ଘଡଘଡି ପଡ଼ି ଜଳିଗଲା ଘର,୩ ଗର୍ଭଣୀଗାଈ ଜୀବନ୍ତ ଦଗ୍ଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖରାପ ରାସ୍ତା ଯୋଗୁଁ ବିଳମ୍ବରେ ପହଞ୍ଚିଲା ଦମକଳ ବାହିନୀ

ଜଗତସିଂହପୁର:(ରମେଶ ମହାନ୍ତି):-ଗତକାଲି ବିଳମ୍ବିତ ରାତିରେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଗୁଣ୍ଠିଲୋ ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ମହାନ୍ତିଙ୍କ ଘର ଉପରେ ଘଡଘଡି ପଡ଼ି ଦୁଇ ବଖରା ଘର ଜଳିଯିବା ସହିତ ୩ଟି ଗର୍ଭୁଣୀଗାଈ ଗାଈ ଜୀବନ୍ତ ଦଗ୍ଧହୋଇଯାଇଛି।ସୂଚନାନୁଯାୟୀ ଗତକାଲି (ବୁଧବାର)ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ହଠାତ୍ ଏକ ସୁଖିଲା ଘଡଘଡି ପଡିବାରୁ ପୁର୍ଣ୍ଣଚନ୍ଦ୍ରଙ୍କ ଘର ହୁତୁହୁତୁ ହୋଇ ଜଳିଉଠିଥିଲା। ଘରେ ଶୋଇଥିବା ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡ଼ି ପଳାଇଆସି ନିକଟସ୍ଥ ପଡିଶାଙ୍କୁ ଡାକ ପକାଇଥିଲେ।ଗ୍ରାମବାସୀ ପହଞ୍ଚି ଏହି ଭୟାବହ ଅଗ୍ନିକାଣ୍ଡକୁ ଆୟତ କରିବାକୁ ଚେଷ୍ଟା କରିବା ସହିତ ତିର୍ତ୍ତୋଲ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଏହି ଭୟାବହ ଅଗ୍ନିର ପ୍ରକୋପରେ ପୁର୍ଣ୍ଣଚନ୍ଦ୍ରଙ୍କ ଦୁଇ ବଖରା  ଘର ପୋଡି ପାଉଁଶ ହୋଇଯିବା ସହିତ ଗୁହାଳ ଘରେ ଖୁଣ୍ଟରେ ବନ୍ଧା ହୋଇଥିବା ୩ଟି ଗାଈ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲା।ଏନେଇ ପୁର୍ଣ୍ଣଚନ୍ଦ୍ରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି।ଉକ୍ତ ଗ୍ରାମର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ତିର୍ତ୍ତୋଲ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଲେ ବୋଲି ପ୍ରକାଶ କରିଛନ୍ତି।କଟକ-ପାରାଦ୍ଵୀପ ରାସ୍ତା ପାର୍ଶ୍ବରେ ଯାଇଥିବା ତାଳଦଣ୍ଡା ମୁଖ୍ୟ କେନାଲରୁ ତିର୍ତ୍ତୋଲ ବ୍ଳକ ନୂଆପଡା ଠାରୁ ବାହାରିଥିବା ୧୨ନଂ ଶାଖା କେନାଲ ବନ୍ଧ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି।ଏନେଇ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ମରାମତି କାର୍ଯ୍ୟ ହୋଇପାରିଲା ନାହିଁ।ଏହି ୧୨ନଂ ଶାଖା କେନାଲ ବନ୍ଧ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଏହି ଭୟାବହ ଅଗ୍ନିକାଣ୍ଡକୁ ଆୟତ କରାଯାଇ ପାରିଲାନାହିଁ ବୋଲି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଛି।

0
0
0
s2sdefault