ହେଡଲାଇନସ୍:

ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ରେକର୍ଡ ସଂଶୋଧନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, ୯/୭- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟରେ ଆଉ ଏକ ସଫଳତା ମିଳିଛି। ଏହିକ୍ରମରେ ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ରେକର୍ଡଭୁକ୍ତ ଜମିର ଅରିଜିନାଲ୍ ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ସଂଶୋଧନ କାର୍ଯ୍ୟ କରାଯାଇଛି। ସତ୍ୟବାଦୀ ତହସିଲରେ ମୋଟ ୩୮ ଟି ଖାତାର ରେକର୍ଡ ସଂଶୋଧନ କରାଯାଇଛି। ଯାହା ଫଳରେ ସତ୍ୟବାଦୀର ବିଭିନ୍ନ ମୌଜା ଅନ୍ତର୍ଗତ ମୋଟ ୬୯୩.୧୦୬ ଏକର ଜମିର ଖତିଆନ୍ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଏହି ଜମି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହୋଇଛି। ସତ୍ୟବାଦୀ ତହସିଲଦାର ଏହି ସମ୍ପର୍କିତ ଏକ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟରେ ଦାଖଲ କରିଛନ୍ତି। ପୂର୍ବରୁ ୪୫୮.୮୯୬ ଏକର ଜମିର ରେକର୍ଡ ସଂଶୋଧନ କରାଯାଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଲ୍ୟାଣ୍ଡ ସେଲ୍ ଆରମ୍ଭ ହେବା ପରେ ନୂତନ ଭାବେ ଆଉ ୨୩୪.୨୧ ଏକର ଜମିର ରେକର୍ଡ ସଂଶୋଧନ ହୋଇଛି।ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ଆଇନଗତ ସୁରକ୍ଷା ପାଇଁ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । ନିକଟରେ ଖୋର୍ଦ୍ଧା ଜିଲ୍ଲାର ୪୭୦୦ ଏକରରୁ ଉର୍ଦ୍ଧ୍ବ ଜମିର ରେକର୍ଡ ସଂଶୋଧନ ମହାପ୍ରଭୁଙ୍କ ନାମରେ କରାଯାଇଛି। ସେହିଭଳି ପିପିଲି ତହସିଲରେ ମଧ୍ୟ ୮୨ ଟି ଖାତାରେ ଥିବା ୭୭.୨୦ ଏକର ଜମିର ଖତିଆନ୍ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସୁରକ୍ଷା ତଥା ରାଜସ୍ବ ପ୍ରଶାସନରେ ସ୍ୱଚ୍ଛତା ବଜାୟ ରଖିବା ସହ ଭବିଷ୍ୟତରେ ଜମି ସମ୍ବନ୍ଧୀୟ ବିବାଦ ରୋକିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଅଛି। ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ଏବଂ ରାଜ୍ୟ ସରକାର ଏହି ଦିଗରେ ତତ୍ପର ଅଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉଲ୍ଲେଖ କରିଛନ୍ତି।

0
0
0
s2sdefault