ହେଡଲାଇନସ୍:

ଘରୋଇ ଇଞ୍ଜିନିଅରିଂ କଲେଜ କର୍ତ୍ତୃପକ୍ଷ ବିରୋଧରେ ଗୁରୁତର ଅଭିଯୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଛାତ୍ରମାନଙ୍କ ଅଜାଣତରେ ବ୍ୟାଙ୍କରେ ଖାତା ଖୋଲି ଷ୍ଟାଡ଼ି ଲୋନ ଓ ପିଏମଏସ ଟଙ୍କା ହଡ଼ପ !!!

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ପାଟପୁରସ୍ଥିତ ଏସଏସବି ଇନଷ୍ଟିଟ୍ୟୁଟ  ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଶିକ୍ଷା ଅନୁଷ୍ଠାନ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଉକ୍ତ ଶିକ୍ଷା ଅନୁଷ୍ଠାନର କର୍ତ୍ତୃପକ୍ଷ ଅଧ୍ୟୟନରତ ଛାତ୍ରମାନଙ୍କ ଅଜାଣତରେ ବାରିପଦା ବିଜୟା ବ୍ୟାଙ୍କରେ ଜମା ଖାତା ଖୋଲି ଛାତ୍ରମାନଙ୍କର ପିଏମଏସ ଟଙ୍କା ସହ ଷ୍ଟଡ଼ି ଲୋନ କରାଇ ସମସ୍ତ ଟଙ୍କା ହଡ଼ପ କରିଥିବାର ସଙ୍ଗୀନ ଅଭିଯୋଗ ଆଣି ପ୍ରାୟ ୧୫୪ରୁ ଅଧିକ ଛାତ୍ର ବର୍ଷାରେ ଭିଜିଭିଜି ପ୍ରାୟ ୩୫ କିମି.ରୁ ଅଧିକ ରାସ୍ତା ଚାଲିଚାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଏହି ସମୟରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ତାଙ୍କର ପ୍ରତିନିଧି ଭାବେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଓ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଛାତ୍ରମାନଙ୍କୁ ଫେସିଲେସନ ସେଣ୍ଟରେ ବସାଇ ସେମାନଙ୍କ ସହ ସୌହାର୍ଦ୍ଧପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହି ସେମାନଙ୍କୁ ଶୁଖିଲା ଖାଦ୍ୟ, ପାଣି ଆଦି ଯୋଗାଇ ଦେଇଥିଲେ ।  ଏସଏସବି ଇନଷ୍ଟିଟ୍ୟୁଟ ଅଧ୍ୟୟନ ରତ ଛାତ୍ରମାନଙ୍କ ପକ୍ଷରୁ ଅନୁଷ୍ଠାନର ଚେୟାରମେନ ଜେମାମଣି ମହାନ୍ତ ଓ ନିର୍ଦ୍ଦେଶକ ଇଂ. କମଳେନ୍ଦୁ ମହାନ୍ତଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗ ଆଧାରରେ ସେମାନଙ୍କ ଅଜାଣତରେ ଶିକ୍ଷା ଅନୁଷ୍ଠାନର କର୍ତ୍ତୃପକ୍ଷ ବାରିପଦା ରକ୍ସିରୋଡ଼ରେ ଥିବା ବିଜୟା ବ୍ୟାଙ୍କରେ ଜମା ଖାତା ଖୋଲି ପିଏମଏସ ଟଙ୍କା ସହ ସେମାନାଙ୍କ ନାମରେ ଷ୍ଟଡ଼ି ଲୋନ ମଧ୍ୟ କରାଇ ସମସ୍ତ ଟଙ୍କାକୁ ହଡ଼ପ କରିଥିବାର ଜାଣିବାକୁ ପାଇଥିଲେ । ଏବିଷୟରେ ଛାତ୍ରମାନେ ସେପ୍ଟେମ୍ବର ୨୩ ପୂର୍ବାହ୍ନରେ ବ୍ୟାଙ୍କକୁ ଆସି ଘଟଣାର ସତ୍ୟାତା ଉପରେ ଅନୁସନ୍ଧାନ କରିବା ନିମନ୍ତେ ଅନୁଷ୍ଠାନର ଚେୟାରପର୍ସନ  ଜେମାମଣି ମହାନ୍ତ ଓ ତାଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ କମଳେନ୍ଦୁ ମହାନ୍ତଙ୍କୁ ସାକ୍ଷାତ କରିଥିଲେ । ମାତ୍ର ସେମାନେ ଛାତ୍ରମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ଜାତି ଉଠାଇ ଗାଳିଗୁଲଜ  କରିଥିଲେ ଏବଂ ବ୍ୟାଙ୍କୁ ଗଲେ ପରୀକ୍ଷାରେ ଫେଲ କରାଇ ଦେବାର ଧମକ ଦେଇଥିଲେ । ଏଥି ସହିତ ଛାତ୍ରାବାସରୁ ବିଦା କରାଇ ଦେବେ ଓ ଜୀବନରୁ ମାରିଦେବାର ଧମକ ଦେଇ ବ୍ୟାଙ୍କକୁ ନଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକଙ୍କ ଧମକକୁ ଅଣଦେଖା କରି ଛାତ୍ରମାନେ ବାରିପଦା ବିଜୟା ବ୍ୟାଙ୍କରେ ପହଁଞ୍ଚି ସେମାନଙ୍କ ନାମରେ ଷ୍ଟଡ଼ି ଲୋନ କରାଯାଇ ପ୍ରତ୍ୟେକ ବର୍ଷ ୩୦ ହଜାର ଟଙ୍କା ଓ ପିଏମଏସ ଟଙ୍କା ଉଠାଯାଉଥିବାର ଜାଣିବାକୁ ପାଇଥିଲେ । ଏହାପରେ ଛାତ୍ରମେନେ ବ୍ୟାଙ୍କ ଓ ଶିକ୍ଷା ଅନୁଷ୍ଠାନ  ସଲାସୁତରା ଦ୍ୱାରା ଠକାମୀର ଶିକାର ହୋଇଥିବାର ଜାଣିବା ପରେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ ଆଇପିସି ଧାରା ୪୦୯, ୪୧୭, ୪୨୦, ୪୬୮, ୫୦୬, ୩୭୯, ୩୪ ଓ ୩ ଏସସି/ଏସଟି ଆକ୍ଟ  ଅନୁସାରେ କେଶ ନଂ ୮୪ରେ ୨୩/୦୯/୨୦୧୯ରେ ରୁଜୁ ଏକ ମାମଲା ହୋଇଥିଲା । ଉକ୍ତ ଘଟଣା ଉପରେ ତଦନ୍ତ କରିବା ନିମନ୍ତେ ଆଜି ବେତନଟୀ ଏସଡ଼ିପିଓ ଏଲ କେ ପଟ୍ଟନାୟକ ବ୍ୟାଙ୍କରେ ପହଁଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ବ୍ୟାଙ୍କ ମ୍ୟାନେଜର ଛାତ୍ରମାନଙ୍କୁ ଷ୍ଟଡ଼ି ଲୋନ ଦେବା ଓ ସେମାନଙ୍କ ନାମରେ ବ୍ୟାଙ୍କରେ ଜମାଖାତା ଖୋଲିବାରେ କୌଣସି ଜାଲିଆତି ହୋଇନଥିବାର ଷ୍ପଷ୍ଟ ଭାବେ ଜଣାଇ ବା ସହ ଛାତ୍ରମାନେ ଦାଖଲ କରିଥିବା ସମସ୍ତ ଆବଶ୍ୟକୀୟ କାଗଜପତ୍ର ଉପରେ ସବିଶେଷ ସୂଚନା ଦେଇଥିଲେ । ଏହାପରେ ଆଜି ଅପରାହ୍ନରେ ଛାତ୍ରମାନେ ଚାଲି ଚାଲି ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଗୁହାରୀ ଜଣାଇବାକୁ ଆସିଥିଲେ ।ଏମାନଙ୍କ ମଧ୍ୟରେ ଯଦୁନାଥ ମୁର୍ମୁ, ତାପସ କୁମାର ସିଂ, ବିଶ୍ୱନାଥ ମୁର୍ମୁ, ରଘୁନାଥ ମାର୍ଣ୍ଡି, ଜିତେନ୍ଦ୍ର ଟୁଡୁ, ମଙ୍ଗଲ ମୁର୍ମୁ, ବିଶ୍ୱନାଥ ମୁର୍ମୁ, ଶ୍ୟାମ ଚରଣ ମାଝି, ନାରାଣ ହାଁସଦାଃ, ଶଙ୍କର ମୁଣ୍ଡା, ଦିବ୍ୟଜ୍ୟୋତି ସେଠୀ, ପୂର୍ଣ୍ଣ ଚନ୍ଦ୍ର ବାସ୍କେ ପ୍ରମୁଖ ଶତାଧିକ ଛାତ୍ର ଉପସ୍ଥିତ ରହିଥିଲେ । ଛାତ୍ରମାନେ ଚାଲି ଚାଲି ଆସୁଥିବାର ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରଷୋତ୍ତମ ଦାସଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଏସପି ଅଭିମନ୍ୟୁ ନାୟକ, ବାରିପଦା ସଦର ଏସଡ଼ିପିଓ କେ ପି ପଟ୍ଟନାୟକ ବାରିପଦା ଟାଉନ ଥାନା ଅଧିକାରୀଙ୍କୁ ସହ ପୁଲିସ ଫୋର୍ସ ଧରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଛାଡ଼ିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଜିଲ୍ଲାପାଳ  ବିନୀତ ଭରଦ୍ୱାଜ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ ମଧ୍ୟ ଛାତ୍ରମାନଙ୍କ ସହ ଆଲୋଚନା କରିବାକୁ ଯାଇନଥିବାର ଦେଖିବାକୁ ମିଳିଥିଲା । ତେବେ ଛାତ୍ରମାନଙ୍କ ଅଭିଯୋଗ ଉପରେ ଉଚ୍ଚସ୍ତୟରୀୟ ତଦନ୍ତ କରାଗଲେ ବହୁ ଅକୁହା କଥା ଉପରୁ ପରଦା ହଟିବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମହାହଲରେ ମତ ପ୍ରକାଶ ପାଇଛି ।

 

 

 

 

0
0
0
s2sdefault