ହେଡଲାଇନସ୍:

ଚାଷୀ କୂଳ ପାଇଁ ବିଜେପି ସରକାର ସାଜିଛି କାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନୂଆପଡ଼ାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ

  •  ପ୍ରଶାସନିକ ବିଫଳତାରୁ ଚାଷୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ: ବିଜେଡି

  • ଧାନ ବିକି୍ର କରିନପାରି ଚାଷୀ ନେପାଳ ମାଝୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ

  • ମୃତ ଚାଷୀଙ୍କ ପରିବାରକୁ ଭେଟିଲା ବିଜେଡିର ପ୍ରତିନିଧି ମଣ୍ଡଳୀ


ଭୁବନେଶ୍ୱର, ୦୨/୦୭/୨୦୨୬: ବିଜେପି ସରକାର ଚାଷୀ କୂଳ ପାଇଁ କାଳ ସାଜିଛି । ମଣ୍ଡିରେ ଅବ୍ୟବସ୍ଥା ପାଇଁ ଟୋକନ ଥାଇ ବି ଜଣେ ଚାଷୀ ଧାନ ବିକ୍ରି କରିପାରିଲା ନାହିଁ । ଶେଷରେ ପ୍ରଶାସନିକ ବିଫଳତା ପାଇଁ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଭଳି ଦୁଃଖଦ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମୃତ ଚାଷୀ ନେପାଳ ମାଝୀଙ୍କ ପରିବାରକୁ ଭେଟିଥିଲେ ।
ନୂଆପଡ଼ା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁର ଗୋଲେଇପଡ଼ାର ଚାଷୀ ନେପାଳ ମାଝୀ (୪୫)ଙ୍କୁ ଟୋକନ ମିଳିବା ସତ୍ତ୍ୱେ ଧାନ ବିକ୍ରି କରିପାରିଲେ ନାହିଁ । ସେ ଚଳିତ ରବି ଋତୁରେ ୩ ଏକର ଜମିରେ ଧାନ ଓ ୨ ଏକର ଜମିରେ ଚିନାବାଦାମ ଚାଷ କରିଥିଲେ । ଧାନ ବିକ୍ରି ପାଇଁ ଆବେଦନ କରି ଗତ ମେ' ୩୦ ତାରିଖରେ ଟୋକନ୍ ପାଇଥିଲେ । ୩୬.୯୬ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ତାଙ୍କୁ ଅନୁମତି ମିଳିଥିଲା । ତେବେ ମଣ୍ଡିରେ ଅବ୍ୟବସ୍ଥା ପାଇଁ ଟୋକନ ପାଇବାର ୨୪ ଦିନ ପରେ ବି ଧାନ ବିକ୍ରି କରି ନ ପାରିବାରୁ ସେ ମାନସିକ ଚାପରେ ରହୁଥିଲେ । ମଣ୍ଡିରୁ ଧାନ ଉଠିବା ଦାବିରେ ଅନ୍ୟ ଚାଷୀ ମାନଙ୍କ ସହ ସାମିଲ ହୋଇ ସେ ସିଏସଓ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ । କିନ୍ତୁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ବିଭାଗୀୟ ଅଧିକାରୀ ଚାଷୀଙ୍କ ଅଭିଯୋଗକୁ କୌଣସି ଗୁରୁତ୍ୱ ଦେଇନଥିଲେ । ଧାନ କ୍ରୟରେ ବିଳମ୍ୱ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଧାର ଉଧାର ଶୁଝିବା ଓ ପରିବାର ପ୍ରତିପୋଷଣ ପାଇଁ ଚାପରେ ରହି ମାନସିକ ଭାରସାମ୍ୟ ହରାଇ ସୋମବାର ଅପରାହ୍ନରେ ବିଷ ପିଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ।
ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କ ଜୀବନ ଶସ୍ତା ହୋଇଛି । ଜଣେ ଅନ୍ନଦାତା ଅସହାୟ ହୋଇ ଆତ୍ମହତ୍ୟା କରିଥିବା ବେଳେ ଡବଲ ଇଞ୍ଜିନ ସରକାର ଚୁପ ହୋଇ ବସିଛି । ତାଙ୍କ ପରିବାର ଅସହାୟ ଅବସ୍ଥାରେ ଥିବାବେଳେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ବିଜେଡି ପ୍ରତିନିଧି ମଣ୍ଡଳୀ ନୂଆପଡ଼ା ଗସ୍ତ କରି ସ୍ୱର୍ଗତ ନେପାଳ ମାଝୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନେପାଳ ମାଝୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଚାଷୀ ସମାଜକୁ ମର୍ମାହତ କରିଛି । ନୂଆପଡ଼ା ଜିଲ୍ଲାର ଜଡ଼ାମୁଣ୍ଡା, ଧରମବନ୍ଧ, ମୋଟା ନୂଆପଡା, ବେଲଟୁକୁରୀ ଆଦି ଧାନ ମଣ୍ଡି ପରିଦର୍ଶନ କରିଥିଲା ପ୍ରତିନିଧି ମଣ୍ଡଳୀ । ଧାନ କ୍ରୟରେ ଅବ୍ୟବସ୍ଥା, ମଣ୍ଡି ବ୍ୟବସ୍ଥାରେ ଥିବା ତ୍ରୁଟି ବାବଦରେ ଚାଷୀ ମାନେ ପ୍ରତିନିଧି ମଣ୍ଡଳୀକୁ ଜଣାଇଥିଲେ ।
