ପ୍ଲାଷ୍ଟିକ୍ ବ୍ୟାଗ ବଦଳରେ ସୁତୁଲି ବ୍ୟାଗ ବ୍ୟବହାର ପାଇଁ ସଙ୍କଳ୍ପ
ଓଡ଼ଗାଁ, ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ତଥା ଏନ୍ଏସି ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧରେ ୭୭ତମ ବନମହୋତ୍ସବ ଅବସରରେ ଶୁକ୍ରବାର ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣା, ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ବନପାଳ ସରିତା ବରାଳ, ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, କଦଳୀବନ୍ଧ ଓ ରଗଡ଼ିସାହି ଗ୍ରାମବାସୀ, ସାମ୍ବାଦିକ ଏବଂ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିସର ଓ ବାହାରେ ବଉଳ, ଅଁଳା, ପେସ୍ତାବାଦାମ, ଗଙ୍ଗଶିଉଳି, କରମଙ୍ଗା, ଆତ, ସଜନା, ଅମୃତଭଣ୍ଡା, ଲେମ୍ବୁ ଓ ଡାଳିମ୍ବ ସମେତ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଗତ ବର୍ଷ ଲଗାଯାଇଥିବା ସମସ୍ତ ଗଛର ସଫଳ ସଂରକ୍ଷଣ ଓ ଯତ୍ନ ନେଇଥିବାରୁ ଅତିଥିମାନେ ବିଦ୍ୟାଳୟର ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ। କେବଳ ଗଛ ଲଗାଇବା ନୁହେଁ, ତାହାର ସଠିକ୍ ଯତ୍ନ ନେଇ ବଞ୍ଚାଇ ରଖିବା ହିଁ ‘ମାଆ ପାଇଁ ଗଛଟିଏ’ ବାର୍ତ୍ତାର ପ୍ରକୃତ ସାର୍ଥକତା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଚଳିତ ବର୍ଷ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ‘ପ୍ରକୃତିମିତ୍ର ପୁରସ୍କାର’ ପାଇଥିବାରୁ ଉପସ୍ଥିତ ସମସ୍ତେ ଆନନ୍ଦ ବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପରିସର ସବୁଜମୟ ହୋଇଥିବାରୁ ବିଭିନ୍ନ ପ୍ରଜାତିର ବନ୍ୟ ପକ୍ଷୀଙ୍କ ଆଗମନ ଦେଖି ଅତିଥିମାନେ ମଧ୍ୟ ଖୁସି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ଲାଷ୍ଟିକ୍ ଓ ଜରି ବ୍ୟାଗ ବ୍ୟବହାର ବନ୍ଦ କରି ସୁତୁଲି ବ୍ୟାଗ ବ୍ୟବହାର କରିବାକୁ ସମସ୍ତେ ସଙ୍କଳ୍ପ ନେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିଙ୍କୁ ସୁତୁଲି ବ୍ୟାଗ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ରୀତା ପଣ୍ଡା ସହଯୋଗ କରିଥିଲେ।







