ହେଡଲାଇନସ୍:

ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଏକ ଅର୍ଥ ଶୋଷଣ କରୁଥିବା ମେସିନ ଅଟେ - ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ

  • ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ - ନରସିଂହ

  • ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତାଫା ଦାବି କଲା କଂଗ୍ରେସ


ବଲାଙ୍ଗିର, ତା.୨୭.୦୬.୨୬ - ଗତ ୧୨ ବର୍ଷ ଭିତରେ ୮୯ ଥର ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇସାରିଛି । ଏହା ଏକ ସଂଗଠିତ ଅପରାଧ ଅଟେ । ପରୀକ୍ଷା ନାଁ ରେ ସରକାର କୋଟି କୋଟି ଟଙ୍କା ଫିଜ ଆକାରରେ ଆଦାୟ କରୁଛି । ପରିସଂଖ୍ୟାନ ରୁ ଜଣାଯାଉଛି ଯେ ନିଟ୍‌, ଏସ୍‌ଏସ୍‌ସି, ଆରଆରବି, ୟୁପିଏସ୍‌ସି ଏବଂ ଜେଇଇ ରୁ ଫି ଆଦାୟ ହେଉଥିବା ୩.୫ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ବିଜ୍ଞାନ ଓ ମହିଳା ଶିଶୁ ବିକାଶ ଭଳି ୫ଟି ମନ୍ତ୍ରଣାଳୟ ବଜେଟ ସହ ସମାନ । ଏଥିରୁ ଦେଶର ଛାତ୍ର, ଯୁବକ ଏବଂ ଅଭିଭାବକ ଜାଣନ୍ତୁ ଯେ ଷଡଯନ୍ତ୍ର କରି ଛାତ୍ରମାନଙ୍କୁ ସ୍ୱପ୍ନ ଦେଖାଇ ତାଙ୍କ ଫି ପଇସାରେ ଏହି ସରକାର ତାର ମନ୍ତ୍ରଣାଳୟ ଚଲାଉଛି । ତେଣୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଏପରି ଏକ ଫର୍ମାଟ ରେ ଚାଲୁଛି ସତେ ଯେମିତି ଲାଗୁଛି ଏହି ବ୍ୟବସ୍ଥା ଏକ ଅର୍ଥ ଶୋଷଣକାରୀ ମେସିନ ଅଟେ ବୋଲି ଆଜି ସ୍ଥାନୀୟ ଏକ ଘରୋଇ ହଟେଲ ର ସମ୍ମିଳନୀ କକ୍ଷରେ କୋଟାରେ ଛାତ୍ରୋଁ କି ଗୁଞ୍ଜ ସମାବେଶ ରେ ରାହୁଲ ଗାନ୍ଧୀ ଙ୍କ ବାର୍ତ୍ତା କୁ ଘରେ ଘରେ ପହଂଚାଇବା ଲକ୍ଷ୍ୟ ନେଇ ଆଲୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ କହିଛନ୍ତି ଆଜି ବିଦ୍ୟାଳୟ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ବ୍ୟବସ୍ଥା ଦ୍ୱାରା କେବଳ ଛାତ୍ର ଓ ଅଭିଭାବକଙ୍କୁ ଆର୍ଥିକ ଶୋଷଣ କରାଯାଉଛି । ତେଣୁ ବର୍ତ୍ତମାନର ସମୟରେ ଶିକ୍ଷା ବ୍ୟବସ୍ଥାରେ କେବଳ ସରକାରୀ ସ୍କୁଲ କଲେଜ ରହିବା କଥା ଯେଉଁଠାରେ କି ସମାଜର ଗରିବ, ଧନୀ ଉଭୟ ଶ୍ରେଣୀର ଲୋକଙ୍କ ପୁଅ ଝିଅମାନେ ପାଠ ପଢିବେ । ତା ସହ ଟ୍ୟୁସନ କୁହାଯାଉ କିମ୍ବା ଚାକିରି ପାଇଁ ଦରକାର ହେଉଥିବା ସ୍ୱତନ୍ତ୍ର କୋଚିଂ ପ୍ରତ୍ୟେକ ଛାତ୍ର ଛାତ୍ରୀ କିଭଳି ପାଇପାରିବେ ତାର ବ୍ୟବସ୍ଥା ମଧ୍ୟ ସରକାର ହାତକୁ ନେବା କଥା । ସର୍ବମୋଟ ଭାବେ କହିବାକୁ ଗଲେ ଅତି କମ୍ ଖର୍ଚ୍ଚରେ ଦେଶର ଛାତ୍ର ଛାତ୍ରୀ ଶିକ୍ଷା ସହିତ ବିଭିନ୍ନ ଚାକିିରି ପାଇଁ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷାରେ ଭାଗ ନେଇ ପାରିବେ ସେ ସବୁକୁ ସରକାର ନିଜେ ଦାୟିତ୍ୱ ନେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି । ତା ସହ ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଭଳିଆ ସ୍କୁଲ ବହୁଳ ଭାବରେ ସ୍ଥାପନ କରୁ । ଯେହେତୁ ଆମ ଦେଶ ଏକ କୃଷି ପ୍ରଧାନ ଦେଶ ତେଣୁ କୃଷି ବିଦ୍ୟାଳୟ ଭଳିଆ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଜିଲ୍ଲାରେ ରହିବା ନିହାତି ବୋଲି ସେ କହିଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଦେଶ ତଥା ଆମ ରାଜ୍ୟ ସରକାରମାନେ ପ୍ରଥମିକ ସରକାରୀ ସ୍କୁଲ ଗୁଡିକରେ ଛାତ୍ର ସଂଖ୍ୟା କମ ର ଆଳ ଦେଖାଇ ଘରୋଇ ସ୍କୁଲ ଗୁଡିକୁ ପ୍ରତ୍ସୋହନ ଦେବା ପାଇଁ ହଜାର ହଜାର ସଂଖ୍ୟାରେ ପ୍ରାଥମିକ ସ୍କୁଲ ଗୁଡିକୁ ବନ୍ଦ କରି ଦେଇଛନ୍ତି । କୋଟାରେ ଦେଶର ସଂସଦର ବିରୋଧି ଦଳ ନେତା ରାହୁଳ ଗାନ୍ଧୀ ଛାତ୍ର ଙ୍କ ଉଦ୍ଦେଶ୍ୟରେ ଦେଇଥିବା ବକ୍ତବ୍ୟକୁ ଶ୍ରୀ ମିଶ୍ର ପ୍ରତ୍ୟେକ ଛାତ୍ର ଓ ଅଭିଭାବକ ଶୁଣିବା ଦରକାର ଏବଂ ଏହାକୁ ନେଇ ସେମାନେ ନିଜର ମତାମତ ପ୍ରଦାନ କରିବା ଦରକାର ଏବଂ ଯଦି ଦରକାର ହୁଏ ସରକାରଙ୍କ ଏହି ଶୋଷଣକାରୀ ଶିକ୍ଷାନୀତି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ଏଆଇସିସି ମୁଖପାତ୍ର ଡା. ହମିଦ ହୁସେନ ରାଜ୍ୟ ସରକାରଙ୍କ ପୁସ୍ତକ ଛପାରେ ୧୭୦୦ ରୁ ଉର୍ଦ୍ଧ୍ୱ ଭୁଲ ପାଇଁ କେହି କାହିଁକି ଉତ୍ତରଦାୟୀ ରହୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ସେ ସବୁ ପୁସ୍ତକକୁ ପ୍ରତ୍ୟାହାର କରି ନୁଆ ପୁସ୍ତକ ଛପାଯାଉ ବୋଲି ଦାବି କରିଥିଲେ । ତା ସହ ବର୍ତ୍ତମାନ ହୋଇଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତାଫା ଦିଅନ୍ତୁ, ଶିକ୍ଷାନୀତିରେ ନୂତନ ସଂସ୍କାର ଅଣାଯାଉ ଏବଂ ପ୍ରତ୍ୟେକ ଜାତୀୟ ସ୍ତରୀୟ ଚାକିରି ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ କ୍ୟାଲେଣ୍ଡର ରେ ଚୁଡାନ୍ତ ତାରିଖ ନିର୍ଦ୍ଧାରିତ ରହୁ ବୋଲି ଦାବି କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାନେତ୍ରୀ ଜୟନ୍ତି ପଟେଲ, ଯୁବ କଂଗ୍ରେସ ସଭାପତି ଅଙ୍କିତ ସାହୁ, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରା ପ୍ରମୁଖ କେନ୍ଦ୍ର ସରକାରଙ୍କ ଭୁଲ ଶିକ୍ଷାନୀତିକୁ କଠୋର ସମାଲୋଚନା କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର ନିଟ୍ ପ୍ରଶ୍ନ ପତ୍ର ଲିକ୍ କୁ ନେଇ ରାହୁଲ ଗାନ୍ଧୀ ନେଉଥିବା ପଦକ୍ଷେପ ରେ ସମଗ୍ର ଦେଶ ଛାତ୍ର ଛାତ୍ରୀ ଅଭିଭାବକ ଓ ସାଧାରଣ ଜନତା ସାମିଲ ହୋଇ ନିଜର ମତାମତ ଦିଅନ୍ତୁ ଯାହା ଦ୍ୱାରାକି ଅନ୍ଧକାର ଆଡକୁ ଯାଉଥିବା ଛାତ୍ର ଯୁବକ ଙ୍କ ଭବିଷ୍ୟତ ସଠିକ୍ ଦିଗରେ ଦିଆଯାଇ ପାରିବ ବୋଲି କହିବା ସହ ଉପସ୍ଥିତ ସାମ୍ବାଦିକ, ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ତାଙ୍କ ଉପସ୍ଥିତ ପାଇଁ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault