ର ଓଡ଼ିଶା ସରକାର ଯଦିଓ ୨୦୧୭ ସୁଦ୍ଧା ମଧ୍ୟ ୨୦୧୪ର ସିଡୁଲ ରେଟକୁ ପରିବର୍ତ୍ତନ କରିନଥିଲେ ଏବଂ ଏହି ୨୦୧୪ର ରେଟ୍ ସମ୍ପୂର୍ଣ୍ଣ ଅକାମୀ ଏବଂ ଅବାସ୍ତବ ହୋଇସାରିଥିଲା । ୨୦୧୭ରେ ତାହାରି ଦେହରୁ ରେଟ୍ କାଟି ଦେଇ ନୂଆ ରେଟ୍ ନିର୍ଦ୍ଧାରଣ କଲେ, ଯାହାକି ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ଠିକାଦାରଙ୍କ ପ୍ରତି ଏକ ଘୋର ଅନ୍ୟାୟ ଏବଂ ଅବାସ୍ତବ ହେଲା । ସେହି ଅବାସ୍ତବ ରେଟରେ ଓଡ଼ିଶାର ଠିକାଦାରଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରାଗଲା । ଏହି ନକାରାତ୍ମକ ପରିସ୍ଥିତିରେ ସରକାର ବର୍ତମାନ ଆଉ ଏକ ଭୀଷଣ କଷ୍ଟଦାୟକ ନିୟମ ପ୍ରଚଳନ କରିଅଛନ୍ତି । ତାହା ହେଲେ ବତ୍ତମାନ ଓଡ଼ିଶାର ଠିକାଦାରମାନେ ସେମାନଙ୍କ କାର୍ଯ୍ୟରେ ଯେଉଁ ସବୁ ସାମଗ୍ରୀ ବ୍ୟବହାର କରିବେ ତାହାର ଟ୍ରାନଜିଟ୍ ପାସ୍ ଏବଂ ରୟାଲଟି ରସିଦ ନିର୍ମାଣ ବିଭାଗରେ ଦାଖଲ କରିବେ । ସରକାରଙ୍କର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀମାନଙ୍କର କୌଣସି ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନାହିଁ କିମ୍ବା ନିର୍ଦ୍ଧିଷ୍ଟ ପ୍ରାପ୍ୟସ୍ଥାନ ନାହିଁ । ଠିକାଦାର ବହୁ କଷ୍ଟରେ ଏବଂ ବହୁ ଅଧିକ ମୂଲ୍ୟ ଦେଇ ନିର୍ମାଣ ସାମଗ୍ରୀ ସବୁ ସଂଗ୍ରହ କରି ତାହାର କାର୍ଯ୍ୟ ସମ୍ପାଦନ କରେ । ବର୍ତ୍ତମାନ ଠିକାଦାରଙ୍କୁ ରୟାଲଟି ରସିଦ ଏବଂ ଟ୍ରାନ୍ଜିଟ୍ ପାସ ବ୍ୟବସ୍ଥାରେ ଭର୍ତି କଲେ ନା ସେ ଏ ସମସ୍ତ ରସିଦ ପାଇପାରିବ, ନା ସେ କୌଣସି ନିର୍ମାଣ ସାମଗ୍ରୀ ସଂଗ୍ରହ କରିପାରିବ । ନିୟମ ଏପରି କରାଯାଇଅଛି ଯେ, ଯଦି ଠିକାଦାରଟି ଏହି ଦୁଇଟି ରସିଦ ପୈଠ ନକଲା, ତାହାର ପ୍ରାପ୍ୟରୁ ସେ ସାମଗ୍ରୀର ମୂଲ୍ୟ କାଟି ଦିଆଯାଇ ସରକାରୀ ତହବିଲରେ ଜମା କରାଯିବ । ଫଳତଃ କାର୍ଯ୍ୟ ସମ୍ପାଦନା କଲା ପରେ ଠିକାଦାରଟି ଆଉ କୌଣସି ପ୍ରାପ୍ୟ ପାଇବ ନାହିଁ । କାରଣ ତାହାର ପ୍ରାପ୍ୟରୁ ପ୍ରାୟ ୭୦ପ୍ରତିଶତ କାଟି ସରକାରୀ ତହବିଲ୍ରେ ଜମା ହୋଇଯିବ । ସରକାର ବୁଝିବା କଥା ଠିକାଦାର କୌଣସି ନିର୍ମାଣ ସାମଗ୍ରୀ ନିଜେ ପ୍ରସ୍ତୁତ କରେ ନାହିଁ । ସେ କେବଳ ପ୍ରସ୍ତୁତ ସାମଗ୍ରୀ ଖର୍ଦ୍ଧି କରି କାମରେ ଲଗାଏ । ତାକୁ ରୟାଲଟି ରସିଦ ଏବଂ ଟ୍ରାନଜିଟ୍ ପାସ୍ ଭିତରେ ପୁରାଇବା ସମ୍ପୂର୍ଣ୍ଣ ବେଆଇନ । ପ୍ରତିଦିନ ସମସ୍ତ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଚାଲିଛି । ଏହି ମୂଲ୍ୟ ବୃଦ୍ଧିକୁ ଆଖିରେ ରଖି ପୂର୍ବରୁ ସରକାର ମୂଲ୍ୟ ବୃଦ୍ଧି ଜନିତ ଦେୟ ଠିକାଦାରଙ୍କୁ ଦେଇ ଆସୁଥିଲେ । ମାତ୍ର ୨୦୦୭ମସିହାରେ ଉକ୍ତ ନିୟମକୁ ରଦ୍ଧ କରିଦିଆଗଲା । ଫଳତଃ ଠିକାଦାର ମହାସଂଘ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଏବଂ ମାନ୍ୟବର ହାଇକୋର୍ଟ ମଧ୍ୟ ୩ଥର ମୂଲ୍ୟ ବୃଦ୍ଧି ଜନିତ ଦେୟ ଠିକାଦାରଙ୍କୁ ଦେବା ପାଇଁ ଓଡ଼ିଶା ସରକାରଙ୍କୁ ନିଦେ୍ର୍ଧଶ ଦେଲେଣି । ଯଦିଓ ଓଡ଼ିଶା ସରକାର ବାହାର