ବାଲେଶ୍ୱର: ମହରମ୍ ଅବସରରେ ହଜରତ ଇମାମ ହୁସେନ (ରଜି.)ଙ୍କ ମହାନ ତ୍ୟାଗ, ବଳିଦାନ ଓ ସତ୍ୟ-ନ୍ୟାୟର ଅମର ବାର୍ତ୍ତାକୁ ସମାଜରେ ପ୍ରଚାର କରିବା ଉଦ୍ଦେଶ୍ୟରେ ବାଲେଶ୍ୱରର ଦଶ ଟି ମହଲ୍ଲାରୁ ହୁସୈନୀ ଜାନିସାର କମିଟିର ତତ୍ତ୍ୱାବଧାନରେ ଏକ ଗମ୍ଭୀର ଓ ଶ୍ରଦ୍ଧାଭରା "ହୁସୈନୀ ଶୋଭାଯାତ୍ରା" ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ଯୁବକ, ବୟସ୍କ ଓ ଶିଶୁମାନେ ଯୋଗଦେଇ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ନିଜ ଧାର୍ମିକ ଭାବନାର ପ୍ରକାଶ କରିଥିଲେ।ଶୋଭାଯାତ୍ରା ସମୟରେ ଧର୍ମଗୁରୁ ମାନେ ହଜରତ ଇମାମ ହୁସେନ (ରଜି.) ଏବଂ କର୍ବଲାର ଶହୀଦମାନଙ୍କ ମହାନ ବଳିଦାନ ଉପରେ ଆଲୋକପାତ କରିଥିଲେ। କର୍ବଲାର ଘଟଣା ସମଗ୍ର ମାନବଜାତି ପାଇଁ ସତ୍ୟ, ନ୍ୟାୟ, ଧୈର୍ଯ୍ୟ ଓ ଅନ୍ୟାୟ ବିରୋଧରେ ସଂଘର୍ଷର ଚିରନ୍ତନ ଶିକ୍ଷା। ସେମାନେ ଯୁବପିଢ଼ୀଙ୍କୁ ଇମାମ ହୁସେନ (ରଜି.)ଙ୍କ ଜୀବନ ଓ ଆଦର୍ଶରୁ ଶିକ୍ଷା ନେବାକୁ ଆହ୍ୱାନ କରିଥିଲେ।ବାଲେଶ୍ୱରର ସୁନହଟ, କୁରେଶୀ ମହଲ୍ଲା, ବାଲୁବଜାର, ଦିୱାନଶାହୀ, ଖ୍ୱାଜାବାଗ, ପଠାନ ମହଲ୍ଲା, ସ୍କୁଲ ବଜାର, ସୁଏଲପୁର, ଅଜିମାବାଦ ଓ ଅରଡ଼ବଜାରରୁ ବାହାରିଥିବା ଜୁଲୁସ ନିର୍ଦ୍ଧାରିତ ମାର୍ଗ ଦେଇ ଗଳା ପୋଖରୀ ହୋଇ ଦର୍ଗାହ ମୈଦାନରେ ପହଞ୍ଚିଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ଜୁଲୁସଙ୍କୁ ସ୍ୱାଗତ କରାଯିବା ସହ ଜୁଲସ ରେ ଭାଗ ନେଇଥିବା ଶ୍ରଦ୍ଧାଳୁମାନଙ୍କୁ ଶରବତ ବଣ୍ଟନ କରାଯାଇଥିଲା।ଜୁଲୁସ ରେ ଅଂଶଗ୍ରହଣକାରୀମାନେ ନାତ୍ ପାଠ, ଅହଲେ ବୈତଙ୍କ ସ୍ମରଣ ଏବଂ ସଲାମ ପେଶ କରି କର୍ବଲାର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ସମୂହ ପ୍ରାର୍ଥନା ସହ ଶୋଭାଯାତ୍ରାର ସମାପନ ହୋଇଥିଲା। ଜୁଲୁସ ସମୟରେ ଶୃଙ୍ଖଳା ଓ ନିୟମର ବିଶେଷ ଧ୍ୟାନ ରଖାଯାଇଥିଲା। ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଶେଷରେ ହୁସୈନୀ ଜାନିସାର କମିଟିର ପଦାଧିକାରୀମାନେ ଶୋଭାଯାତ୍ରାର ସଫଳ ଆୟୋଜନ ପାଇଁ ସମସ୍ତ ଅଂଶଗ୍ରହଣକାରୀ, ସ୍ୱେଚ୍ଛାସେବକ, ପୋଲିସ, ପ୍ରଶାସନ ଓ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନେ କହିଥିଲେ ଯେ ଏଭଳି ଧାର୍ମିକ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ହଜରତ ଇମାମ ହୁସେନ (ରଜି.)ଙ୍କ ଶିକ୍ଷାକୁ ପ୍ରଚାର କରିବା, ଭାଇଚାରାକୁ ସୁଦୃଢ଼ କରିବା ଏବଂ ସମାଜରେ ଶାନ୍ତି, ପ୍ରେମ ଓ ମାନବିକତାର ଭାବନାକୁ ଆହୁରି ମଜବୁତ କରିବା।ହୁସୈନୀ ଜୁଲୁସ–୨୦୨୬କୁ ସଫଳ କରିବାରେ ହୁସୈନୀ ଜାନିସାର କମିଟିର ସଭାପତି ସଲିମ ଖାନ, ସମ୍ପାଦକ ଶେଖ ଇସଲାମ, କୋଷାଧ୍ୟକ୍ଷ ଅବୁ ଫଜାଏଲ କାଦରୀ, ପରାମର୍ଶଦାତା ସୟଦ ନସିମ ଅହମଦ ରଜା, ଶେଖ ଅବଦୁଲ କାମିଲ, ଅଜିମ ବାଲେଶ୍ୱରୀ, ଶେଖ ଶରିଫ ମହମ୍ମଦ, ଅବଦୁଲ ରହିମ ଖାନ, ଆଶିକ ଉଲ ହକ, ଶେଖ ସଲିମ, ଶେଖ ଜମନ, ଶେଖ ଆବିଦ କାଦରୀ ଏବଂ ଶେଖ ରାଜା ପ୍ରମୁଖ ନିଜ ନିଜର ସହଯୋଗ ପ୍ରଦାନ କରିଥିଲେ।
ରାଜ୍ୟ
ମହରମ୍ ଅବସରରେ ହୁସୈନୀ ଜାନିସାର କମିଟିର ତତ୍ତ୍ୱାବଧାନରେ ବାଲେଶ୍ୱର ସହରର ୧୦ଟି ମହଲ୍ଲାରୁ ବାହାରିଲା "ହୁସୈନୀ ଜୁଲୁସ"
- Hits: 35







