ବରପାଲି, ୧୪ ଜୁନ: ବରଗଡ଼ ଜିଲ୍ଲାର ଐତିହାସିକ ତଥା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ୧୪୯ତମ ସଂସ୍କରଣ ପାଇଁ ଚଳିତ ବର୍ଷ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ସାତ ଦିନ ଧରି ବ୍ୟାପିବାକୁ ଥିବା ଏହି ମହାନ ଶିବ-ପାର୍ବତୀ ବିବାହ ମହୋତ୍ସବକୁ ନେଇ ସମଗ୍ର ବରପାଲି ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।ବିଶେଷ କରି ଚଳିତ ବର୍ଷର ହିମାଦ୍ରୀ ନଗର ଭାବେ ଚୟନ ହୋଇଥିବା ନୂଆପଡ଼ାରେ ଏବେ ଖୁସି ଓ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି।
ପୌରାଣିକ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମାତା ପାର୍ବତୀଙ୍କ କନ୍ୟା ପିତାମାତା ଭାବେ ଶିବୁ ଅଗ୍ରୱାଲ ଓ ଗାୟତ୍ରୀ ଦେବୀ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଛି। ଏହି ସମ୍ମାନ ମିଳିବା ପରେ ଅଗ୍ରୱାଲ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ପରିବାରର ସଦସ୍ୟ ମନୀଷ ଅଗ୍ରୱାଲ, ସୋନୁ ଅଗ୍ରୱାଲ ଓ ବିନତି ଅଗ୍ରୱାଲ ମଧ୍ୟ ନିଜ ଆନନ୍ଦ ବ୍ୟକ୍ତ କରିଛନ୍ତି। ପରିବାର ପକ୍ଷରୁ ସମସ୍ତ ଅତିଥି, ଶୁଭେଚ୍ଛୁ ଓ ଭକ୍ତମାନଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିବା ସହ ଆବଶ୍ୟକୀୟ କିଣାବିକା ଓ ଆୟୋଜନ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି।ଚଳିତ ବର୍ଷର ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ପାର୍ବତୀ ମଣ୍ଡପ। ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଢାଞ୍ଚାରେ ନିର୍ମିତ ଏହି ମଣ୍ଡପ ଦର୍ଶନାର୍ଥୀଙ୍କ ମନ ମୋହିବା ସହ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।ସୁନ୍ଦର କାରୁକାର୍ଯ୍ୟ, ଆଲୋକସଜ୍ଜା ଓ ଭବ୍ୟ ନିର୍ମାଣ ଶୈଳୀ ମଣ୍ଡପକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହାକୁ ଦେଖିବା ପାଇଁ ଭକ୍ତ ଓ ଦର୍ଶନାର୍ଥୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାରେ ଶୀତଳଷଷ୍ଠୀ ଯାତ୍ରାର ଐତିହ୍ୟ ଓ ଭବ୍ୟତା ଦୃଷ୍ଟିରୁ ପ୍ରଥମ ସ୍ଥାନରେ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ପରିଚିତ ଥିବାବେଳେ, ଦ୍ୱିତୀୟ ସ୍ଥାନରେ ବରପାଲିର ଶୀତଳଷଷ୍ଠୀ ଯାତ୍ରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପ୍ରାୟ ଡେଢ଼ ଶତାବ୍ଦୀର ପରମ୍ପରା ବହନ କରୁଥିବା ବରପାଲିର ଏହି ଯାତ୍ରା କେବଳ ଧାର୍ମିକ ମହତ୍ତ୍ୱରେ ସୀମିତ ନ ରହି ସାମାଜିକ ସମନ୍ୱୟ, ସାଂସ୍କୃତିକ ଐତିହ୍ୟ ଓ ଲୋକକଳାର ଏକ ଅନନ୍ୟ ନିଦର୍ଶନ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତ ଓ ପର୍ଯ୍ୟଟକ ଏହି ମହୋତ୍ସବରେ ସାମିଲ ହେବା ପାଇଁ ବରପାଲିକୁ ଆସିଥାନ୍ତି।ଶୀତଳଷଷ୍ଠୀ ଯାତ୍ରା ଅବସରରେ ପ୍ରତିଦିନ ବିଭିନ୍ନ ଧାର୍ମିକ ଆଚାର-ଅନୁଷ୍ଠାନ, ପୂଜାର୍ଚ୍ଚନା, ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହିମାଦ୍ରୀ ନଗର ପୂଜା କମିଟିର ସଭାପତି ସୁବୋଧ ଷଡ଼ଙ୍ଗୀ କହିଛନ୍ତି ଯେ, ପରମ୍ପରା ଓ ଭକ୍ତିଭାବକୁ ଅକ୍ଷୁଣ୍ଣ ରଖି ଚଳିତ ବର୍ଷର ଯାତ୍ରାକୁ ଅଧିକ ଭବ୍ୟ, ସୁସଂଗଠିତ ଓ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି। ଏହି ମହାନ ଆଧ୍ୟାତ୍ମିକ ଉତ୍ସବରେ ସାମିଲ ହୋଇ ଶିବ-ପାର୍ବତୀଙ୍କ ଆଶୀର୍ବାଦ ଲାଭ କରିବାକୁ ସେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆହ୍ୱାନ ଜଣାଇଛନ୍ତି।
ରାଜ୍ୟ
ଅଯୋଧ୍ୟା ରାମ ମନ୍ଦିର ଢାଞ୍ଚାରେ ପାର୍ବତୀ ମଣ୍ଡପ: ବରପାଲିର ୧୪୯ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି
- Hits: 16







