ହେଡଲାଇନସ୍:

ଆମ୍ବୁଲାନ୍ସରୁ ତେଲ ସରି ଗଲା, ଆଉ ତୁଳସୀଙ୍କ ଜୀବନରୁ ଆୟୁଷ ବି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ହସପିଟାଲରେ ପହଁଞ୍ଚି ନପାରି ପ୍ରସୂତୀଙ୍କ ମୃତ୍ୟୁ 

ପ୍ରଶାସନର ଇଏ କୋଉ ପ୍ରକାର "ଟି" କେଜାଣି !!!

ବାରିପଦା(ଦିଲ୍ଲୀପ ମହାନ୍ତି )-  ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସେମାନଙ୍କର ମୌଳିକ ଅଧିକାର ହୋଇଥିବା ସମୟରେ ସରକାର ଏଥି ନିମନ୍ତେ ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି । ମାତ୍ର ଜନସାଧାରଣ ସେମାନଙ୍କର ଏହି ମୌଳିକ ଅଧିକାର ସ୍ୱାସ୍ଥ୍ୟସେବା କିପରି ଯୋଗାଇ ଦେଉଛନ୍ତି ତାହା ହସପିଟାଲରେ ପହଁଞ୍ଚି ନପାରି ପ୍ରସୂତୀ ପ୍ରସବ ଯନ୍ତ୍ରଣା ସହ୍ୟ କରିନପାରି ରାସ୍ତାରେ ଜୀବନ ହାରିବା ଅଭିଯୋଗରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଏଥି ସହିତ ଏହି ଘଟଣା ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମର ଅନୁପାଳନ ଓ ପ୍ରାୟୋଗିକତା  ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ  କରାଉଛି ମଧ୍ୟ । 

              ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଓଡ଼ିଶା ସରକାରରେ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିଜସ୍ୱ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ହାଣଦା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ , ଦୁଃଖଦାୟକ ଘଟଣା । ଗ୍ରାମର ଚିତ୍ତ ରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା ଗର୍ଭବତୀ ଥିଲେ । ଅକ୍ଟୋବର ୪ ଶୁକ୍ରବାର ରାତିରେ ତୁଳସୀ ମୁଣ୍ଡା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ଚିତ୍ତରଞ୍ଜନ ଆଶା ଦିଦିଙ୍କୁ ଧରି ବାଙ୍ଗିରିପୋଷି ହସପିଟାଲରେ ରାତି ପ୍ରାୟ ସାଢେ଼ ୧୧ରେ ପହଁଞ୍ଚି ରୋଗୀକୁ ହସପିଟାଲରେ ଭର୍ତ୍ତି କରାଇଥିଲେ । ଏହି ସମୟରେ ଡ଼ିଉଟିରେ ଥିବା ଡ଼ାକ୍ତର ତୁଳସୀକୁ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ସ୍ୱାମୀ ଚିତ୍ତରଞ୍ଜନଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ହସପିଟାଲରେ ପ୍ରସୂତୀମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ୧୦୨ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ଚିତ୍ତରଞ୍ଜନ ବାଙ୍ଗିରିପୋଷି ହସପିଟାଲର ସରକାରୀ ଆମ୍ବୁଲାନ୍ସରେ ପ୍ରସୂତୀ ତୁଳସୀ ଓ ଆଶାଦିଦିଙ୍କୁ ଧରି ବାରିପଦା ଆସୁଥିବା ସମୟରେ ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ନିକଟରେ ଆମ୍ବୁଲାନ୍ସରେ ତେଲ ଶେଷ ହୋଇଯାଇଥିଲା । ଫଳରେ ଆମ୍ବୁଲାନ୍ସ ପ୍ରସୂତୀକୁ ଧରି ହସପିଟାଲରେ ପହଁଞ୍ଚିବା ପରିବର୍ତ୍ତେ ମଧ୍ୟ ରାତିରେ ରାସ୍ତାରେ ଅଟକି ରହିଗଲା । ଏହାପରେ ୧୦୮ ଆମ୍ବୁଲାନ୍ସକୁ କଲ କରାଯାଇଥିଲେ ମଧ୍ୟ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ୧୦୮ ଆମ୍ବୁଲାନ୍ସ ପହଁଞ୍ଚିଥିଲା । ଏହି ସମୟରେ ପ୍ରସୂତୀ ଅତ୍ୟଧିକ ପ୍ରସବ ଯନ୍ତ୍ରଣାକୁ ସହ୍ୟ କରିନପାରି ଜୀବନ ହାରି ସାରିଥିଲା । ପରବର୍ତ୍ତି ସମୟରେ ୧୦୮ ପ୍ରସୂତୀ ତୁଳସୀକୁ ଧରି ବାରିପଦା ପିଆରଏମ ହସପିଟାଲରେ ପହଁଞ୍ଚିଥିଲା । କିନ୍ତୁ, ହସପିଟାଲର ଡ଼ାକ୍ତର ତୁଳସୀକୁ ରିସିଭ ଡେ଼ଥ ବୋଲି ଘୋଷଣା କରିଥିଲେ । ଖବରପାଇ ବାଙ୍ଗିରିପୋଷି ଥାନା ପୁଲିସ ବାରିପଦାରେ ପହଁଞ୍ଚି ଶବର ବ୍ୟବଚ୍ଛେଦ କରାଇବା ପରେ ଶବକୁ ସ୍ୱାମୀ ଚିତ୍ତରଞ୍ଜନକୁ ହସ୍ତାନ୍ତର କରିଥିଲେ ଏବଂ ତୁଳସୀର ମୃତୁ୍ୟକୁ ନେଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।

