ହେଡଲାଇନସ୍:

ନନ୍ଦିଘୋରରେ ୭୭ତମ ରଜଯାତ୍ରା ଉଦଯାପିତ;ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ଗାଁ ଦାଣ୍ଡ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମରେ ଚଳିତ ବର୍ଷ ୭୭ତମ ରଜଯାତ୍ରା ଉତ୍ସବ ମହାଆଡମ୍ବର ସହ ପାଳିତ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଗ୍ରାମବାସୀଙ୍କ ବ୍ୟାପକ ସମାଗମ ପରିଲକ୍ଷିତ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ଠାକୁରାଣୀ ବିମାନରେ ବସି ଗ୍ରାମ ପରିକ୍ରମା କରୁଥିବା ବେଳେ ଆତସବାଜି ଓ ବିଭିନ୍ନ ପଟୁଆର ଆକର୍ଷଣୀୟ ପ୍ରଦର୍ଶନ ପରିବେଶକୁ ଆଧ୍ୟାତ୍ମିକ ଓ ଉତ୍ସବମୁଖର କରିଦେଇଥିଲା। ରଜଯାତ୍ରାର ପ୍ରଥମ ସନ୍ଧ୍ୟାରେ ନେଳିଆ ସାହି ପକ୍ଷରୁ ସାମାଜିକ ନାଟକ ‘କିଏ କାନ୍ଦି ନାହିଁ, ହାତ ଟେକ’ ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ ପାଣିଖିଆ ସାହି ପକ୍ଷରୁ ‘ଅଧେ ମଣିଷ ଅଧେ ଘୋଡ଼ା’ ନାଟକ ପରିବେଷଣ କରାଯାଇଥିଲା। ସେହିପରି ରଜର ଶେଷ ସନ୍ଧ୍ୟାରେ ବାଘେରା ସାହି ଓ କମାର ସାହିର ଯୁବକମାନଙ୍କ ଦ୍ୱାରା ‘ଜନ୍ମ ନେଇଛି କାନ୍ଦିବା ପାଇଁ’ ନାଟକ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲା।
ବୁଧବାର ମଧ୍ୟାହ୍ନରେ ବାଘେରା ସାହି ପୁଷ୍କରିଣୀରେ ରଜ ଠାକୁରାଣୀଙ୍କ ସ୍ନାନ ନୀତି ସମ୍ପନ୍ନ ହେବା ପରେ ଠାକୁରାଣୀ ମନ୍ଦିରକୁ ପ୍ରବେଶ କରିଥିଲେ। ଏହା ସହିତ ଚଳିତ ବର୍ଷର ରଜଯାତ୍ରା ଉତ୍ସବର ପରିସମାପ୍ତି ଘଟିଥିଲା।
ଉତ୍ସବର ବିଭିନ୍ନ ଦିନରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସରପଞ୍ଚ ସ୍ୱେତାଲିନା ମିଶ୍ର, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶିକା ବାସନ୍ତୀ ରାଉତ ଏବଂ ଯୁବ ଶିଳ୍ପୋଦ୍ୟୋଗୀ ତାପସ ରଞ୍ଜନ ପାଢ଼ୀ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ଏକତା ଓ ସାଂସ୍କୃତିକ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଯାତ୍ରାର ସଫଳ ପରିଚାଳନା ରେ ନାଟ୍ୟ ନିର୍ଦ୍ଦେଶକ ଡା. ତଥାଗତ ସ୍ୱାଇଁ, ସୁଧାକର ଷଡ଼ଙ୍ଗୀ, ରମେଶ ମହାପାତ୍ର, ସୁରେନ୍ଦ୍ର ପ୍ରଧାନ, ଶତୃଘ୍ନ ସାହୁ ଓ ଭାଗ୍ୟଧର ସେଠୀ ପ୍ରମୁଖ ସକ୍ରିୟ ଭୂମିକା ନିଭାଇଥିଲେ। ଗ୍ରାମବାସୀଙ୍କ ସହଯୋଗ ଓ ଉତ୍ସାହ ଯୋଗୁଁ ଚଳିତ ବର୍ଷର ରଜଯାତ୍ରା ସଫଳତାର ସହ ସମାପ୍ତ ହୋଇଥିବା ଆୟୋଜକମାନେ ପ୍ରକାଶ କରିଛନ୍ତି।

0
0
0
s2sdefault