ହେଡଲାଇନସ୍:

ପୋଲିସକୁ ଦେଖି ଖସିବା ବେଳେ ଡିଭାଇଡରରେ ପିଟିହେଲା କାର୍, ୨୩୧ କେଜି ଗଞ୍ଜେଇ ଜବତ; ଜଣେ ଗିରଫ, ଜଣେ ଫେରାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ଶନିବାର: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ପୋଲିସ ଏକ ବଡ଼ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି। ବିଜୁ ଏକ୍ସପ୍ରେସୱେର ଖେରୁଆଲ ଛକ ନିକଟରେ ଏକ କାର୍‌ରୁ ୨୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ କାରବାରୀଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବୌଦ୍ଧ ଜିଲ୍ଲାରୁ ଏକ କାର୍‌ରେ ବିପୁଳ ପରିମାଣର ଗଞ୍ଜେଇ ଛତିଶଗଡ଼ର ରାୟଗଡ଼ ଅଭିମୁଖେ ଚାଲାଣ କରାଯାଉଥିଲା। ଶନିବାର ଭୋର ପ୍ରାୟ ୪ଟାରେ ଖେରୁଆଲ ଛକ ନିକଟରେ ପାଟ୍ରୋଲିଂ କରୁଥିବା ବଡ଼ମାଲ ପୋଲିସ ସନ୍ଦେହଜନକ କାର୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସକୁ ଦେଖି ଚାଳକ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ପିଟି ହୋଇଥିଲା।

ଦୁର୍ଘଟଣା ପରେ କାର୍‌ରେ ଥିବା ଦୁଇ ଜଣ ଅଭିଯୁକ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ପାଟ୍ରୋଲିଂ ଦଳ ଜଣକୁ କାବୁ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ଜଣେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତଙ୍କ ପରିଚୟ ମଧ୍ୟପ୍ରଦେଶର ବାସିନ୍ଦା ଅଙ୍କିତ ଶର୍ମା ବୋଲି ଜଣାପଡ଼ିଛି।

ଦୁର୍ଘଟଣାଗ୍ରସ୍ତ କାର୍‌ର ଯାଞ୍ଚ ସମୟରେ ସେଥିରୁ ୨୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ ବଡ଼ମାଲ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଫେରାର ଅଭିଯୁକ୍ତଙ୍କ ସନ୍ଧାନ ସହ ଏହି ଚାଲାଣ ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଏହି ରୁଟ୍‌ରେ ପୂର୍ବରୁ ମଧ୍ୟ ଏହି ଯୁବକମାନେ ଗଞ୍ଜେଇ ଚାଲାଣ ହୋଇଥିବା ସନ୍ଦେହ କରାଯାଉଛି।

0
0
0
s2sdefault