                   ତୁଳସୀକୁ ଡ଼ାକ୍ତର ମୃତ ଘୋଷଣା କରିବା ପରେ ପ୍ରଶାସନିକ ସ୍ତରରେ ସମସ୍ତେ ନିଜ ନିଜକୁ ନିଦେ୍ର୍ଧାଷ ପ୍ରମାଣିତ କରାଇବାରେ ଲାଗିପଡ଼ିଲେ । ପ୍ରଥମେ ଆମ୍ବୁଲାନ୍ସର ଡ୍ରାଇଭର ହରିହର ନାୟକ ଆମ୍ବୁଲାନ୍ସରେ ତେଲ ଥିଲା, କିନ୍ତୁ ରାସ୍ତାରେ ତେଲ ଟାଙ୍କିର ପାଇପ୍ ଫାଟି ତେଲ ବୋହିଯାଇ ଟାଙ୍କି ଖାଲି ହୋଇଯାଇଥିବାର ସଫେଇ ଦେଇଥିଲା । ସେହିପରି ସିଡ଼ିଏମଓ ଏହା ଏକ ଦୁଃଖଦାୟକ ଓ ସମ୍ବେଦନଶୀଳ ଘଟଣା । ଏ ବିଷୟ ଆଜି ସକାଳ ସମୟରେ ନଜରକୁ ଆସିବାରୁ ବାଙ୍ଗିରିପୋଷି ହସପିଟାଲ ମେଡ଼ିକାଲ ଅଫିସରଙ୍କ ସହ ଯୋଗାଯୋଗ କରିଥିଲି । ଆମ୍ବୁଲାନ୍ସରେ ତେଲ ରହିଥିବାର କହିଥିଲେ । ତେବେ ଏହା ଉପରେ ତଦନ୍ତ କରିବା ପରେ ଯଦି କିଛି ତୃଟି ରହିଥିବାର ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବେ ବୋଲି କହିଥିଲେ । 

            ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାରେ ରାମରାଜ୍ୟ ପ୍ରତିଷ୍ଠା  କରିବାର ସ୍ୱପ୍ନ ଦେଖିଛନ୍ତି । ଏହି ସ୍ୱପ୍ନକୁ ସାକାର କରି ରାଜ୍ୟବାସୀଙ୍କୁ ସ୍ୱଚ୍ଛ ନିର୍ମଳ ଓ ଜନଦରଦୀ ଶାସନ ପ୍ରଦାନ ନିମନ୍ତେ ଏବଂ ଜନସାଧାରଣଙ୍କ ସାମୂହିକ କଲ୍ୟାଣ , ସାମାଜିକ ସୁରକ୍ଷା, ଆର୍ଥିକ ବିକାଶ ଆଦିକୁ ଲକ୍ଷ କରି ଜନ୍ମଠାରୁ ଆରମ୍ଭ କରି ଶ୍ମଶାନରେ ଜୁଇ ଓ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଗୋଟାଏ ପରେ ଗୋଟାଏ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଇବାରେ ଲାଗିଛନ୍ତି । ଏଥି ସହିତ ଗଣତନ୍ତ୍ରର ୪ ସ୍ତମ୍ଭ ମଧ୍ୟରୁ ଶାସନ ବ୍ୟବସ୍ଥାରେ ମୁଖ୍ୟ ଭୂମିକାରେ ଲିଭାଉଥିବା ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ସ୍ତମ୍ଭକୁ ଅଧିକ କ୍ରିୟାଶୀଳ, ଗତିଶୀଳ, ସଶକ୍ତ ଏବଂ ଲୋକାଭିମୁଖୀ କରାଇବାକୁ ଯାଇ ୫ଟି ମନ୍ତ୍ରରେ ସମସ୍ତଙ୍କୁ ଦୀକ୍ଷିତ କରାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ୫ଟି ମନ୍ତ୍ର ମୟୂରଭଞ୍ଜ ଜିଲ୍ଲାରେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିବା ବିଷୟ ଜନସାଧାରଣରେ ହେଉଥିବା ଆଲୋଚନାରୁ ପରିଲକ୍ଷିତ ହୋଇଛି । କେବଳ ତୁଳସୀ ନୁହେଁ, ମୟୂରଭଞ୍ଜ ଜିଲ୍ଲାରେ ଏହି ପରି ଅନେକ ତୁଳସୀ ଠିକ୍ ସମୟରେ ଚିକିତ୍ସା ନପାଇବା ଓ ଚିକିତ୍ସାରେ ଅବହେଳା କାରଣରୁ ଅସମୟରେ ଜୀବନ ହାରୁଥିବା ଅଭିଯୋଗର ଅନେକ ନଜିର ରହିଛି । 

 

0
0
0
s2sdefault