-
ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଉଥିବା ବେଳେ ସରକାର ଦରବୃଦ୍ଧି କରି ବି୍ରଟିଶରାଜ ଚଳାଇଛନ୍ତି
-
ସରକାରଙ୍କ ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ବୋଝ ଉପରେ ଲଳିତା ବିଡ଼ା ସଦୃଶ
-
ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରି ସାଧାରଣ ଜନତାଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତ କରନ୍ତୁ ସରକାର
ଭୁବନେଶ୍ୱର, ୦୮/୦୬/୨୦୨୬: ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଥିବା ବେଳେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ଦରବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଗତ କିଛି ବର୍ଷ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଦୁଇଗୁଣା ବୃଦ୍ଧି ପାଇଛି । ୨୦୧୪ ମସିହାରେ ଘରୋଇ ସିଲିଣ୍ଡରର ମୂଲ୍ୟ ପ୍ରାୟ ୪୧୫ ଟଙ୍କା ଥିଲା, ବର୍ତ୍ତମାନ ତାହା ୯୬୮ ଟଙ୍କାରେ ପହଞ୍ଚିଛି । ସେହିପରି ପେଟ୍ରୋଲ, ଡିଜେଲ ଓ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଜନତାଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି କହି ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ ।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଦରବୃଦ୍ଧି ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ପରିବାର, କ୍ଷୁଦ୍ର ବ୍ୟବସାୟୀ, ଚା' ଦୋକାନୀ ଓ ହୋଟେଲ ବ୍ୟବସାୟୀଙ୍କ ଉପରେ ଗଭୀର ପ୍ରଭାବ ପଡ଼ୁଛି । ରନ୍ଧନ ଗ୍ୟାସର ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣ ଲୋକଟିଏ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ହ୍ରାସ ପାଇଥିବା ସତ୍ତ୍ୱେ ତାହାର ସୁଫଳ ସାଧାରଣ ଲୋକଙ୍କୁ ମିଳୁନାହିଁ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଭ୍ୟାଟ୍କୁ କମାଇ, ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଜନତାଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ । ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରନ୍ତୁ, ଏହାଦ୍ୱାରା ତୈଳ ମୂଲ୍ୟ ହ୍ରାସ ପାଇବା ସହ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ କମିପାରିବ ।
ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ବିଜେପି ସରକାରରେ ମହିଳା ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ମହିଳାଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ସରକାର । ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ, କିନ୍ତୁ ସରକାର ନିଜ ଦାୟିତ୍ୱରୁ ବିମୁଖ ହୋଇ ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି । ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରକୁ ହ୍ରାସ କରି ସାଧାରଣ ଜନତାଙ୍କ ଆର୍ଥିକ ବୋଝକୁ କମ୍ କରନ୍ତୁ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଉପସଭାନେତ୍ରୀ ତଥା କର୍ପୋରେଟର ଶ୍ରୀମତୀ ମାନସୀ ସୁନ୍ଦରରାୟ ଉପସ୍ଥିତ ଥିଲେ ।