ନୂଆପଡ଼ା ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପାଇଁ ୨୦ ଦିନରୁ ଊଦ୍ଧ୍ୱର୍ ସମୟ ବିଳମ୍ୱରେ ମଣ୍ଡିରୁ ଧାନ କିଣା ଆରମ୍ଭ ହେବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୫ ଲକ୍ଷ କ୍ୱିଣ୍ଟାଲ ଧାନ ପଡ଼ିରହିଛି । ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କୁ ଅନେକ ଦିନ ଧରି ମଣ୍ଡିରେ ଅପେକ୍ଷା କରି ରହିବାକୁ ପଡ଼ୁଛି । ଚାଷୀର କଷ୍ଟ ଉପାର୍ଜିତ ଧାନ ଖୋଲା ଆକାଶ ତଳେ ମଣ୍ଡିରେ ପଡ଼ି ରହିଥିବାରୁ ବର୍ଷାରେ ଓଦା ହୋଇ ସେଥିରୁ ଗଜା ବାହାରିଲାଣି । ଏହାଦ୍ୱାରା ଚାଷୀ ଆର୍ଥିକ କ୍ଷତି ସହିବା ସହ ମାନସିକ ଚାପରେ ରହୁଛନ୍ତି । ଧାନ ବିକି୍ର ପାଇଁ ମଣ୍ଡିରେ ରହିବାକୁ ପଡୁଥିବାରୁ ଚାଷୀ ଚାଷଜମିକୁ ଫେରି ଖରିଫ ଚାଷ ଆରମ୍ଭ କରିପାରୁ ନାହାନ୍ତି । ଏନେଇ ବିଜେଡି ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି କରିଥିଲା ଯେ, ସ୍ୱର୍ଗତ ଶ୍ରୀ ନେପାଳ ମାଝୀଙ୍କ ପରିବାରକୁ ପର୍ଯ୍ୟାପ୍ତ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯାଉ । ମୃତ ଚାଷୀ ନେପାଳ ମାଝୀଙ୍କ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉ । କୌଣସି ଚାଷୀ ଯେପରି ନିଜ ଉତ୍ପାଦିତ ଧାନ ବିକ୍ରୟରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧାନ କ୍ରୟର ସମୟସୀମା ବୃଦ୍ଧି କରାଯାଉ । ନୂଆପଡ଼ା ଜିଲ୍ଲାର ସମସ୍ତ ମଣ୍ଡିରେ ପଡ଼ି ରହିଥିବା ସମସ୍ତ ଧାନକୁ ସରକାର ତୁରନ୍ତ ଉଠାନ୍ତୁ । ଧାନର ସଂରକ୍ଷଣ, ଉଠାଣ ଓ ପରିବହନର ସମ୍ପୂର୍ଣ୍ଣ ଦାୟିତ୍ୱ ସରକାର ଓ କ୍ରୟ ସଂସ୍ଥା ମାନେ ବହନ କରନ୍ତୁ । ଚାଷୀ ମାନଙ୍କୁ ତୁରନ୍ତ ମଣ୍ଡି ଛାଡ଼ି ନିଜ ଚାଷଜମିକୁ ଫେରିବାକୁ ସୁଯୋଗ ଦିଆଯାଉ । ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୃତ ଚାଷୀଙ୍କ ଶୋକସନ୍ତପ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ସହ ନୂଆପଡ଼ା ଜିଲ୍ଲାର ହଜାର ହଜାର ଚାଷୀଙ୍କ ସ୍ୱାର୍ଥ ନିମନ୍ତେ ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ବିଜେଡି ପ୍ରତିନିଧି ମଣ୍ଡଳୀ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାୟୀ ବିଜେପି ସରକାର ଚାଷୀ ମାନଙ୍କ ସମସ୍ୟାକୁ ଅଣଦେଖା ନକରି ତୁରନ୍ତ ସମଧାନ କରନ୍ତୁ । ନଚେତ ଚାଷୀକୂଳର ସମ୍ମାନ ଓ ନ୍ୟାୟ ପାଇଁ ବିଜୁ ଜନତା ଦଳର ଲଢ଼େଇ ଜାରି ରହିବ ।
ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ସାଧାରଣ ସମ୍ପାଦକ ମନୋଜ ମିଶ୍ର, ସମ୍ପାଦକ ରାଜେଶ ନିଗମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ମହିଳା ଜିଲ୍ଲା ସଭାନେତ୍ରୀ ସନ୍ତୋସୀନି ସଲମା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କର, ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ବିଜେଡ଼ି ଯୁବ ଜିଲ୍ଲା ସଭାପତି ମନୋଜ ଦୀପ, ପୂର୍ବତନ ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଟିଙ୍କୁ ପଣ୍ଡା, ଉମେଶ ସହିସ୍, ନୂଆପଡା ବ୍ଲକ ସଭାପତି ଚୁରନ ସିଂ ମାଝୀ, କୋମନା ବ୍ଲକ ସଭାପତି କ୍ଷମା ସିଂ ନିଆଲ, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ବାଗ୍, ଯୋଗେନ୍ଦ୍ର ମାଝୀ, ଯୋଗେନ୍ଦ୍ର ପାଣ୍ଡେ, ଖରିଆର ରୋଡ ଏନଏସି ସଭାପତି ଅନୁପ ଦୀପ, ଖଡ଼ିଆଳ ବ୍ଲକ ସଭାପତି ହୀରାଧର ମେହେର, ସରସ୍ୱତୀ ବାଗ, ତନ୍ମୟ ବାଗ, ଜଡ଼ାମୁଣ୍ଡା ସରପଞ୍ଚ ସୁରୁସିଂ ମାଝୀ ପ୍ରମୁଖ ସାମିଲ୍ ଥିଲେ ।

0
0
0
s2sdefault