ହେଡଲାଇନସ୍:

ରାୟଗଡ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବାକୁ ଉଦ୍ୟମ : ବାଲ୍ୟ ବିବାହକୁ  କିଶୋର ଓ କିଶୋରୀଙ୍କ "ନା" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଏକ କର୍ମଶାଳା : କିଶୋର ଓ କିଶୋରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସଂଗଠନ ଗଠନ

ରାୟଗଡ/Saroj Sahu : ରାୟଗଡ ଜିଲ୍ଲା ପ୍ରଶାସନ, ଆକସନ ଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ରାୟଗଡ ମିଶନ ଶକ୍ତି ସଭା ଗୃହରେ ରାୟଗଡ ଜିଲ୍ଲାର ୫ ଟି ବ୍ଲକର କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କର୍ମଶାଳାରେ ରାୟଗଡ ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କିଶୋର ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ପ୍ରଶାସନ ତରଫରୁ  ନିଆଯାଉଥିବା ପଦକ୍ଷେପ ଗୁଡିକ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ବଟ କୃଷ୍ନ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ରାୟଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ରାମକୃଷ୍ଣ ଗଣ୍ଡ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଶେଖ ଅଲ୍ଲି ନୁର, ଜିଲ୍ଲା କ୍ଷୁଦ୍ର ସଂଚୟ ଅଧିକାରୀ ଶ୍ରୀ ଧୃବ ଚରଣ ନାୟକ, ଜିଲ୍ଲା ପ୍ରକଳ୍ପ ପରିଚାଳକ (ଓଡିଶା ଜୀବିକା ମିଶନ), ରାୟଗଡ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମିଶନ ଶକ୍ତି), ଜିଲ୍ଲା ଯୁବ ସଂଯୋଜକ (ବିଜୁ ଯୁବ ବାହିନୀ) ଓ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ ଏବଂ ୟୁନିସେଫର ପ୍ରକାଶ କୁମାର ବେହେରା ପ୍ରମୂଖ ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ ଏହି କର୍ମଶାଳା ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କିଶୋର ଓ କିଶୋରୀ ମାନେ ସଂଗଠିତ ହୋଇ ପାରିଲେ ହିଁ ରାୟଗଡ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ବୋଲି ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ଶିଶୁ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଶିଶୁ ମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ନେଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଓ ରାୟଗଡ ଜିଲ୍ଲା ପ୍ରଶାସନ, ଆକ୍ସନ ଏଡ ଓ ୟୁନୁସେଫର ମିଳିତ ଉଦ୍ୟମରେ ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ସଚେତନ କରାଇବା, ପ୍ରତ୍ୟେକ ଶିଶୁ  କିପରି ନିୟମିତ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ତାହା ନିଶ୍ଚିତ କରାଇବା, ଅପପୃଷ୍ଟିକୁ ରୋକିବା, ପ୍ରାକ ବିଦ୍ୟାଲୟ ଶିକ୍ଷା ନିଶ୍ଚିତ କରାଇବା, ଶିଶୁ ମାନଙ୍କ ପାଇଁ ଶିଶୁ ଉପେଯାଗୀ ପରିବେଶ ନିଶ୍ଚିତ କରାଇବା, ଶିଶୁ ସୁରକ୍ଷାର ବିଭିନ୍ନ ବ୍ୟବସ୍ଥା ଗୁଡିକୁ ଉପଲବ୍ଧ କରାଇବା, କିଶୋର ଓ କିଶୋରୀ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକରେ ସାମିଲ କରାଇବା, ସ୍ୱାସ୍ଥ୍ୟ ସୁବିଧାକୁ ନିଶ୍ଚିତ କରାଇବା ଓ କୌଣସି ଶିଶୁ ଯେପରି ଶିଶୁ ଶ୍ରମିକ ନ ହେବେ ସେଥିପ୍ରତି ଧ୍ୟାନ ଦେଇ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନା କ୍ରମେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ୨୦୧୯ ମସିହା ଅଗଷ୍ଟ ମାସ ୨୦ ତାରିଖ ଦିନ ପ୍ରସ୍ତୁତ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ତଦାରଖ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି । ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୂପ ଏହି କର୍ମଶାଳାରେ କଲ୍ୟାଣସିଂହପୁର, କାଶୀପୁର, କୋଲନରା ଓ ଚନ୍ଦ୍ରପୁର ବ୍ଲକର କିଶୋର ଓ କିଶୋରୀ ମାନେ ଏକାଠି ହୋଇ ସେମାନଙ୍କ ସମସ୍ୟା ଓ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । କିଶୋର ଓ କିଶୋରୀ ମାନଙ୍କ ସମସ୍ୟା ସେମାନଙ୍କ ଲକ୍ଷ୍ୟ ଓ ସେମାନେ ପ୍ରଶାସନ ଠାରୁ କଣ ଆବଶ୍ୟକ କରୁଛନ୍ତି ଏହି ସବୁ ବିଷୟ ଉପରେ ଆଲୋଚନା କରାଯାଇଥିଲା ଏବଂ କିଶୋର ଓ କିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ଓ ସଶକ୍ତିକରଣ ନିମନ୍ତେ କିଶୋର ଓ କିଶୋରୀ ମାନଙ୍କ ପ୍ରସ୍ତାବ କ୍ରମେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଥିଲା । ବିଭିନ୍ନ ବ୍ଲକରୁ ଆସିଥିବା କିଶୋର ଓ କିଶୋରୀ ମାନେ ବାଲ୍ୟ ବିବାହକୁ କାହିଁକି ନା କହୁଛନ୍ତି ସେ ବିଷୟରେ ନିଜର ମତ ଓ ଅଭିଜ୍ଞତା ଗୁଡିକୁ ଉପରେ ଉପସ୍ଥାପନା କରିଥିଲେ । ଉକ୍ତ କର୍ମଶାଳାରେ ଉପସ୍ଥିତ କିଶୋର ଓ କିଶୋରୀ ମାନଙ୍କୁ ନେଇ ଜିଲ୍ଲାସ୍ତରରେ ଏକ ସଂଗଠନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତଲାଲ ଦୀପ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆକ୍ସନ ଏଡ ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ ଏହି କର୍ମଶାଳାକୁ ପରିଚାଳନା କରିଥିଲେ ।  

 

0
0
0
s2sdefault