ମହାପ୍ରୟାଣ ଶବବାହକ ସେବାକୁ ସୁଦୃଢ଼ କରିବା ସହ ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଝାରସୁଗୁଡା, ୮ ଜୁଲାଇ: ଲାଇକେରା ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗ୍ରାମରେ ମହାପ୍ରୟାଣ ଶବବାହକ ଗାଡ଼ି ଉପଲବ୍ଧ ନ ହେବାରୁ ଜଣେ ମୃତକଙ୍କ ମୃତଦେହକୁ ବାଇକରେ ବୋହିବାକୁ ପଡ଼ିଥିବା ଘଟଣାକୁ ନେଇ ରାଜନୈତିକ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଦେଶ କଂଗ୍ରେସ କମିଟିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧିମଣ୍ଡଳ ଘଟଣାସ୍ଥଳ ପରିଦର୍ଶନ କରି ପୀଡ଼ିତ ପରିବାର ସହ ସାକ୍ଷାତ କରିଥିଲେ।
ପ୍ରତିନିଧିମଣ୍ଡଳ ପୀଡ଼ିତ ପରିବାରର ସଦସ୍ୟଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସେମାନଙ୍କ ପ୍ରତି ସମବେଦନା ଜଣାଇଥିଲେ। ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବ୍ୟବସ୍ଥାର ଚରମ ଅବ୍ୟବସ୍ଥାକୁ ପଦାରେ ପକାଇଥିବା ଅଭିଯୋଗ କରି କଂଗ୍ରେସ ନେତୃବୃନ୍ଦ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ମୃତଦେହ ପରିବହନ ପାଇଁ ଯଥେଷ୍ଟ ବ୍ୟବସ୍ଥା ନ ଥିବାରୁ ଏକ ଗରିବ ପରିବାରକୁ ଏଭଳି ଅମାନବୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।
ପ୍ରତିନିଧିମଣ୍ଡଳ ପକ୍ଷରୁ ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହାସହ ରାଜ୍ୟର ସମସ୍ତ ଅଞ୍ଚଳରେ ମହାପ୍ରୟାଣ ଶବବାହକ ସେବାକୁ ସୁଦୃଢ଼ ଓ ସୁବ୍ୟବସ୍ଥିତ କରିବାକୁ ମଧ୍ୟ ଦାବି କରାଯାଇଛି, ଯାହାଦ୍ୱାରା ଭବିଷ୍ୟତରେ କୌଣସି ପରିବାରକୁ ଏପରି ଦୁଃଖଦ ଓ ଅମାନବୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ନ ପଡ଼େ।
ଏହି ପ୍ରତିନିଧିମଣ୍ଡଳରେ ଜିଲ୍ଲା ସଭାପତି ଜୀବନ ସାର୍ଥକଙ୍କ ସହ ପ୍ରଶାନ୍ତ ତ୍ରିପାଠୀ, ସଞ୍ଜୟ ମହାପାତ୍ର, ଦେବାନନ୍ଦ ବାରିକ, ଶାହରୁଖ ଖାନ, ରିୟାଜ ହୁସେନ, ସନ୍ତୋଷିନୀ କିସାନ ଓ ସମ୍ବରୁ ରୋହିଦାସ ପ୍ରମୁଖ ଉପସ୍ଥିତ ଥିଲେ।







