ହେଡଲାଇନସ୍:

ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଶର ଭବିଷ୍ୟତ ଯୁବ ବୈଜ୍ଞାନିକମାନଙ୍କ ଉପରେ ନିର୍ଭରଶୀଳ-ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ
• ନାଇଜରକୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଆଗମନ ଏହି ଶିକ୍ଷାନୁଷ୍ଠାନକୁ ନୂଆ ପରିଚୟ ଦେଇଛି
• ମାନ୍ୟବର ଉପରାଷ୍ଟ୍ରପତିଙ୍କୁ ସମ୍ବଲପୁରୀ ଇକତ୍ ବସ୍ତ୍ର ଦ୍ୱାରା ସମ୍ମାନିତ କରିଥିବାରୁ ନାଇଜରକୁ ଧନ୍ୟବାଦ ଜଣାଇଲେ
• ଆନ୍ତର୍ଜାତୀୟ ଗବେଷଣାର ପ୍ରେରଣା କେନ୍ଦ୍ର ପାଲଟିଛି ଭୁବନେଶ୍ୱର
• ଓଡ଼ିଶାରୁ କେରଳ ପର୍ଯ୍ୟନ୍ତ 'ରେୟାର୍ ଆର୍ଥ କରିଡର' କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରୋଡମ୍ୟାପ୍ ପ୍ରସ୍ତୁତ କରିବ ନାଇଜର
• ଅବଦୁଲ କଲାମଙ୍କ "କାର୍ଯ୍ୟକାରୀ ଜ୍ଞାନ ହିଁ ପ୍ରତିକୂଳ ପରିସ୍ଥିତିକୁ ସମୃଦ୍ଧିରେ ପରିଣତ କରେ" ଉକ୍ତି ଦୋହରାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୦୯ ଜୁଲାଇ ୨୦୨୬ - ଦେଶର ଭବିଷ୍ୟତ ବର୍ତ୍ତମାନ ଯୁବ ବୈଜ୍ଞାନିକମାନଙ୍କ ଉପରେ ନିର୍ଭର କରୁଛି ଏବଂ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ ବୋଲି ଗୁରୁବାର ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Imageସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ବିକାଶରେ ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ନାଇଜର ହେଉଛି ଦେଶର ଏପରି ଏକ ବିରଳ ପ୍ରତିଷ୍ଠାନ ଯେଉଁଠାକୁ ମାତ୍ର କିଛି ବର୍ଷର ବ୍ୟବଧାନରେ ଦେଶର ତିନି ପ୍ରମୁଖ ଶୀର୍ଷ ବ୍ୟକ୍ତିତ୍ୱ ଆଗମନ କରିଛନ୍ତି। ୨୦୧୬ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ୟାମ୍ପସର ଉଦଘାଟନ କରିଥିବା ବେଳେ, ପୂର୍ବକୁ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆଜି ମାନ୍ୟବର ଉପରାଷ୍ଟ୍ରପତି ଏହି ପ୍ରତିଷ୍ଠାନକୁ ଆସି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ନାଇଜରର ଏକାଡେମିକ୍ କାଉନ୍ସିଲକୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ମାନ୍ୟବର ଉପରାଷ୍ଟ୍ରପତିଙ୍କୁ ସମ୍ବଲପୁରୀ ଇକତ୍ ବସ୍ତ୍ର ଦ୍ୱାରା ସମ୍ମାନିତ କରି ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ବ୍ରାଣ୍ଡ ଆମ୍ବାସଡର ସଦୃଶ କାର୍ଯ୍ୟ କରିଛନ୍ତି ।

ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ଶିକ୍ଷା କ୍ଷେତ୍ରରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜାତୀୟ ସ୍ତରରେ ଏହା ୪୩ ପ୍ରତିଶତ ଥିବାବେଳେ ନାଇଜର କ୍ୟାମ୍ପସରେ ମଧ୍ୟ ୪୦ ପ୍ରତିଶତ ଛାତ୍ରୀ ଅଧ୍ୟୟନ କରୁଛନ୍ତି, ଯାହାକି ଏକ ବହୁତ ସକାରାତ୍ମକ ସଙ୍କେତ । ନାଇଜର କ୍ୟାମ୍ପସରେ ଖୁବ୍ ଶୀଘ୍ର ଏକ କ୍ୟାନସର ରେଫରାଲ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସ୍ଥାପିତ ହେବାକୁ ଯାଉଛି, ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ । ଏମ୍ସ, ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଆଇଏଲଏସ, ଆଇଆଇଟି, ଆଇଏମଏମଟି ଏବଂ ନାଇଜର ପରି ସମ୍ମାନଜନକ ପ୍ରତିଷ୍ଠାନଗୁଡ଼ିକର ଉପସ୍ଥିତି ଯୋଗୁଁ ଭୁବନେଶ୍ୱର ବିଶ୍ୱସ୍ତରୀୟ ଗବେଷଣାର ପ୍ରେରଣା କେନ୍ଦ୍ର ପାଲଟିଛି ଏବଂ ନାଇଜର ଏହାର ନେତୃତ୍ୱ ନେବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି ।

Imageପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କାରାଯାଇଥିବା ୨୦୪୭ ସୁଦ୍ଧା "ବିକଶିତ ଭାରତ" ଗଠନ ପାଇଁ ଆରଡିଆଇ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଉଛି । ଏହା ସହିତ ଓଡ଼ିଶାରୁ କେରଳ ପର୍ଯ୍ୟନ୍ତ 'ରେୟାର୍ ଆର୍ଥ କରିଡର' କ୍ଷେତ୍ରରେ ନାଇଜର ଗୁରୁତ୍ୱପୂର୍ଣ୍ଣ ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଉକ୍ତି "କାର୍ଯ୍ୟକାରୀ ଜ୍ଞାନ ହିଁ ପ୍ରତିକୂଳ ପରିସ୍ଥିତିକୁ ସମୃଦ୍ଧିରେ ପରିଣତ କରେ" ବୋଲି ଦୋହରାଇଥିଲେ ।

ଏହି ସ୍ନାତକ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନାଇଜର୍‌ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ତଥା ପରମାଣୁ ଶକ୍ତି ବିଭାଗର ସଚିବ ଡକ୍ଟର ଅଜିତ କୁମାର ମହାନ୍ତି, ନାଇଜର ନିର୍ଦ୍ଦେଶକ ପ୍ରଫେସର ହୀରେନ୍ଦ୍ର ନାଥ ଘୋଷ, ନାଇଜର୍‌ର ରଜିଷ୍ଟ୍ରାର ତଥା ଡିନ୍-ଏକାଡେମିକ୍ସ ଡକ୍ଟର ପ୍ରଣୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault