ଝାରସୁଗୁଡ଼ା: ସରକାରୀ ଉଚ୍ଚବିଦ୍ୟାଳୟ, ସୋଡାମାଳରେ ବିଦ୍ୟାଳୟର ବରିଷ୍ଠ ଖେଳ ଶିକ୍ଷକ ବସନ୍ତ କୁମାର ବେହେରାଙ୍କ ଅବସର ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ସରାଫଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଶିକ୍ଷକ, କର୍ମଚାରୀ, ପୂର୍ବତନ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଶ୍ରୀ ବେହେରାଙ୍କ ଦୀର୍ଘ କର୍ମମୟ ଜୀବନକୁ ସ୍ମରଣ କରିଥିଲେ।
ଝାରସୁଗୁଡ଼ା ଜିଲ୍ଲାରେ ୩୭ ବର୍ଷର ସଫଳ ଚାକିରି କାଳ ମଧ୍ୟରୁ ପ୍ରାୟ ୧୯ ବର୍ଷ ଧରି ସୋଡାମାଳ ସରକାରୀ ଉଚ୍ଚବିଦ୍ୟାଳୟରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ରହି ଶ୍ରୀ ବେହେରା ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରି ବିଦ୍ୟାଳୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ଜଣେ ନିଷ୍ଠାବାନ ଶିକ୍ଷକ ଭାବେ ସେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଇ ବିଦ୍ୟାଳୟର ସାମଗ୍ରିକ ବିକାଶରେ ନିଜକୁ ସମର୍ପିତ କରିଥିଲେ।
ସଭାରେ ଅର୍ଡା ସରକାରୀ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନ ଏବଂ ବଞ୍ଜାରୀ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ଖେଳ ଶିକ୍ଷକ ଜୀବର୍ଦ୍ଧନ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବେହେରାଙ୍କ ଶିକ୍ଷକତା, କ୍ରୀଡ଼ା କ୍ଷେତ୍ରରେ ଅବଦାନ ଓ କର୍ମନିଷ୍ଠାର ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ବରିଷ୍ଠ ଶିକ୍ଷକ ପ୍ରେମସାଗର ଦାସ, ଭରତ କୁମାର ସାହୁ, ମଦନ ମେହେର, ବରିଷ୍ଠ ଶିକ୍ଷୟିତ୍ରୀ ସାବିତ୍ରୀ ପଟେଲ, ପ୍ରମୋଦିନୀ ଏକ୍କା, ରାନୀ ମୁଣ୍ଡା, ରୁବିରାଣୀ ପଟେଲ, ପ୍ରକାଶିନୀ ନାଏକ, ଆରତୀ କାଣ୍ଡୁଲାନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଓ ଉତ୍ତରୋତ୍ତର ସୁସ୍ଥ, ସୁଖମୟ ଅବସର ଜୀବନ କାମନା କରିଥିଲେ।







