୪୮ ଘଣ୍ଟା ମଧ୍ୟରେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଓଡ଼ଗାଁ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ
ଓଡ଼ଗାଁ, ୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଗତ ୪୮ ଘଣ୍ଟା ମଧ୍ୟରେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସାମାନ୍ୟ କାଳବୈଶାଖୀର ପ୍ରଭାବରେ ଏଭଳି ଦୀର୍ଘ ସମୟ ଧରି ବିଦ୍ୟୁତ୍ ସେବା ବନ୍ଦ ରହିବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଅନେକଙ୍କ ମତରେ, ଏହି ବିଭ୍ରାଟ ଫାଇଲିନ୍ ଓ ହୁଡୁହୁଡୁ ଭଳି ପ୍ରଳୟଙ୍କରୀ ବାତ୍ୟା ସମୟର ସ୍ଥିତିକୁ ମଧ୍ୟ ଟପିଯାଇଛି। ସ୍ଥାନୀୟ ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ, ମରାମତି ନାମରେ ବର୍ଷସାରା ଘୋଷିତ ବିଦ୍ୟୁତ୍ କାଟ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଏପରି ସ୍ଥିତିରେ କାଳବୈଶାଖୀର ଗୋଟିଏ ଝଟକା ପରେ ୧୦ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା ଏବଂ ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୩୦ ଘଣ୍ଟା ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବା ଘଟଣାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହା ପ୍ରକୃତିର ପ୍ରଭାବ ନା ବ୍ୟବସ୍ଥାଗତ ତ୍ରୁଟି, ତାହା ନେଇ ସନ୍ଦେହ ପ୍ରକାଶ ପାଉଛି।
ଟିପିସିଓଡିଏଲ୍ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ଉନ୍ନତମାନର ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳିବ ବୋଲି ଉପଭୋକ୍ତାମାନେ ଆଶା କରିଥିଲେ। ହେଲେ ବର୍ତ୍ତମାନର ପରିସ୍ଥିତି ସେହି ଆଶାକୁ ନିରାଶାରେ ପରିଣତ କରିଥିବା ଅଭିଯୋଗ ହେଉଛି। କିଛି ଗ୍ରାହକଙ୍କ ମତରେ, ପୂର୍ବରୁ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ସଂସ୍ଥାର ସେବା ବର୍ତ୍ତମାନ ଅପେକ୍ଷା ଭଲ ଥିଲା। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ଖର୍ଚ୍ଚ କମାଇବା ନାମରେ କର୍ମଚାରୀ ସଂଖ୍ୟା ହ୍ରାସ ପାଇଥିବାରୁ ବିଦ୍ୟୁତ୍ ବିଭ୍ରାଟ ସମୟରେ ମରାମତି କାମ ପ୍ରଭାବିତ ହେଉଛି। ପୂର୍ବରୁ ଯେଉଁ କାର୍ଯ୍ୟ ପାଇଁ ଶତାଧିକ କର୍ମଚାରୀ ନିୟୋଜିତ ଥିଲେ, ବର୍ତ୍ତମାନ ତାହା ଅପେକ୍ଷା ବହୁ କମ୍ କର୍ମଚାରୀଙ୍କ ଉପରେ ନିର୍ଭର କରାଯାଉଛି। ଫଳରେ ଥରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଲେ ତାହାର ପୁନରୁଦ୍ଧାରରେ ଦୀର୍ଘ ସମୟ ଲାଗୁଛି।
ଉଲ୍ଲେଖଯୋଗ୍ୟ ଯେ, ଫାଇଲିନ୍ ଓ ହୁଡୁହୁଡୁ ଭଳି ଭୟଙ୍କର ବାତ୍ୟା ସମୟରେ ମଧ୍ୟ ୨୪ରୁ ୩୦ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଯାଉଥିଲା। କିନ୍ତୁ ବର୍ତ୍ତମାନ ସାମାନ୍ୟ କାଳବୈଶାଖୀ ପରେ ମଧ୍ୟ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ରହୁଥିବାରୁ ଲୋକଙ୍କ ଅସନ୍ତୋଷ ବଢ଼ିଛି। ଅନ୍ୟପକ୍ଷରେ, ଗ୍ରାମାଞ୍ଚଳରେ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା ବଢ଼ିଥିବା ବେଳେ ଘନଘନ ବିଦ୍ୟୁତ୍ କାଟ ଜନଜୀବନକୁ ପ୍ରଭାବିତ କରୁଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପଙ୍ଖା, ଆଲୋକ ଓ ଦୈନନ୍ଦିନ ଜୀବନ ସହ ଜଡିତ ବିଭିନ୍ନ ସୁବିଧା ବିଦ୍ୟୁତ୍ ଉପରେ ନିର୍ଭର କରୁଥିବାରୁ ଉପଭୋକ୍ତାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ପ୍ରତି ସରକାର ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀ ଗୁରୁତ୍ୱ ଦେଇ ତୁରନ୍ତ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବିଦ୍ୟୁତ୍ ସେବାରେ ସୁଧାର ନ ଆସିଲେ ଆଗାମୀ ଦିନରେ ଜନଅସନ୍ତୋଷ ଆହୁରି ବଢ଼ିପାରେ ବୋଲି ମତ ପ୍ରକାଶ ପାଉଛି।







