ହେଡଲାଇନସ୍:

ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ସ୍ମୃତିରେ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି, ଝାରସୁଗୁଡ଼ା ପକ୍ଷରୁ ବିଶିଷ୍ଟ ସମାଜସେବୀ, ସମାଜ ସଂଗଠକ ତଥା ସମସ୍ତଙ୍କର ପ୍ରିୟ ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ସ୍ମୃତିରେ ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ସଂଗଠନର ପଦାଧିକାରୀ, ସଦସ୍ୟ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ଶୁଭେଚ୍ଛୁ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ଗୁଆଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ବକ୍ତାମାନେ ତାଙ୍କ ଜୀବନ ସଂଘର୍ଷ, ସମାଜ ପ୍ରତି ଅବଦାନ, ନିଷ୍ଠାପୂର୍ଣ୍ଣ ସେବାଭାବ ଏବଂ ସରଳ, ନମ୍ର ଓ ଆଦର୍ଶପୂର୍ଣ୍ଣ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ସ୍ୱର୍ଗତ ଗୁଆଲ ସାମାଜିକ ଐକ୍ୟ, ଭ୍ରାତୃଭାବ ଓ ଜନସେବାକୁ ସର୍ବଦା ଗୁରୁତ୍ୱ ଦେଇଆସୁଥିଲେ। ସମାଜର ଅସହାୟ, ଅବହେଳିତ ଓ ଦୁର୍ବଳ ବର୍ଗର ଲୋକଙ୍କ ସହାୟତା ପାଇଁ ସେ ସଦା ଆଗଭର ରହୁଥିଲେ। ତାଙ୍କର ଜୀବନାଦର୍ଶ ଓ କର୍ମମୟ ଜୀବନ ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ବକ୍ତାମାନେ ଆହୁରି କହିଥିଲେ ଯେ, ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ଝାରସୁଗୁଡ଼ା ଜିଲ୍ଲା ଏବଂ ସାମାଜିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ତ୍ୟାଗ, ନିଷ୍ଠା, ମାନବିକତା ଓ ସମାଜ ପ୍ରତି ଥିବା ସମର୍ପଣ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ଏବଂ ଆଗାମୀ ପିଢ଼ିକୁ ସମାଜସେବା ପାଇଁ ପ୍ରେରଣା ଯୋଗାଇବ। ଶେଷରେ ସଂଗଠନ ପକ୍ଷରୁ ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଲକ୍ଷ୍ମୀ ଚରଣ ପାଲ, ଉପସଭାପତି ରତ୍ନାକର ପ୍ରଧାନ, ସଂଗଠନ ସମ୍ପାଦକ ପ୍ରଭାକର ଓରାମ, ସମ୍ପାଦକ ରବୀନ୍ଦ୍ର ସୋହେଲା, କୋଷାଧ୍ୟକ୍ଷ ଜିତେନ୍ଦ୍ରୀୟ ଧୁରୁଆ, ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ସଭାପତି ଗୋପୀନାଥ ମାଝୀ, ବିଶିଷ୍ଟ ସାମାଜିକ କର୍ମୀ ବିରଞ୍ଚି ସାହୁ, କବି ପ୍ରେମସାଗର ଦେହେରିଆ, ଆଇନା ପତ୍ରିକାର ସମ୍ପାଦକ କ୍ଷେତ୍ରବାସୀ ସାହୁ, ଗୋଣ୍ଡ ସମାଜର ଜିଲ୍ଲା ସଭାପତି ପ୍ରେମସାଗର ଧୁରୁଆ, ସଦସ୍ୟ ଶଙ୍କର ପୋଢ଼, ସୀତାରାମ ରୋହିଦାସ, ତ୍ରିଲୋଚନ ଡନସନା, ଜିଏସବିପି ସଦସ୍ୟ ରବୀନ୍ଦ୍ର ବାଦୀ, ତୀର୍ଥ ଲୁହା, ଦୁଃଖନାସନ ଘୁଘର, ତରଣୀସେନ ବୁଡା, ତେଜରାଜ ଲୁହା, ରୂପେଶ ମୁଣ୍ଡା, କୈଳାସ ତିଗ୍ଗା, ଗୋପି ମୁଣ୍ଡା, ପ୍ରଦୀପ ବୁଡା, ଆଇନଜୀବୀ ମନୋଜ ସୁନା, ପାର୍ଥ ଲୁହା ଏବଂ ଚୈତନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault