ହେଡଲାଇନସ୍:

 ନାବାଳକ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ , କ୍ଷତି ପୂରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୃତକଙ୍କ ପରିବାରକୁ ଠିକା କମ୍ପାନୀର ଲକ୍ଷେ ଟଙ୍କାର ସହାୟତ 

ନୂଆପଡ଼ା(ଅମିତ ପୁରୋହିତ) : ସଦର ଥାନା ପଗାରପାଣି ଗାଁର ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତକ ନାବାଳକ ଶ୍ରମିକ ଜଣ ଭଗତରାମ ମାଝି(୧୪) ।  ମଧ୍ୟାହ୍ନରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ଅପରାହ୍ନରେ ସମ୍ପୃକ୍ତ ଠିକା କମ୍ପାନୀ କତ୍ତୃପକ୍ଷ ଚିକିତ୍ସାଳୟରେ ପହଂଚି ଲକ୍ଷେ ଟଙ୍କା ଦେବାକୁ ପ୍ରତିଶୃତି ଦେବାରୁ ଶବ ବ୍ୟବଚ୍ଛେଦ ହୋଇଥିଲା । ହେଲେ ପ୍ରଶ୍ନ ଉଠୁଛି, ଠିକା କମ୍ପାନୀ କେମିତି କାମରେ ନିୟୋଜିତ କରିଥିଲା ଏଭଳି ନାବାଳକଙ୍କୁ |

    ସଦର ଥାନା ଅନ୍ତର୍ଗତ ପଗାରପାଣି ଗାଁର ସୁବାଷ ମାଝିଙ୍କ ପୁଅ ଭଗତରାମ ବିଜୁ ଏକ୍ସପ୍ରେସ ୱେ ରାସ୍ତା ନିର୍ମାଣକାରୀ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ୫ ତାରିଖରେ ନୂଆଁଖାଇ ସାରି ବରଗଡ ଜିଲ୍ଲା ପାଇକମାଲ ଥାନା ମିଠାପାଲି ନିକଟ କ୍ୟାମ୍ପକୁ କାମ କରିବାକୁ ଯାଇଥିଲେ । ଗତ କାଳି ରାତିରେ ଭଗତରାମ ଅନ୍ୟ ଶ୍ରମିକ ମାନଙ୍କ ସହ ଶୋଇଥିଲେ । ସକାଳୁ ଭଗତରାମ ହଠାତ ଅସୁସ୍ଥ ଅନୁଭବ କରି ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଠିକା କମ୍ପାନୀ କତ୍ତୃପକ୍ଷ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଚିକିତ୍ସାଳୟରେ ଡାକ୍ତର ଭଗତରାମଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଯୁବ ବିଜେଡି ପୂର୍ବତନ ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ, ଦିଲିପ ସାହୁ ପ୍ରମୁଖ ପହଂଚି ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀ କରିଥିଲେ । ନାବାଳକ ଶ୍ରମିକଙ୍କ ସନେ୍ଦହ ଜନକ ମୃତୁ୍ୟକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଥିଲା । କମ୍ପାନୀ କତ୍ତୃପକ୍ଷ ଆସି ତାଙ୍କୁ କ୍ଷତି ପୂରଣ ନଦେବା ଯାଏଁ ଶବ ବ୍ୟବଚ୍ଛେଦ କରେଇ ଦେବୁ ନାହିଁ ଜିଦ୍ରେ ଅଡି ବସିଥିଲେ । ସମ୍ପୃକ୍ତ ଠିକା କମ୍ପାନୀ କତ୍ତୃପକ୍ଷ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ସଦର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଳିଥିବା ପୁଲିସ କହିଛି । ସୂଚନା ଥାଉକି, ବିନା ପଂଜିକରଣରେ ନାବାଳକଙ୍କୁ କେମିତି ସମ୍ପୃକ୍ତ ଠିକା କମ୍ପାନୀ କାମରେ ଲଗାଇଥିଲେ । ଏମିତି ଜିଲ୍ଲାର ଅନେକ ସ୍ଥାନରେ ଠିକା କମ୍ପାନୀ ମାଲିକ ମାନେ ନାବାଳକ ମାନଙ୍କୁ କଠିନ କାମରେ ନିୟୋଜିତ କରୁଛନ୍ତି । ଏନେଇ ଅନେକ ସ୍ଥାନରେ ଶ୍ରମ ବିଭାଗ ନିକଟରେ ଖବର ନଥିବା ବେଳେ ଅନେକ ଜାଗାରେ ଶ୍ରମ ବିଭାଗ ଜାଣିଶୁଣି କିଛି ନ ଜାଣିବା ଭଳି ଅଭିନୟ କରୁଛି । ଏଥି ପ୍ରତି ଜିଲ୍ଲା ଶ୍ରମ ବିଭାଗକୁ ତାଗିତ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ବୁଦ୍ଧିଜିବୀ ଦାବୀ କରିଛନ୍ତି ।  

 

0
0
0
s2sdefault