ହେଡଲାଇନସ୍:

ଗାନ୍ଧି ବିଚାର ଆଜି ରହିଛି, କାଲିକି ମଧ୍ୟ ରହିବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମାବେଶ

ଭୁବନେଶ୍ୱର(ଶାସକ ପ୍ରଶାସକ) – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରି ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଲେ ଯେ ଗାନ୍ଧିଜୀଙ୍କର ମୃତ୍ୟୁ  ହୋଇଛି ସତ କିନ୍ତୁ ଗାନ୍ଧୀ ବିଚାରର ମୃତ୍ୟୁ  ହୋଇପାରିବ ନାହିଁ । ଗାନ୍ଧି ବିଚାର ଆଜି ଅଛି  କାଲିକି ବି  ରହିବ । ନୂତନ ଯୁବପିଢୀଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରାଇବାକୁ କଂଗ୍ରେସ ଦଳ ଆଗାମୀ ଦିନରେ ଠୋସ୍ କାର୍ଯ୍ୟକ୍ରମ ନେବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ ଗାନ୍ଧୀ ସତ୍ୟ ଓ ଅହିଂସାକୁ ଭଗବାନ ଭାବେ ଗ୍ରହଣ କରିଛନ୍ତି । ସମାଜରେ ଗାନ୍ଧୀ ବିଚାରର ପ୍ରଚାର ଯେତେ ତୀବ୍ରତର ହେବ, ସମାଜରୁ କୁସଂସ୍କାର, ଭ୍ରଷ୍ଟାଚାର, ଅତ୍ୟାଚାର, ଅନୀତି, ଦୁର୍ନୀତି ହଟିବ ବୋଲି ସେ ଆଶା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଆବାହକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଂଯୋଜନା କରିବା ସହ ସ୍ୱାଗତଭାଷଣ ଦେଇ କହିଲେ ଯେ ଭାରତବର୍ଷରେ ସବୁଠାରୁ ବିଚିତ୍ରତା ହେଉଛି ଭାରତବର୍ଷର ସ୍ୱାଧିନତା ସଂଗ୍ରାମରେ ବିନ୍ଦୁଏ ରକ୍ତ ଦେଇନଥିବା ଦଳ ବର୍ତମାନ ଭାରତବର୍ଷର ୪ ଶହ କୋଟି ଜନତାଙ୍କ ନୀତି ନିର୍ଦ୍ଧାରଣ କରୁଛି । ସବୁଠାରୁ ଦୁର୍ଭାଗ୍ୟର କଥା ଭାଷଣବାଜିରେ ସରକାର ଚାଲିଛି ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ବିଶିଷ୍ଟ ସାମ୍ବାଦିକ ରବି ଦାସ, ସ୍ତମ୍ଭକାର ତୁଷାରକାନ୍ତ, ପୂର୍ବତନ କୁଳପତି ଡ. ଟି. ବାରିକ ଉଦ୍ବୋଧନ ଦେଇ କହିଲେ ଯେ ଗାନ୍ଧିବାଦ ବିରୁଦ୍ଧରେ ଗତ କେତେବର୍ଷ ହେବ ଭାରତବର୍ଷରେ ଏକ ଷଡଯନ୍ତ୍ର ଚାଲିଛି । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତବର୍ଷର ସେତେବେଳର ପରିସ୍ଥିତିକୁ ନେଇ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ । କିନ୍ତୁ ବର୍ତମାନ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇଛି । ସମସ୍ତ ସମ୍ବାଦପତ୍ର, ବୈଦ୍ୟୁତିକ  ଗଣମାଧ୍ୟମକୁ କେନ୍ଦ୍ର ସରକାର ନିଜ ସୁବିଧା ଅନୁଯାୟୀ ପ୍ରୟୋଗ କରୁଛନ୍ତି । କଂଗ୍ରେସ ଦଳ ସାଧାରଣ ଜନତାଙ୍କ ଦଳ । ସାଧାରଣ ଜନତାର ସ୍ୱର ସହ ସ୍ୱର ମିଳାଇବା କଂଗ୍ରେସ ଦଳର କାର୍ଯ୍ୟକ୍ରମ । ଦେଶରେ ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେଇଛି ସେଥିପାଇଁ ବିମୁଦ୍ରାୟନ ଯେ ଦାୟୀ ଏହାକୁ ଆମକୁ ଗ୍ରହଣ କରିବାକୁ ପଡିବ ବୋଲି ବକ୍ତାମାନେ ଦୃଢତାର ସହ କହିଥିଲେ ।

ସଭାର ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଫୁଲମାଳ ଦିଆଯିବା ପରେ ବାବା ବୈକୁଣ୍ଠନାଥ ସାଂସ୍କୃତିକ ପରିଷଦ ଦ୍ୱାରା ‘ବୈଷ୍ଣବ ଜନତୋ ତେନ କହିଏ’ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଡ. ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂକଳିତ ‘ଗାନ୍ଧୀ ଭଗବାନ’ ପୁସ୍ତିକାକୁ ଶ୍ରୀ ଜିତେନ୍ଦ୍ର ସିଂ ଉନ୍ମୋଚନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ନିଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି. ରୁଦ୍ରରାଜୁ, ମସ୍ତାନ ବାଲି , ଅନିଲ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍, ବରିଷ୍ଠ ଆଡଭୋକେଟ  ଶିବାନନ୍ଦ ରାୟ, ଧରଣୀଧର ନାୟକ, ସୁଦାମ ଦାସ, ଶିଳଭଦ୍ର ଶାସ୍ତ୍ରୀ, ଅମୀୟ ପଟ୍ଟନାୟକ, ଦେବଜାନୀ ରାଉତରାୟ, ଜିଆଉଲ୍ ହକ୍, ମିତ୍ରଭାନୁ ମହାପାତ୍ର, ପୂର୍ବତନ ପ୍ରଧାନଶିକ୍ଷକ ବାନାମ୍ବର ବାରିକି, ଜାନକୀକାନ୍ତ ପଟ୍ଟନାୟକ, ବାରି ବାରିକ, ଡାକ୍ତର ବିଭୂତି ଭୂଷଣ ଜେନା, ସୁରେଶ ପାଣିଗ୍ରାହୀ, ସତ୍ୟପ୍ରକାଶ ନାୟକ, ସୁଦର୍ଶନ ଦାସ, ନିଶିକାନ୍ତ ମିଶ୍ର,  ଅମୀୟ ପାଣ୍ଡବ, ଗୋବିନ୍ଦ ଭୁୟାଁ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ମନୋଜ ଜେନା, ଉମାବଲ୍ଲଭ ରଥ, ପ୍ରଶାନ୍ତ ଶତପଥୀ, ଦୀପକ ମହାପାତ୍ର, ସୁଶାନ୍ତ ପଣ୍ଡା, ସୂର୍ଯ୍ୟ ନାରାୟଣ ପଣ୍ଡା, ବିପ୍ଳବ ଚୌଧୁରୀ, ବିଣାପାଣି ସାମଲ, ସ୍ୱାଧିନବାଳା ଦାସ, ନିରଦବରଣ ଖୁଟିଂଆ, ଶୈଳବାଳା ଜେନା, ସଞ୍ଜୟ ପ୍ରଧାନ,  ରାମକୃଷ୍ଣ ପରିଡା,  ପ୍ରମୁଖ ବହୁ ଓକିଲ, ଡାକ୍ତର, କବି, ଲେଖକ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

0
0
0
s2sdefault