-
ଭୋକରେ ରହିଲେଣି ଲକ୍ଷାଧିକ ବୁଢା ବୁଢୀ
-
ନଗଦ ଅର୍ଥ ଦେବାକୁ ଦାବି କଲା କଳିଙ୍ଗସେନା
ଭୁବନେଶ୍ୱର , ରାଜ୍ୟରେ ତିନି ମାସ ଧରି ଭତ୍ତା ପାଇନଥିବା ପ୍ରାୟ ୧୦ଲକ୍ଷ ବୁଢା ବୁଢୀଙ୍କୁ ତୁରନ୍ତ ଭତ୍ତା ଦେବାକୁ ଦାବି କରିଛି କଳିଙ୍ଗସେନା । ସେନା ପକ୍ଷରୁ ଆଜି ଏକ ପ୍ରେସ ବିବ୍ରୃତିରେ ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ଯେ ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ସରକାରଙ୍କ କହିବା ଅନୁଯାୟୀ ଭତ୍ତା ଦେବାରେ ଯଦି ସଫ୍ଲୱର ବାଧକ ହେଉଛି ତେବେ ରାଜ୍ୟ ସରକାର ସିଧାସଳଖ ଭାବେ ନଗଦ ଆକାରରେ ଭତ୍ତା ଟଙ୍କା ପ୍ରଦାନ କରନ୍ତୁ । ଓଡିଶାର ଗଣପର୍ବ ରଜ ଉତ୍ସବରେ ବୁଢା ବୁଢୀଙ୍କ ମୁହଁରେ ହସ ଫୁଟାନ୍ତୁ ।
କଳିଙ୍ଗସେନା ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଲକ୍ଷାଧିକ ବୁଢା ବୁଢୀଙ୍କ ଜୀବନ ଭତ୍ତା ଟଙ୍କାରେ ଚାଲେ । ଘରର ତେଲ ଲୁଣ ଠାରୁ ଔଷଧ ପର୍ଯ୍ୟନ୍ତ ଏହି ପଇସାରେ କିଣାଯାଏ । ବହୁ ଲୋକେ ଭତ୍ତା ପଇସା ପାଇଲେ ଜୀବନ ରକ୍ଷାକାରୀ ଔଷଧ ଟିକେ ଖାଇଥାନ୍ତି । ହେଲେ ତିନିମାସ ହେଲା ଲୋକଙ୍କୁ ସରକାର ଭତ୍ତା ଦେଇପାରୁ ନାହାନ୍ତି । ଓଲଟା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ।
ନିଜକୁ ଡବଲ ଇଞ୍ଜିନ ସରକାର ବୋଲି କହୁଥିବା ସରକାର ୨୦୨୬ ମସିହାରେ କମ୍ପ୍ୟୁଟରକୁ ଦୋଷ ଦେଇ ବୁଢା ବୁଢୀଙ୍କ ମୁହଁରୁ ଦାନା ଛଡାଇନେବା ଅତ୍ୟନ୍ତ ଲଜ୍ଜାକର ଓ ହାସ୍ୟାସ୍ପଦ । ରାଜ୍ୟ ସରକାରଙ୍କ ପାଖରେ ସମସ୍ତ ତାଲିକା ରହିଛି । ତୁରନ୍ତ ଏହି ଲୋକମାନଙ୍କୁ ନଗଦ ଅର୍ଥ ଦିଅନ୍ତୁ । ଭତ୍ତା ବାବଦରେ ପ୍ରଦାନ ଟଙ୍କା ଯଦି ନାହିଁ, ତେବେ ନିକଟରେ ମଦ ଦୋକାନ ନିଲାମରୁ ପାଇଥିବା ୮୪୦ କୋଟି ଟଙ୍କା ଭତ୍ତା ଆକାରରେ ତୁରନ୍ତ ପ୍ରଦାନ କରନ୍ତୁ ।
ସେନା ପକ୍ଷରୁ ଆହୁରି କୁହାଯାଇଛି ଯେ ରାଜ୍ୟରେ ପ୍ରାୟ ୩୬ଲକ୍ଷ ଲୋକ ଭତ୍ତା ପାଇଥାନ୍ତି । ଏମାନଙ୍କ ମଧ୍ୟରୁ ୧୦ଲକ୍ଷ ତିନିମାସହେଲା ଭତ୍ତା ପାଉନାହାନ୍ତି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀମାନେ ମାସ ଶେଷରେ ଠିକଣା ସମୟରୋ ବେତନ ଓ ଭତ୍ତା ପାଉଥିବାବେଳେ ବୁଢା ବୁଢୀମାନଙ୍କ ପ୍ରତି ସରକାର ଏଭଳି ହୃଦୟହୀନ ହେବା ଉଚିତ୍ ନୁହେଁ । ଯଦି ଭତ୍ତା ମିଳିବାରେ କେନ୍ଦ୍ର ବାଧକ ହେଉଛି ତେବେ ମନ୍ତ୍ରୀ, ବିଧାୟକମାନେ ନିଜର ଦରମା ଓ ଭତ୍ତା ଟଙ୍କାରୁ କିଛି ବୃଦ୍ଧ ବୃଦ୍ଧାମାନଙ୍କୁ ପ୍ରଦାନ କରି ସେମାନଙ୍କ ଜୀବନ ରକ୍ଷା କରନ୍ତୁ ।







