ହେଡଲାଇନସ୍:

ବହୁ ଥାନାରୁ ବାଇକ୍ ଚୋରି କରୁଥିଲା ଗ୍ୟାଙ୍ଗ୍‌, ବ୍ରାହ୍ମଣୀତରଙ୍ଗ ପୋଲିସର ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା) : ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଏକ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ କରି ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଚୋରା ମୋଟରସାଇକେଲ୍ ଜବତ କରାଯାଇଛି। ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ କେସ୍ ନଂ-୩୫୧, ତାରିଖ ୦୩.୦୭.୨୦୨୬ରେ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧.୩୦ଟା ସମୟରେ ଏଏସ୍‌ଆଇ ଏସ୍‌.ବି. ବିଶ୍ୱାଳ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଯାନବାହନ ଯାଞ୍ଚ କରୁଥିବା ବେଳେ କୁଆରମୁଣ୍ଡା ପଟୁ ବେଦବ୍ୟାସ ଅଭିମୁଖେ ଯାଉଥିବା ଏକ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ରୋ ମୋଟରସାଇକେଲ୍‌କୁ ଅଟକାଇଥିଲେ। ଚାଳକଙ୍କୁ ଗାଡ଼ିର କାଗଜପତ୍ର ମାଗିବାରୁ ସେ କୌଣସି ବୈଧ ଦସ୍ତାବିଜ ଦେଖାଇ ପାରିନଥିଲେ।

ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ ମୋଟରସାଇକେଲ୍‌ଟି ବଣାଇ ଅଞ୍ଚଳରୁ ଚୋରି ହୋଇଥିଲା ଏବଂ ଏହାକୁ ବିକ୍ରି କରିବା ପାଇଁ ଆଇଡିସି ଅଞ୍ଚଳକୁ ନିଆଯାଉଥିଲା। ଗିରଫ ଅଭିଯୁକ୍ତ ଦୀନବନ୍ଧୁ ଓରଫ ଦୀନନାଥ ମୁଣ୍ଡାରୀ (୪୩) ପଚରାଉଚରା ବେଳେ ଆଉ ଏକ ହିରୋ ସ୍ପ୍ଲେଣ୍ଡର ପ୍ରୋ ବାଇକ୍ ଚୋରି କରିଥିବା ସ୍ୱୀକାର କରିଥିଲେ।

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ ଅଭିଯୁକ୍ତ ବଣାଇ, ବିଶ୍ରା, ବେଦବ୍ୟାସ, ରାଉରକେଲା ଟାଉନ୍, ସବଡେଗା, ତଲସରା, ସୁନ୍ଦରଗଡ଼ ଟାଉନ୍ ଓ ସଦର ଥାନା ଅଞ୍ଚଳରୁ ଏକାଧିକ ମୋଟରସାଇକେଲ୍ ଚୋରି କରିଥିଲେ। ଚୋରା ବାଇକ୍‌ଗୁଡ଼ିକୁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଶମ୍ଭୁ କୁମାର ବାଉରୀ ନାମକ ଜଣେ ରାଜମିସ୍ତ୍ରୀଙ୍କ ସହଯୋଗରେ ବିକ୍ରି କରୁଥିବା ସେ ସ୍ୱୀକାର କରିଥିଲେ।

ପୋଲିସ ଏହି ଘଟଣାରେ ଦୀନବନ୍ଧୁ ମୁଣ୍ଡାରୀଙ୍କ ସହ ଚୋରା ବାଇକ୍ କିଣୁଥିବା ଶମ୍ଭୁ କୁମାର ବାଉରୀ (୪୦)ଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ଚୋରା ହିରୋ ସ୍ପ୍ଲେଣ୍ଡର ପ୍ରୋ ମୋଟରସାଇକେଲ୍ ଜବତ କରାଯାଇଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ସକ୍ରିୟ ବାଇକ୍ ଚୋରି ରାକେଟ୍ ବୋଲି ସନ୍ଦେହ କରାଯାଉଛି। ଏହି ରାକେଟ୍‌ରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଅନ୍ୟାନ୍ୟ ବାଇକ୍ ଚୋରି ମାମଲାରେ ସେମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।

0
0
0
s2sdefault