ହେଡଲାଇନସ୍:

କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୪ ମହଲା କୋଠା, ୬ଟି ମୂଲ୍ୟବାନ ପ୍ଲଟ, ୪୩ ଲକ୍ଷ ଟଙ୍କା ଜମା ସହ ବହୁ ସମ୍ପତ୍ତି ଠାବ ।

କେନ୍ଦ୍ରାପଡ଼ା:୦୮/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠାବ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। କଟକ ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ଜାରି କରା ଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୪ଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି। ଏହି ଚଢ଼ାଉରେ ୫ ଜଣ ଡିଏସପି,୯ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।ଭିଜିଲାନ୍ସ ଟିମ୍ କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡୁଳି ଗୋଡ଼ିସାହିରେ ଥିବା ରବୀନ୍ଦ୍ର ନାୟକଙ୍କ ଚାରି ମହଲା ବାସଭବନ, ବାଙ୍କୀ ଥାନା ଅନ୍ତର୍ଗତ ସାହାଦାପଡ଼ାରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବର ଏବଂ କେନ୍ଦ୍ରାପଡ଼ାରେ ଥିବା ତାଙ୍କ ଅସ୍ଥାୟୀ ବାସସ୍ଥାନରେ ଏକକାଳୀନ ତଲାସି କରୁଛି।
ତଲାସି ସମୟରେ ଏପର୍ଯ୍ୟନ୍ତ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ସେଥିରେ ବାରଙ୍ଗରେ ପ୍ରାୟ ୬,୪୦୦ ବର୍ଗଫୁଟ୍ ବିଶିଷ୍ଟ ଏକ ଆଲିଶାନ ଚାରି ମହଲା ବାସଭବନ,ବାଙ୍କୀର ସାହାଦାପଡ଼ାରେ ଆଉ ଏକ ଘର, ବାରଙ୍ଗ ଅଞ୍ଚଳରେ ୬ଟି ଉଚ୍ଚ ମୂଲ୍ୟର ପ୍ଲଟ, ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା, ପ୍ରାୟ ୪୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଏକ ଗ୍ରାଣ୍ଡ ଭିଟାରା ଚାରିଚକିଆ ଗାଡ଼ି ଓ ଏକ ଦୁଇଚକିଆ ଯାନ ରହିଛି।
ଏହାଛଡ଼ା ସୁନା ଅଳଙ୍କାରର ଓଜନ ମାପ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ଆର୍ଥିକ ନିବେଶ ସମ୍ପର୍କିତ ଦଲିଲ ପତ୍ରର ଯାଞ୍ଚ ମଧ୍ୟ ଜାରି ରହିଛି। ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ଠାବ ହୋଇଥିବା ଘର ଓ ପ୍ଲଟଗୁଡ଼ିକର ମାପଚୁପ ସହ ବଜାର ମୂଲ୍ୟର ଆକଳନ କରାଯାଉଛି। ସରକାରୀ ସେବା ରେକର୍ଡ ଅନୁଯାୟୀ, ରବୀନ୍ଦ୍ର କୁମାର ନାୟକ (ଜନ୍ମ: ୨୫ ମେ ୧୯୬୯) ୮ ଅଗଷ୍ଟ ୧୯୮୮ରେ ପୁନର୍ବାସ ଯୋଜନା ଅଧୀନରେ ଫରେଷ୍ଟର ପଦରେ ମାସିକ ୧,୦୦୦ ଟଙ୍କା ପ୍ରାରମ୍ଭିକ ବେତନରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପରେ ସେ ପୁରୀ ଫରେଷ୍ଟ ଡିଭିଜନ, ଚିଲିକା ୱାଇଲ୍ଡଲାଇଫ ଡିଭିଜନ, ଚନ୍ଦକା ୱାଇଲ୍ଡଲାଇଫ ଡିଭିଜନ, ମହାନଦୀ ୱାଇଲ୍ଡଲାଇଫ ଡିଭିଜନ ଓ ସିଟି ଫରେଷ୍ଟ ଡିଭିଜନ ଭୁବନେଶ୍ୱରରେ କାର୍ଯ୍ୟ କରିଥିଲେ। ୨୧ ଜୁଲାଇ ୨୦୧୬ରେ ସେ ଡେପୁଟି ରେଞ୍ଜର ପଦକୁ ପଦୋନ୍ନତି ପାଇଥିବା ବେଳେ ୮ ଫେବୃଆରୀ ୨୦୨୧ରେ ଫରେଷ୍ଟ ରେଞ୍ଜର ପଦକୁ ଉନ୍ନୀତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜକୁ ବଦଳି ହୋଇଥିଲା ଏବଂ ସେ ଏପର୍ଯ୍ୟନ୍ତ ସେଠାରେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ କୁହା ଯାଇଛି ଯେ, ତଲାସି କାର୍ଯ୍ୟ ଜାରି ରହିଛି ଏବଂ ସମ୍ପତ୍ତିର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ ଓ ଯାଞ୍ଚ ଶେଷ ହେବା ପରେ ଅଧିକ ସୂଚନା ପ୍ରକାଶ କରାଯିବ।

0
0
0
s2sdefault