ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ କଳା ଓ ସଂସ୍କୃତିର ମାଟି । ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ମୟୂରଭଞ୍ଜବାସୀ ମୁଁ ଓ ମୋର ଐତିହ୍ୟକୁ ନେଇ ଗର୍ବ କରନ୍ତି । ସେହି କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ ଏବଂ ୨୦୧୯ରେ ଏହା ୪ର୍ଥ ବର୍ଷରେ ପଦ ଥାପିଛି । ବେଶ କିଛି ଦିନ ଧରି ସମଗ୍ର ଜିଲ୍ଲା ହୋଇ ଉଠିଥିଲା ଚଳଚଞ୍ଚଳ । ଆଜି ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିବା ସଂଗେସଂଗେ ନଭେମ୍ବର ୨୫ ଅପରାହ୍ନରେ ଏକ ବର୍ଣ୍ଣାଢ଼୍ୟ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାରିପଦା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ସିଂହଦ୍ୱାର ନିକଟ ବଡ଼ଦାଣ୍ଡରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାର, ସମ୍ମନିତ ଅତିଥି ଭାବେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର , ଚଳଚିତ୍ର ତାରକା ଉତ୍ତମ ମହାନ୍ତି, ଅସିତ୍ ପତି ପ୍ରମୁଖ ଯୋଗ ଦେଇ ମହୋତ୍ସବକୁ ଶୁଭ ଉଦଘାଟନ କରିଥିଲେ । ଏହାପରେ ଜିଲ୍ଲାର ବିଭିନ୍ନ କଳାକାରମାନଙ୍କୁ ନେଇ ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ବଡ଼ଦାଣ୍ଡରୁ ଛଉପଡ଼ିଆ ପର୍ଯ୍ୟନ୍ତ କାରନିଭାଲ ସୋ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବ ଐତିହାସିକ ଛଉପଡ଼ିଆରେ ୬ ଦିନ ଧରି ଚାଲୁ ରହିବ ଏବଂ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ଉତ୍ତମ ମହାନ୍ତି, ଅସିତ୍ ପତି, ବାବୁ ସାନ, ପପୁ ପମ୍ ପମ , ସ୍ୱରାଜ ବାରିକ, ସନ୍ମିରା, ଅନିମେଶ ଘୋଷ, ଗାୟିକା ଅସୀମା ପଣ୍ଡା, ଦୀପ୍ତିରେଖା, ସ୍ୱୟମ୍ ପାଢ଼ୀ ପ୍ରମୁଖ ବହୁ ନାମୀଦାମୀ କଳାକାରମାନେ ଯୋଗ ଦେଇ ମଞ୍ଚରେ ଦର୍ଶକମାନଙ୍କ ମନୋରଞ୍ଜନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ନଭେମ୍ବର ୨୮ରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଯୋଗ ଦେଉଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ , ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଦାମ ମାର୍ଣ୍ଡି, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବିଧାୟକ ରମେଶ ମାଝି, ଚିନ୍ମୟ ସାହୁ, ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୁଣି ନଭେମ୍ବର ୨୯ରେ ଓଡ଼ିଶା , ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମ ଆଦି ରାଜ୍ୟର ସାନ୍ତାଳୀ ସୁପରଷ୍ଟାର କଳ୍ପନା ହାଁସଦାଃ, ମଧୁସ୍ମିତା ସୋରେନ ମୁର୍ମୁ, ମଲ୍ଲୀ ହେମ୍ବ୍ରମ, ଡୁଗର ଟୁଡ଼ୁ, ଲକ୍ଷ୍ମଣ ସୋରେନ ପ୍ରମୁଖ ଯୋଗ ଦେବେ । କେବଳ ଏତିକି ମଧ୍ୟରେ ସିମୀତ ରହିଯାଇନାହିଁ । ଅନ୍ୟ ଜିଲ୍ଲାର କଳା ଓ ସଂସ୍କୃତି ସହ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଆଦାନ ପ୍ରଦାନ ନିମନ୍ତେ ବିଶେଷ ବ୍ୟବସ୍ଥା ରହିଛି । ବାରିପଦା ଛଉପଡ଼ିଆ ପରିସରରେ ମୟୂରଭଞ୍ଜ ମହୋତ୍ସବ ପ୍ରତ୍ୟେକ ଦିନ ପୂର୍ବାହ୍ନ ୫ରୁ ଆରମ୍ଭ ହୋଇ ରାତି ୧୦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମାଧ୍ୟମରେ ଚାଲୁ ରହିବାକୁ ଯାଉଥିବା ବେଳେ ଦର୍ଶକମାନେ ମୟୂରଭଞ୍ଜର ପାରମ୍ପରିକ ମାଂସ-ମୁଢ଼ି ସହ ବିଭିନ୍ନ ଖାଦ୍ୟର ମଜା ଉଠାଇ ପାରିବେ ।