ହେଡଲାଇନସ୍:

ସୁନା ସଫେଇ ଆଳରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ସୁନା ଅଳଙ୍କାର ସଫେଇ କରିଦେବାର ପ୍ରଲୋଭନ ଦେଖାଇ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଠକି ନେବା ଘଟଣା ନୟାଗଡ଼ ଜିଲ୍ଲାରେ ପୁଣିଥରେ ସାମ୍ନାକୁ ଆସିଛି। ଅନେକ ସଚେତନତା ସତ୍ତ୍ୱେ ଏଭଳି ଠକେଇ ଘଟଣା ଥମିବାର ନାଁ ନେଉନାହିଁ। ସୂଚନାନୁସାରେ, ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧୀନ ଗୋପପୁର ଗ୍ରାମର ଜଣେ ମହିଳା ଏହି ଠକେଇର ଶିକାର ହୋଇଛନ୍ତି। ମହିଳାଙ୍କ ସ୍ୱାମୀ ଜୟକୃଷ୍ଣ ଗଉଡ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ସ୍କୁଲକୁ ଯାଇଥିବା ସମୟରେ ଅପରାହ୍ନ ପ୍ରାୟ ୧ଟା ବେଳେ କିଛି ଅଜଣା ବ୍ୟକ୍ତି ଘର ନିକଟରେ ପହଞ୍ଚିଥିଲେ । ସେମାନେ ଗ୍ରାମର ଅନ୍ୟ କେତେକ ମହିଳାଙ୍କ ସୁନା ଅଳଙ୍କାର ସଫା କରିଦେଇଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇଥିଲେ। ଏଥିରେ ପ୍ରଭାବିତ ହୋଇ ମହିଳା ଜଣକ ଘରେ ଥିବା ସୁନା ଅଳଙ୍କାର ସଫା କରିବା ପାଇଁ ସେମାନଙ୍କୁ ଦେଇଥିଲେ। ଅଭିଯୋଗ ଅନୁସାରେ, ଠକମାନେ ଚତୁରତାର ସହ ଅସଲି ଅଳଙ୍କାର ବଦଳାଇ ଏକ ଡବାରେ ନକଲି ପିତଳ ଅଳଙ୍କାର ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କ କଥା ଅନୁଯାୟୀ କିଛି ସମୟ ପରେ ଡବା ଖୋଲିବା ପରେ ମହିଳା ଜଣକ ନିଜର ସୁନା ଅଳଙ୍କାର ବଦଳରେ ନକଲି ଅଳଙ୍କାର ଦେଖି ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ଏନେଇ ଏପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ବେଳେ ପୀଡ଼ିତା ମୌଖିକ ଭାବେ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଜଣାପଡ଼ିଛି। ଏଭଳି ଘଟଣାକୁ ଦୃଷ୍ଟିରେ ରଖି ଅଜଣା ବ୍ୟକ୍ତିଙ୍କ ପ୍ରଲୋଭନରେ ପଡ଼ି ସୁନା ଅଳଙ୍କାର କିମ୍ବା ଅନ୍ୟ ମୂଲ୍ୟବାନ ସାମଗ୍ରୀ ସେମାନଙ୍କ ହାତକୁ ନଦେବାକୁ ସାଧାରଣ ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି।

0
0
0
s2sdefault