ହେଡଲାଇନସ୍:

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୭/୭- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀବିହାର, ପୁରୀର ୪୬ତମ ପ୍ରତିଷ୍ଠା ଦିବସ ଆଜି ବିଶ୍ୱବିଦ୍ୟାଳୟ ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ବିଶ୍ୱବ୍ୟାପୀ ଗୁରୁତ୍ୱ, ଭାରତୀୟ ଜ୍ଞାନପରମ୍ପରାରେ ଏହାର ଅବଦାନ ଓ ସଂସ୍କୃତକୁ ସମସ୍ତ ଭାଷାର ଜନନୀ ବୋଲି କହି ଉଦବୋଧନ ଦେଇଥିଲେ। ସେ ରାମାୟଣ ଓ ମହାଭାରତରେ ବର୍ଣ୍ଣିତ ବ୍ରହ୍ମାସ୍ତ୍ର, ପୁଷ୍ପକ ବିମାନ ଭଳି ବିଭିନ୍ନ ବୈଜ୍ଞାନିକ ଓ ରହସ୍ୟମୟ ଧାରଣା ସଂସ୍କୃତ ସାହିତ୍ୟରେ ନିହିତ ରହିଥିବା ବିଷୟରେ ଆଲୋକପାତ କରିଥିଲେ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ବିଶ୍ୱବିଦ୍ୟାଳୟର ଗୌରବମୟ ପରମ୍ପରା, ଶିକ୍ଷା, ଗବେଷଣା ଓ ସଂସ୍କୃତ ଭାଷାର ପ୍ରସାରରେ ଏହାର ଅବଦାନ ସମ୍ପର୍କରେ ଉପସ୍ଥାପନା କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ମଞ୍ଚରେ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ପୂର୍ବତନ କାର୍ଯ୍ୟବାହୀ କୁଳପତି ପ୍ରଫେସର ଦତ୍ତାତ୍ରେୟ ମୂର୍ତ୍ତି ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଉପସ୍ଥିତ ରହି ନିଜ ମତାମତ ପ୍ରକାଶ କରିଥିଲେ।
ଏହି ଅବସରରେ ସର୍ବଦର୍ଶନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅବସରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ଶ୍ରୀ ହରିହର ପ୍ରଧାନ, ଶ୍ରୀମତୀ ଶୋଭାବତୀ ମାନସିଂହ, ଶ୍ରୀମତୀ ସୁବର୍ଣ୍ଣା ମାରାଣ୍ଡି, ଶ୍ରୀ ସୁରେନ୍ଦ୍ର ବିଶୋଇ ଏବଂ ଶ୍ରୀ ଜଗନ୍ନାଥ ପାତ୍ରଙ୍କୁ କୁଳାଧିପତି ସମ୍ମାନିତ କରିଥିଲେ।କୁଳାଧିପତିଙ୍କ କରକମଳରେ ବିଶ୍ୱବିଦ୍ୟାଳୟର ମୁଖପତ୍ର 'ଶ୍ରୀବିହାରଭାରତୀ' ଏବଂ ଗବେଷଣା ପତ୍ରିକା 'ଜଗନ୍ନାଥଜ୍ୟୋତିଃ' ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ବିଭିନ୍ନ ବିଭାଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ଜ୍ୟୋତିର୍ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ପ୍ରଦୀପ କୁମାର ଦାସ ଓ ପ୍ରେମାମଞ୍ଜରୀ ଦେବୀ ଛାତ୍ରବୃତ୍ତି ଏବଂ ନୀଳକଣ୍ଠ ଉଦଗାତା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା।ଚଳିତବର୍ଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ (+୩) ପରୀକ୍ଷାରେ ସର୍ବାଧିକ ନମ୍ବର ହାସଲ କରିଥିବା ରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟର ବ୍ୟାକରଣ ବିଭାଗର ଛାତ୍ରୀ ସୁଶ୍ରୀ ମୋନାଲି ଆଚାର୍ଯ୍ୟଙ୍କୁ "ବଂଶୀଧର ଓ ବସନ୍ତମଞ୍ଜରୀ ସମ୍ମାନ" ପ୍ରଦାନ କରାଯାଇଥିଲା। ତତ୍ସହିତ ଶିକ୍ଷାଶାସ୍ତ୍ର ବିଭାଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା।ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍.) ପକ୍ଷରୁ ଶ୍ରୀ ଅନିଲ କୁମାର ମହାନ୍ତି ଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାସେବକ ଏବଂ ଶ୍ରୀମତୀ ସୁଜାତା ଦାସଙ୍କୁ ଶ୍ରେଷ୍ଠ ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ସମ୍ମାନିତ କରାଯାଇଥିଲା।ସମଗ୍ର କାର୍ଯ୍ୟକ୍ରମକୁ ଡ. ରାଧାକାନ୍ତ ପଣ୍ଡା ଏବଂ ଡ. ନିବେଦିତା କର ସଂଯୋଜନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର ମିଡିଆ ସେଲ୍‌ର ଡ. ସସ୍ମିତା ବନ୍ଦର ନାୟକ, ଡ. ସୁଶାନ୍ତ ଶତପଥୀଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

0
0
0
s2sdefault