ହେଡଲାଇନସ୍:

ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସର ତୀବ୍ର ନିନ୍ଦା, କ୍ଷମା ପ୍ରାର୍ଥନା ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଂଗ୍ରେସ ନେତାଙ୍କୁ ଅଟକ ଘଟଣା ଗଣତନ୍ତ୍ର ପାଇଁ ବିପଦଜନକ: ଜିଲ୍ଲା କଂଗ୍ରେସ


ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା କଂଗ୍ରେସ ଦଳ ଏବଂ ଏହାର ନେତୃବୃନ୍ଦଙ୍କ ବିରୋଧରେ ଦିଆଯାଇଥିବା କଥିତ ଅଶାଳୀନ ଓ ଅମର୍ଯ୍ୟାଦିତ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିବାଦ କରାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଜଣେ ଦାୟିତ୍ୱସମ୍ପନ୍ନ ଜନପ୍ରତିନିଧିଙ୍କ ଠାରୁ ଏପରି ଭାଷା ଓ ଆଚରଣ କଦାପି ଗ୍ରହଣୀୟ ନୁହେଁ। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଜନୈତିକ ସଂସ୍କୃତି ପ୍ରତି ଅପମାନ ସଦୃଶ ବୋଲି ଦଳ ମତ ପ୍ରକାଶ କରିଛି।

ଅନ୍ୟପକ୍ଷରେ, କଂଗ୍ରେସର ଜାତୀୟ ନେତା କାହ୍ନୟା କୁମାରଙ୍କ ସମ୍ବଲପୁର ଗସ୍ତ ସମୟରେ କଂଗ୍ରେସ ନେତାମାନଙ୍କୁ ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ଘଟଣାକୁ ନେଇ ମଧ୍ୟ ଜିଲ୍ଲା କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ଦଳର ଅଭିଯୋଗ ଅନୁସାରେ, ବିରୋଧୀ ଦଳର କାର୍ଯ୍ୟକ୍ରମକୁ ଦମନ କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଥିଲା, ଯାହା ଗଣତାନ୍ତ୍ରିକ ଅଧିକାରର ହନନ ସଦୃଶ।

ତେବେ ଶାସକ ଦଳର ଚାପ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଶେଷରେ କଂଗ୍ରେସ ନେତାମାନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିବା ଦାବି କରି ଜିଲ୍ଲା କଂଗ୍ରେସ ସଭାପତି ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ଜିଲ୍ଲା କଂଗ୍ରେସ କହିଛି ଯେ, ରାଜନୈତିକ ମତଭେଦ ଗଣତନ୍ତ୍ରର ଏକ ଅଂଶ ହୋଇଥିଲେ ମଧ୍ୟ ସମସ୍ତ ରାଜନୈତିକ ଦଳ ଓ ନେତାଙ୍କୁ ସମାନ ଅଧିକାର ଏବଂ ସମ୍ମାନ ମିଳିବା ଉଚିତ। ଜୟନାରାୟଣ ମିଶ୍ର ତାଙ୍କ ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିବାକୁ ଦଳ ଦାବି କରିଛି।

କଂଗ୍ରେସ ଦଳ ସର୍ବଦା ଗଣତନ୍ତ୍ର, ସମ୍ବିଧାନ ଏବଂ ଜନସାଧାରଣଙ୍କ ଅଧିକାର ସୁରକ୍ଷା ପାଇଁ ସଂଘର୍ଷ ଜାରି ରଖିବ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି।

0
0
0
s2sdefault