ଓଡ଼ଗାଁ, ୧୪.୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ୧ ନଂ ଜିଲ୍ଲାପରିଷଦ ଜୋନ୍ର କଂଗ୍ରେସ କର୍ମୀ ସମ୍ମିଳନୀ କୁରାଳସ୍ଥିତ ମା’ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନର ସୁଦୃଢ଼ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ପଞ୍ଚାୟତ ସ୍ତରରେ ବୈଠକ ଆୟୋଜନ ସହ ପଞ୍ଚାୟତ କଂଗ୍ରେସ କମିଟି ଗଠନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସମସ୍ତ ପଞ୍ଚାୟତରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯିବା ସହ ଅନ୍ୟ ଦଳକୁ ଯାଇଥିବା କଂଗ୍ରେସ ସମର୍ଥକ ନେତାମାନଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜୋରଦାର କରାଯିବ। ଡିସିସିର ବରିଷ୍ଠ ଉପସଭାପତି ତଥା ନୟାଗଡ଼ ବିଧାନସଭା କ୍ଷେତ୍ରର ବିଏଲଏ-୧ ଲକ୍ଷ୍ମୀଧର ତ୍ରିପାଠୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଦଳୀୟ କର୍ମୀମାନଙ୍କ ସକ୍ରିୟ ଭୂମିକା ଉପରେ ଜୋର ଦେଇଥିଲେ। ସେ ଗ୍ରାମାଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ବୈଠକରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ନଜରରେ ରଖି କଂଗ୍ରେସର ସାଂଗଠନିକ ଶକ୍ତି ବୃଦ୍ଧି, ବୁଥ୍ ସ୍ତରରେ ସଂଗଠନ ସୁଦୃଢ଼ିକରଣ ଏବଂ ନିର୍ବାଚନୀ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କୁରାଳ ମା’ ବାଗଦେବୀ ପୀଠରୁ ୧ ନଂ ଜୋନ୍ର ସାଂଗଠନିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଜୋନ୍ର ୯ଟି ପଞ୍ଚାୟତର ପ୍ରମୁଖ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏଥିରେ ଯୋଗଦେଇ ନିଜ ମତାମତ ରଖିଥିଲେ। ଏହି ଅବସରରେ ଡିସିସି କିସାନ ସେଲ ସଭାପତି ବସନ୍ତ କର, ପୂର୍ବତନ ଜୋନ୍ ସଭାପତି ନିରଞ୍ଜନ ତ୍ରିପାଠୀ, ଡିସିସି ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଭାଗୀରଥି ନାୟକ, ଯୋଗେନ୍ଦ୍ର ଗୌଡ଼, ପ୍ରଭାତ ଦଳେଇ, ଅକ୍ଷୟ ପ୍ରଧାନ, ବିଜୟ ଡାକୁଆ, ଡିସିସି ସମ୍ପାଦକ ପୀତବାସ ପାଢ଼ୀ, କରୁଣାକର ନାୟକ, ଓଡ଼ଗାଁ ନଗର କଂଗ୍ରେସ ସଭାପତି ବିଭୂତି ରାଉତ, ଯୁବନେତା ମନୋଜ ଖଟେଇ ଓ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଓଡ଼ଗାଁ ୧ ନଂ ଜୋନ୍ କଂଗ୍ରେସର ସାଂଗଠନିକ ବୈଠକ
- Hits: 20







