ହେଡଲାଇନସ୍:

ଏମ୍‌ଭି-୭୯ ଜଳସେଚନ ବିଭାଗ ଟେଣ୍ଡରକୁ ନେଇ ଚର୍ଚ୍ଚା: ଚୁକ୍ତି ସମ୍ପାଦନ ହେଲାନି, ସରକାରୀ ନିୟମକୁ ନେଇ ଉଠିଲା ପ୍ରଶ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

​ମାଲକାନଗିରି,୦୮/୦୭/୨୭/୬(ସୁରେନ୍ଦ୍ର କୁମାର ବେମାଳ): ଏମ୍‌ଭି-୭୯ ଜଳସେଚନ ବିଭାଗ ପକ୍ଷରୁ ପ୍ରକାଶିତ ୩୭ଟି କାର୍ଯ୍ୟର ଟେଣ୍ଡର ମଧ୍ୟରୁ ଅଧିକାଂଶ କାର୍ଯ୍ୟ ରେ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ, କେବଳ ୩ ନମ୍ବର କାର୍ଯ୍ୟକୁ ନେଇ ଗତ କିଛି ଦିନ ହେବ ତୀବ୍ର ବିବାଦ ଓ ଚର୍ଚ୍ଚା ଲାଗି ରହିଛି।
​ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଠିକାଦାର ରାଜେନ୍ଦ୍ର ବିଶୋଇ ଉକ୍ତ କାର୍ଯ୍ୟ ପାଇଁ ସର୍ବନିମ୍ନ ଦର ରେ ଦରପତ୍ର ଦାଖଲ କରିଥିଲେ। ସରକାରୀ ନିୟମ ଅନୁଯାୟୀ ସେ L-1 ଭାବେ ମନୋନୀତ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଚୁକ୍ତି ସମ୍ପାଦନ ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ସେ ନିର୍ଦ୍ଧାରିତ ଦିନରେ ବିଭାଗୀୟ କାର୍ଯ୍ୟାଳୟରେ ଉପସ୍ଥିତ ହୋଇନଥିଲେ।
ଚୁକ୍ତି ସମ୍ପାଦନର ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିବା ପରେ ଶ୍ରୀ ବିଶୋଇ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏମ୍‌ଭି-୭୯ ଅଞ୍ଚଳରେ ତାଙ୍କ ଉପରେ ଆକ୍ରମଣ, ଧମକ ଓ ଗୁଣ୍ଡାଗିରିର ଆଶଙ୍କା ଥିବା ଦର୍ଶାଇ ସେ ସୁରକ୍ଷା ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ଚୁକ୍ତି ସମ୍ପାଦନର ଶେଷ ଦିନରେ ପୋଲିସ ପ୍ରଶାସନ ପକ୍ଷରୁ ଏମ୍‌ଭି-୭୯ ଜଳସେଚନ ବିଭାଗ କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଥାନାର ଆଇଆଇସି ଓ ଏସ୍‌ଆଇ ଦିନତମାମ କାର୍ଯ୍ୟାଳୟରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ।
ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସନୋଜ ସାହୁ ଶ୍ରୀ ବିଶୋଇଙ୍କୁ ପଚାରିଥିଲେ ଯେ, ଚୁକ୍ତି ସମ୍ପାଦନ ପାଇଁ ପୂର୍ବରୁ ତିନୋଟି ତାରିଖ ନିର୍ଦ୍ଧାରିତ ହୋଇଥିବା ସତ୍ତ୍ୱେ ସେ କାହିଁକି ଉପସ୍ଥିତ ହୋଇନଥିଲେ ଏବଂ ଏହାର କୌଣସି ପ୍ରମାଣ ଥିଲେ ଦାଖଲ କରିବାକୁ କହିଥିଲେ। କିନ୍ତୁ ସେ ସେଭଳି କୌଣସି ସନ୍ତୋଷଜନକ ପ୍ରମାଣ ଦେଇପାରିନଥିଲେ। ଫଳରେ ନିର୍ଦ୍ଧାରିତ ସମୟ ସୀମା ଶେଷ ହୋଇଯାଇଥିବାରୁ ଏବେ ଚୁକ୍ତି ସମ୍ପାଦନ କରିବାର କୌଣସି ବ୍ୟବସ୍ଥା ନିୟମରେ ନଥିବା କଥା ବିଭାଗ ସ୍ପଷ୍ଟ କରିଛି। ଏହା ସହ ଘଟଣାର ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ, ଏମ୍‌ଭି-୭୯ ଠିକାଦାର ସଂଘର ସଦସ୍ୟମାନେ କହିଛନ୍ତି ଯେ ଟେଣ୍ଡର ପୂର୍ବରୁ ସମସ୍ତ ଠିକାଦାର ବୈଠକ କରି ସମସ୍ତ କାର୍ଯ୍ୟକୁ ଦରପତ୍ର ଦାଖଲ କରିବାକୁ ସହମତି ପ୍ରକାଶ କରିଥିଲେ। କିନ୍ତୁ କେବଳ ଗୋଟିଏ ଦରପତ୍ରରେ ଦାଖଲ ହୋଇଥିବାରୁ ଏହାକୁ ନେଇ ଆଲୋଚନା କରିବା ପାଇଁ ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେଠାରେ କୌଣସି ପ୍ରକାର ଗୁଣ୍ଡାଗିରି କିମ୍ବା ଆକ୍ରମଣ ଘଟିନଥିବା ବୋଲି ସେମାନେ ଦାବି କରିଛନ୍ତି।
ତାରକେଶ୍ୱର ଠିକାଦାର ସଂଘ ପକ୍ଷରୁ ଏହି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଯାଇଛି। ନିର୍ଦ୍ଧାରିତ ଚୁକ୍ତି ସମୟ ସୀମା ଅତିକ୍ରମ କରିବା ପରେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କୁ କିପରି ପୁନର୍ବାର କାର୍ଯ୍ୟାଳୟକୁ ଡକାଯାଇ ଚୁକ୍ତି ସମ୍ପାଦନର ପ୍ରକ୍ରିୟା ଚାଲିପାରିବ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେହିପରି, ଯଦି L-1 ଠିକାଦାର ୨୦ ଦିନ ମଧ୍ୟରେ ଚୁକ୍ତି ସମ୍ପାଦନ କରିନଥିଲେ, ତେବେ ବିଭାଗ କାହିଁକି ପରବର୍ତ୍ତୀ ଯୋଗ୍ୟ (L-2) ଦରଦାତାଙ୍କୁ ସୁଯୋଗ ଦେଲାନି ଏବଂ ଏତେଦିନ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରାଗଲା, ତାହାର ସ୍ପଷ୍ଟୀକରଣ ଦାବି କରାଯାଇଛି।
​ଆଜି କାର୍ଯ୍ୟାଳୟ ପରିସରରେ ପୋଲିସ ଉପସ୍ଥିତି ଯୋଗୁଁ ପରିସ୍ଥିତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା। ଠିକାଦାରମାନେ ଗଣମାଧ୍ୟମ ସମ୍ମୁଖରେ ନିଜ ମତ ରଖିଥିବା ବେଳେ ବିଭାଗ ପକ୍ଷରୁ ମଧ୍ୟ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ପଷ୍ଟ କରାଯାଇଛି।

0
0
0
s2sdefault