ବିଜେଡିର ସଦସ୍ୟତା ନେଲେ ନବୀନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପବିତ୍ର ଗଣେଶ ପୂଜାରୁ ବିଜେଡି କଲା ସଭ୍ୟ ସଂଗ୍ରହ ଅଭିଯାନର ଶ୍ରୀଗଣେଶ 

ଓଡ଼ିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗରେ ସଫଳ ହେବ ଆମ ସଭ୍ୟ ସଂଗ୍ରହ ଅଭିଯାନ: ନବୀନ ପଟ୍ଟନାୟକ

"ପଞ୍ଚାୟତର ପ୍ରତ୍ୟେକ ୱାର୍ଡରେ ସର୍ବନିମ୍ନ ସକ୍ରିୟ ୪ଜଣ, ଏନ୍ଏସିର ପ୍ରତ୍ୟେକ ୱାର୍ଡରେ ସକ୍ରିୟ ୫ଜଣ, ପୌରପାଳିକାର ପ୍ରତ୍ୟେକ ୱାର୍ଡରେ ସକ୍ରିୟ ୧୫ ଜଣ ଏବଂ ମହାନଗର ନିଗମର ପ୍ରତ୍ୟେକ ୱାର୍ଡରେ ୪୦ଜଣ ସକ୍ରିୟ ସଭ୍ୟଙ୍କ ଜରିଆରେ ପ୍ରତ୍ୟେକ ୨୪ ଜଣ ଲେଖାଏଁ ନୂତନ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।"

ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଜୁ ଜନତା ଦଳର ନୂତନ ସଭ୍ୟ ସଂଗ୍ରହ ଅଭିଯାନକୁ ଆଜି ଦଳୀୟ କାର୍ଯ୍ୟାଳୟ ଠାରେ ଦଳର ସଭାପତି ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ଚାଲିବ । ଦଳୀୟ କାର୍ଯ୍ୟାଳୟରେ ଏହି ନୂତନ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦଳର ଉପ-ସଭାପତି ତଥା ଆବାହକ ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିବା ବେଳେ ଅନ୍ୟତମ ସଦସ୍ୟ ଉପ-ସଭାପତି ପ୍ରସନ୍ନ ଆଚର୍ଯ୍ୟ, ବିଧାୟକ ପ୍ରତାପ କେଶରୀ ଦେବ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାସଂଦ ଅମର ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ପ୍ରମୁଖ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ କିଭଳି ଭାବରେ ପରିଚାଳନା କରାଯିବା, ସେ ସଂପର୍କରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସଚେତନ କରାଇଥିଲେ ।  ସଭାପତି  ପଟ୍ଟନାୟକ ନୂତନ ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରଥମ ସଭ୍ୟ ଭାବେ ସଭ୍ୟପଦ ଗ୍ରହଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ତାଙ୍କ ପରେ ଭୁବନେଶ୍ୱରର ୩ ବିଧାୟକଙ୍କ ସମେତ ୧ ହଜାର ସହଯୋଗୀ-ଶୁଭେଚ୍ଛୁ ପ୍ରାଥମିକ ସଭ୍ୟ ହୋଇଥିଲେ ।

 ସଭାପତି ଉପସ୍ଥିତ ନେତୃମଣ୍ଡଳୀ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ “ପବିତ୍ର ଗଣେଶ ପୂଜା ପାଇଁ ସମସ୍ତଙ୍କୁ ଅଭିନନ୍ଦନ । ଖୁସିର କଥା ଆଜିର ଏହି ପବିତ୍ର ଦିନରେ ଆମର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ମଧ୍ୟ ଶ୍ରୀ ଗଣେଶ କରାଗଲା । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ । ସାଢେ଼ ଚାରି କୋଟି ଓଡ଼ିଶାବାସୀ ବିଜୁ ଜନତା ଦଳର ପରିବାର । ରାଜ୍ୟର ପ୍ରତି ସହର, ପ୍ରତି ଗାଁ ଓ ପ୍ରତି ଘରୁ ବିଜୁ ଜନତା ଦଳ ଆଶୀର୍ବାଦ ପାଇଆସିଛି । ଏହି ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ଆମେ ପୁଣିଥରେ ସେମାନଙ୍କୁ ଭେଟିବା । ଆମର ମା’ମାନଙ୍କୁ ଭେଟିବା । ଚାଷୀ ଭାଇଭଉଣୀଙ୍କୁ ଭେଟିବା । ଯୁବକମାନଙ୍କୁ ଭେଟିବା । ସାଧାରଣ ଲୋକଙ୍କୁ ଭେଟିବା । ସେମାନଙ୍କ ଆଶୀର୍ବାଦ ନେବା । ସେମାନଙ୍କ ଭଲ ମନ୍ଦ ବୁଝିବା । ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜଭୁତ କରିବା । ମୋର ପୂରା ବିଶ୍ୱାସ, ଓଡ଼ିଶାବାସୀଙ୍କ ସହଯୋଗରେ ଆମର ସଭ୍ୟ ସଂଗ୍ରହ ଅଭିଯାନ ସଂପୂର୍ଣ୍ଣ ସଫଳ ହେବ ।”

