ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ୨୫୪.୪୨ କୋଟି ଟଙ୍କା ବ୍ୟୟ ବରାଦରେ ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହା ମାଧ୍ୟମରେ ପୌରପରିଷଦରେ ବସବାସ କରୁଥିବା ପ୍ରାୟ ୨ ଲକ୍ଷ ସହରବାସୀଙ୍କ ଆବଶ୍ୟକତାକୁ ପୂରଣ କରିପାରିବ । ବିଭାଗ ପକ୍ଷରୁ ୨୦୨୦ରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସମୟରେ ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ ପକ୍ଷରୁ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ନେଇ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ଅସୀତ ମହାନ୍ତି ଓ ସୁରେଶ ବେହେରା ପ୍ରମୁଖଙ୍କ ସହ ଜନ ସ୍ୱାସ୍ଥ୍ୟ ବିଭାଗର ଉପ-ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ନେଇ ପତୂରୀଠାରେ ଅନୁଷ୍ଠିତ ବୈଠକ ମାଧ୍ୟମରେ ସମୀକ୍ଷା କରିଥିଲେ ଏବଂ ଜମ୍ଭୀରାଠାରୁ ୧.୭ କି.ମି ଦୀର୍ଘ ପାଇପ୍ ବିଛାଇବା କାର୍ଯ୍ୟ ସ୍ଥାନୀୟ ଜନସାଧାରଣଙ୍କ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ଓ ଥଇଥାନର ନୂତନ ନୀତି ଅନୁସାରେ କ୍ଷତି ପୂରଣ ଦାବିରେ ବିରୋଧ ଜନ ଆନେ୍ଦାଳନ କାରଣରୁ ସମ୍ଭବ ହୋଇପାରିନଥିବାର ଜଣାପଡ଼ିଥିଲା । ଏହାକୁ ନେଇ ରାଜ୍ୟ ସରକାରଙ୍କ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନର ରାସ୍ତା ବାହାର କରିବେ ବୋଲି ସାଂସଦ ଶ୍ରୀମତୀ ହେମ୍ବ୍ରମ ପ୍ରତିଶ୍ରୁତି ଦେବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମାପ୍ତ କରାଇବା ନିମନ୍ତେ ନିର୍ମାଣ କାର୍ଯ୍ୟକୁ ଯାରି ରଖିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।












