ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମୟାଧର ସାହୁଙ୍କ ଆନୁକୂଲ୍ୟରେ କଇଁପୁର ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟରେ ଆଜି (ମଙ୍ଗଳ ବାର) ଜିଲ୍ଲାର ସମସ୍ତ ପ୍ରଧାନଶିକ୍ଷକମାନଙ୍କ ପାଇଁ ଏକ ଦିବସୀୟ ‘ଶ୍ରେଣୀକକ୍ଷ ଶିକ୍ଷାଦାନ-ଶିକ୍ଷାଗ୍ରହଣ ପ୍ରକ୍ରିୟାରେ ଏଆଇ (AI) ଉପକରଣ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ICT)ର ବ୍ୟବହାର’ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଗ୍ରାମ ବିକାଶ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହେଶ ମାଡିଆଥ , ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି ଡ଼ଃ ମ।ୟାଧର ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର , ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ୱାଇ. କ୍ରିଷ୍ଣା ରାଓ ଏବଂ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ମୁଖ୍ୟ ପ୍ରଶିକ୍ଷକ ଭାବେ ବିଶିଷ୍ଟ ଏଆଇ ବିଶେଷଜ୍ଞ ଶ୍ରୀ ବିନୀତ ଅଗ୍ରୱାଲ , ଆଭେଟି (Aveti) Learning Appର ପ୍ରତିନିଧି ଶ୍ରୀ ଶିବ ପ୍ରସାଦ ଚୌଧୁରୀ ଏବଂ ଆଜିମ ପ୍ରେମଜୀ ଫାଉଣ୍ଡେସନ୍ର ସଦସ୍ୟ ଶ୍ରୀ ଜିତୁ ମିଶ୍ର ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେମାନେ ଶିକ୍ଷାଦାନରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର , ନୂତନ ଶିକ୍ଷାଶାସ୍ତ୍ର (ପେଡାଗୋଜି) , ଏନ୍ଇପି–୨୦୨୦ ଆଧାରିତ ପାଠ୍ୟ ଯୋଜନା , ଛାତ୍ରକେନ୍ଦ୍ରିକ ଶିକ୍ଷଣ ପ୍ରଣାଳୀ , ଶ୍ରେଣୀକକ୍ଷରେ ICTର ପ୍ରଭାବଶାଳୀ ବ୍ୟବହାର ଏବଂ ‘ଶିକ୍ଷକ ସହାୟକ ଭାବେ ଏଆଇ’ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଅବସରରେ ଜିଲ୍ଲାରେ ଚାଲୁଥିବା ‘ପ୍ରୟାସ’ କାର୍ଯ୍ୟକ୍ରମର ଲକ୍ଷ୍ୟ , ସଫଳତା ଓ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ‘ପ୍ରୟାସ’ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଏବଂ ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ।
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୩୦୦ ଜଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ , ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ।
ଶେଷରେ ଏଆଇ ହେଉଛି ଶିକ୍ଷକଙ୍କ ବିକଳ୍ପ ନୁହେଁ , ବରଂ ଏକ ଶକ୍ତିଶାଳୀ ସହାୟକ ଉପକରଣ ବୋଲି ମତପ୍ରକାଶ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
ରାଜ୍ୟ
ଗଜପତି ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ପାଇଁ ଏଆଇ ଉପକରଣ ଓ ଆଇସିଟି ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ
- Hits: 15