କାର୍ଯ୍ୟକ୍ରମର ଶେଷରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଦଳର କୋଷାଧ୍ୟକ୍ଷ ସୁବାସ ସିଂହ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରାଜକିଶୋର ଦାସ, ପୂର୍ବତନ ବିଧାୟକ ଆୟୁବ ଖାଁ, ପୂର୍ବତନ ବିଧାୟକ ଅନୁପ ସାଏ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ପୂର୍ବତନ ଡେପୁଟି ମେୟର କେ. ଶାନ୍ତି, ଭାରତୀ ସିଂହ, ପୂର୍ବତନ କର୍ପୋରେଟର୍ ମହାମାୟା ସ୍ୱାଇଁ, ସଂପାଦକ ବିରଞ୍ଚô ନାରାୟଣ ମହାସୁପକାରଙ୍କ ସମେତ ବହୁ ପୂର୍ବତନ କର୍ପୋରେଟର୍, ଦଳର ବହୁ କାର୍ଯ୍ୟକର୍ତ୍ତା ଓ ସଭ୍ୟ ହେବା ପାଇଁ ଆସିଥିବା ଭଦ୍ରବ୍ୟକ୍ତି, ଭଦ୍ର ମହିଳା ଉପସ୍ଥିତ ଥିଲେ ।

ଏହି ଅବସରରେ ନୂତନ ସଭ୍ୟ ସଂଗ୍ରହ ନିମନ୍ତେ ଦଳ ତରଫରୁ www.joinbjd.com ୱେବସାଇଟ  ଉନ୍ମୋଚନ କରାଯାଇଛି । ଖୁବଶୀଘ୍ର ମୋବାଇଲ୍ ଆପ୍ ମଧ୍ୟ ଉନ୍ମୋଚନ କରାଯିବ । ପଞ୍ଚାୟତର ପ୍ରତ୍ୟେକ ୱାର୍ଡରେ ସର୍ବନିମ୍ନ ସକ୍ରିୟ ୪ଜଣ, ଏନ୍ଏସିର ପ୍ରତ୍ୟେକ ୱାର୍ଡରେ ସକ୍ରିୟ ୫ଜଣ, ପୌରପାଳିକାର ପ୍ରତ୍ୟେକ ୱାର୍ଡରେ ସକ୍ରିୟ ୧୫ ଜଣ ଏବଂ ମହାନଗର ନିଗମର ପ୍ରତ୍ୟେକ ୱାର୍ଡରେ ୪୦ଜଣ ସକ୍ରିୟ ସଭ୍ୟଙ୍କ ଜରିଆରେ ପ୍ରତ୍ୟେକ ୨୪ ଜଣ ଲେଖାଏଁ ନୂତନ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରକାଶଥାଉକି, ରାଜ୍ୟସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ୨ଥର ବୈଠକ ପରେ ସଭାପତିଙ୍କୁ ତା’ର ରୂପରେଖ ଅବଗତ କରାଯାଇଥିଲା ଏବଂ ଗତକାଲି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ନବ ନିର୍ବାଚିତ ଓ ପୁନଃ ନିର୍ବାଚିତ ବିଧାୟକ/ବିଧାୟିକା, ସାଂସଦ, ଜିଲ୍ଳା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକର୍ତ୍ତା ଓ ଛାମୁଆ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହିତ ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ବିସ୍ତୃତ ଉପସ୍ଥାପନା ଓ ମତ ବିନିମୟ ହୋଇଥିଲା । ଆଗାମୀ କାଲି ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ୨ ସପ୍ତାହ ମଧ୍ୟରେ ଜିଲ୍ଲା, ବ୍ଲକ ଓ ନଗରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆଗେଇ ନିଆଯିବ ବୋଲି ଦଳର ଉପ-ସଭାପତି ତଥା ରାଜ୍ୟ ସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

 

0
0
0
s2sdefault