ଠିକାଦାରଙ୍କୁ ଏହା ପ୍ରଦାନ କରୁଛନ୍ତି, ମାତ୍ର ଓଡ଼ିଶା ଠିକାଦାରଙ୍କୁ ମୂଲ୍ୟ ବୃଦ୍ଧି ଜନିତ ଦେୟ ଦେବାକୁ ସରକାର ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି । ବର୍ତ୍ତମାନ ହାଇକୋର୍ଟଙ୍କୁ ଭ୍ରମିତ କରିବା ପାଇଁ ସରକାର ଏକ ଅତି ନକାରାତ୍ମକ ଏବଂ ସମ୍ପୂର୍ଣ୍ଣ ଭୁଲ୍ ନିୟମ ପ୍ରକାଶ କରିଛନ୍ତି, ଯାହାକୁ ଠିକାଦାର ସଂଘ ସମ୍ପୂର୍ଣ୍ଣ ରୂପେ ପ୍ର୍ରତ୍ୟାଖ୍ୟାନ କରିଅଛି । ଏବଂ ଠିକ୍ ନିୟମ ପ୍ରଚଳନ ପାଇଁ ଦାବି ଉପସ୍ଥାପନ କରିଛି । ସରକାରଙ୍କ ଏତାଦୃଶ ପାତର ଅନ୍ତର ନୀତି ରାଜ୍ୟର ଠିକାଦାରମାନଙ୍କୁ ଦେବାଳିଆ ସ୍ଥିତିକୁ ଆଣିଥିବା ବେଳେ ସେମାନଙ୍କ ୁପରେ ନିର୍ଭର କରୁଥିବା ପ୍ରାୟ କୋଟିଏ କର୍ମଚାରୀ ଶ୍ରମିକ ମାନଙ୍କ ପେଟକୁ ଲାତ ମାରିଛି । ତେଣୁ ୨୦୧୪ରେ ସ୍ଥିରିକୃତ ସିଡଲୁ ରେଟର ୨୦୧୯ ମୂଲ୍ୟ ଭିତିରେ ପୁନଃ ଆକଳନ, ଭାରତ ସରକାରଙ୍କର ଷ୍ଟାର୍ଣ୍ଡାର୍ଡ ଡାଟା ବୁକର ତୁରନ୍ତ ପ୍ରଚଳନ, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କର ବିଭିନ୍ନ କାର୍ଯ୍ୟରେ-୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ମାନ୍ୟବର ହାଇକୋର୍ଟଙ୍କର ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ, -ତେଲେଙ୍ଗାନା ସରକାରଙ୍କ ନୀତ ିଅନୁଯାୟୀ ଜିଏସଟି ପାଇଁ ୧୦ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସତ୍ତ ବ୍ୟତିତ କେବଳ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସା୍ଥ ଅନୁଯାୟୀ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକୁ୍ୟରିଟି ପ୍ରଦାନ, ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ସ ରୟାଲଟି ରସିଦ ଉପରେ ନିଦେ୍ର୍ଧଶର ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।
ଉପରୋକ୍ତ ଦାବି ସମୂହର ପୂରଣ ଦାବିରେ ଆଜି ଆରମ୍ଭ ହୋଇଥିବା ଧାରଣା ତଥା ଆମରଣ ଅନଶନରେ ସଭାପତି ଶ୍ରୀ ଦାସଙ୍କ ସହିତ ସଂଘର ସାଧାରଣ ସମ୍ପାଦକ ଭାଗ୍ୟଧର ଦାଶ, ଉପସଭାପତି ପ୍ରତାପ କିଶୋର ପଣ୍ଡା, ସୁନୀଲ କୁମାର ମହାପାତ୍ର, ଅନୀଲ କୁମାର ମାହାଲିକ, କାଳୀପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଜଗଦୀପ ବନସଲ, ଚିତ୍ତରଞ୍ଜନ ସ୍ୱାଇଁ,ମାନସ କୁମାର ତ୍ରିପାଠୀ, ଆର୍ଯ୍ୟପ୍ରକାଶ ଚମ୍ପତିରାୟ, କୋଷାଧ୍ୟକ୍ଷ ନିଖିଳେଶ୍ୱର ସାହୁ, ସଂଯୋଜକ ଏଚକେଏସ ବର୍ମାଙ୍କ ସମେତ ରାଜ୍ୟର ହଜାର ହଜାର ଠିକାଦାର ସାମିଲ ହୋଇଥିବା ବେଳେ ଆମରଣ ଅନଶନରେ ସଭାପତି ଶ୍ରୀ ଦାଶ, ବି ଏନ ମିଶ୍ର, ସୁଧାଂଶୁ ପାଇକରାୟ, ଦୁର୍ଗା ତ୍ରିପାଠୀ, ଲୋକନାଥ ଜେନା, ମାନସ ରଞ୍ଜନ ଗିରି, ମନୋଜ କୁମାର ଚାନ୍ଦ, ମାନସ ରଞ୍ଜନ ରାଉତରାୟ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସରକାର ଠିକାଦାରମାନଙ୍କ ଉପରୋକ୍ତ ଦାବି ମାନି ନନେବା ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।