କେନ୍ଦ୍ରାପଡ଼ା:୦୮/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ୍ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତର ନରଣପଡ଼ା ଗ୍ରାମରେ ଘଟିଥିବା ଶାବଳ ଆକ୍ରମଣ ଘଟଣା ଆଜି ଅଧିକ ଗୁରୁତର ରୂପ ନେଇଛି। ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବ୍ୟବସାୟୀ ଶଶିକାନ୍ତ ଦାସ (ମିଲୁ)ଙ୍କର ଆଜି ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକ ସହ ଉତ୍ତେଜନା ପ୍ରକାଶ ପାଇଛି।
ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସମ୍ପର୍କୀୟ ପୁତୁରା ନୀଳାଦ୍ରି ଦାସଙ୍କ ଆକ୍ରମଣରେ ଶଶିକାନ୍ତ ଦାସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।। ମୃତକ ଜଣେ ସୁପରିଚିତ ବ୍ୟବସାୟୀ ହୋଇଥିବାରୁ ଘଟଣାକୁ ନେଇ ଚାନ୍ଦୋଳ ଅଞ୍ଚଳର ବ୍ୟବସାୟୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ ଦେଖା ଦେଇଛି। ପ୍ରତିବାଦ ସ୍ୱରୂପ ସେମାନେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହାଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ଆନ୍ଦୋଳନକାରୀ ମାନଙ୍କ ଦାବି ହେଉଛି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ। ସେମାନେ ସ୍ପଷ୍ଟ କରି କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ସନ୍ତୋଷଜନକ ପଦକ୍ଷେପ ନ ନିଆଯାଏ ପର୍ଯ୍ୟନ୍ତ ସେମାନେ ରାସ୍ତାରୋକରୁ ହଟିବେ ନାହିଁ।
ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିଥିବା ଦେଖାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ରାଜ୍ୟ
ଶାବଳ ଆକ୍ରମଣରେ ଆହତ ବ୍ୟବସାୟୀଙ୍କ ମୃତ୍ୟୁ, ଟାୟାର ଜାଳି ରାସ୍ତାରୋକ; ପ୍ରଶାସନ ବିରୋଧରେ ଅସନ୍ତୋଷ ।
- Hits: 121







