ନବରଙ୍ଗପୁର, ତା. ୦୯.୦୭.୨୦୨୬: ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ଏବଂ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିଶା (DISHA) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଯୋଜନା, ଜିଲ୍ଲାର ବିକାଶମୂଳକ ପ୍ରକଳ୍ପ, ଚାଲୁଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ, ଲୋକକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ଓ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଉପରେ ବିଭାଗଭିତ୍ତିକ ସମୀକ୍ଷା କରାଯାଇଥିଲା।
ବୈଠକରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା, ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ଜିଲ୍ଲାପାଳ ଡା. ମହେଶ୍ୱର ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଜି ନାରାୟଣ ଦର୍ବାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ଡା. ମହେଶ୍ୱର ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ବିଭିନ୍ନ ବିଭାଗର ଅଧିକାରୀମାନେ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଯୋଜନାଭିତ୍ତିକ ଅଗ୍ରଗତି, ଲକ୍ଷ୍ୟ ହାସଲ, ଚ୍ୟାଲେଞ୍ଜ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ସମୀକ୍ଷା ସମୟରେ ଜିଲ୍ଲାର ରେଳ ସଂଯୋଗୀକରଣ, ବିଶେଷକରି ନବରଙ୍ଗପୁର–ଜୟପୁର ଓ ନବରଙ୍ଗପୁର–ଜୁନାଗଡ଼ ରେଳ ପ୍ରକଳ୍ପର ଅଗ୍ରଗତି, ଭାରତମାଳା ପ୍ରକଳ୍ପ, ବ୍ୟାଙ୍କିଙ୍ଗ ସେବାର ବିସ୍ତାର, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, କୃଷି ଓ କୃଷକ କଲ୍ୟାଣ ଯୋଜନା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ, ଗ୍ରାମୀଣ ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ଅନ୍ୟାନ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାର ଅଗ୍ରଗତି ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଇଥିଲା।
ନିଜ ଅଭିଭାଷଣରେ ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସମୟୋପଯୋଗୀ ଭାବେ ପହଞ୍ଚିବା ସୁନିଶ୍ଚିତ କରିବା ସମସ୍ତ ବିଭାଗର ପ୍ରାଥମିକ ଦାୟିତ୍ୱ। ଏଥିପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ମିଶନ ମୋଡ୍ରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ଗୁଣାତ୍ମକ ମାନ ବଜାୟ ରଖିବା ସହ ନିୟମିତ କ୍ଷେତ୍ର ପରିଦର୍ଶନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲାର ଗୋଦାବରୀଶ ବିଦ୍ୟାଳୟର ସାମଗ୍ରିକ ବିକାଶ, ଆଧୁନିକ ଭିତ୍ତିଭୂମିର ବିକାଶ ଏବଂ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଶିକ୍ଷା କ୍ଷେତ୍ରର ଗୁଣାତ୍ମକ ବିକାଶ ଜିଲ୍ଲାର ସାମଗ୍ରିକ ବିକାଶର ଭିତ୍ତିଭୂମି।
ଜିଲ୍ଲାପାଳ ଡା. ମହେଶ୍ୱର ସ୍ୱାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା, ହିତାଧିକାରୀଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଏବଂ ସମସ୍ତ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ସମୟ ମଧ୍ୟରେ ପୂରଣ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରକ୍ଷା କରିବା ପାଇଁ ସରକାରୀ ସେବା ପ୍ରଦାନରେ ସ୍ୱଚ୍ଛତା, ଦକ୍ଷତା ଓ ସମୟାନୁବର୍ତ୍ତିତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
ପରିଶେଷରେ ବୈଠକରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ଅନ୍ତର୍ବିଭାଗୀୟ ସମନ୍ୱୟ ବୃଦ୍ଧି, ଗୁଣାତ୍ମକ କାର୍ଯ୍ୟ ସୁନିଶ୍ଚିତକରଣ, ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସର୍ବାଧିକ ସୁଫଳ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
ରାଜ୍ୟ
ନବରଙ୍ଗପୁର ସଦରମହକୁମା ଠାରେ ଜିଲ୍ଲା ସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ
- Hits: 13







