ହେଡଲାଇନସ୍:

ଓଡ଼ଗାଁ ଏନ୍.ଏ.ସି.ର ସାଗର କଲ୍ୟାଣ ମଣ୍ଡପ ନିଲାମରେ ଅନିୟମିତତା ଅଭିଯୋଗ,ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି.) ଅଧୀନ ସାଗର କଲ୍ୟାଣ ମଣ୍ଡପର ତିନି ବର୍ଷିଆ ନିଲାମ ପ୍ରକ୍ରିୟାରେ ଅନିୟମିତତା ଓ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ଉଠିଛି। ଓଡ଼ଗାଁର ବାସିନ୍ଦା ନାରାୟଣ ମହାପାତ୍ର ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଦରଖାସ୍ତ ଅଭିଯୋଗ ଦାଖଲ କରି ଘଟଣାର ନିରପେକ୍ଷ ତଦନ୍ତ ସହ ପୁନଃ ନିଲାମ କରିବାକୁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୧୨ ଜୁନ୍ ୨୦୨୬ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୪ ଜୁନ୍ ୨୦୨୬ ତାରିଖରେ ଓଡ଼ଗାଁ ଏନ୍.ଏ.ସି. କାର୍ଯ୍ୟାଳୟରେ ନିଲାମ ଅନୁଷ୍ଠିତ ହୋଇଥିଲା। ନାରାୟଣ ମହାପାତ୍ର ଅମାନତ ରାଶି ଜମା କରି ନିଲାମରେ ଅଂଶଗ୍ରହଣ କରିଥିଲେ।
ଦରଖାସ୍ତରେ ସେ ଉଲ୍ଲେଖ କରିଛନ୍ତି ଯେ, ନିଲାମର ସର୍ତ୍ତାବଳୀରେ ସର୍ବୋଚ୍ଚ ନିଲାମଧାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ କିସ୍ତି ଜମା ନକଲେ ନିଲାମ ବାତିଲ କରି ଦ୍ୱିତୀୟ ସର୍ବୋଚ୍ଚ ନିଲାମଧାରୀଙ୍କ ସପକ୍ଷରେ ନିଲାମ ଚୂଡ଼ାନ୍ତ କରାଯିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ଅନ୍ୟ ଏକ ସର୍ତ୍ତରେ ସର୍ବୋଚ୍ଚ ନିଲାମଧାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଅମାନତ ରାଶି ତୁରନ୍ତ ଫେରସ୍ତ କରିବାକୁ କୁହାଯାଇଥିବାରୁ, ଏପରି ପରିସ୍ଥିତିରେ ଦ୍ୱିତୀୟ ସର୍ବୋଚ୍ଚ ନିଲାମଧାରୀଙ୍କୁ କିପରି ବିଚାର କରାଯିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଏହାସହ ଏନ୍.ଏ.ସି.ର ଫେସବୁକ ପୃଷ୍ଠାରେ ଅପଲୋଡ଼ ହୋଇଥିବା ନିଲାମ ଭିଡିଓରେ ଦ୍ୱିତୀୟ ସର୍ବୋଚ୍ଚ ନିଲାମ ରାଶି ସମ୍ପର୍କିତ ସଠିକ୍ ତଥ୍ୟ ପ୍ରଦର୍ଶନ କରାଯାଇନଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ସେ ୧,୬୬,୦୦୦ ଟଙ୍କା ନିଲାମ ଡାକିଥିବା ସତ୍ତ୍ୱେ ଭିଡିଓରେ ଏହାକୁ ଦର୍ଶାଯାଇନଥିବା ବେଳେ, ୧,୬୫,୫୦୦ ଟଙ୍କା ଡାକିଥିବା ଅନ୍ୟ ଜଣଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ନିଲାମଧାରୀ ଭାବେ ଦର୍ଶାଯାଇଛି। ଏଥିରୁ ଟେଣ୍ଡର ପ୍ରକ୍ରିୟାରେ କାରସାଦି ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗରେ ନାରାୟଣ ମହାପାତ୍ର ଜିଲ୍ଲାପାଳଙ୍କୁ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ନେବା ସହ ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟାକୁ ବାତିଲ କରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପୁନଃ ନିଲାମ କରିବାକୁ ଦାବି କରିଛନ୍ତି। ଆମ ନିକଟରେ ଏନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ। ଏବଂ ନିର୍ଦ୍ଧାରିତ ସର୍ତ୍ତାବଳୀକୁ ଉଲଙ୍ଘନ କରାଯାଇନାହିଁ। ଆମ ନିକଟରେ ଅଭିଯୋଗ ନକଲ ପହଞ୍ଚିଲେ ଅଭିଯୋଗ ଅନୁସାରେ ପୁନଃ ତର୍ଜମା କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ସମ୍ପୁର୍ଣ୍ଣ ଭାବେ ଅବଗତ କରାଯିବ ବୋଲି ଓଡ଼ଗାଁ ଏନ୍ଏସି ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ।

0
0
0
s2sdefault