୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬
ଓଡ଼ଗାଁ, ୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ଦ୍ୱିତୀୟ ଦିନରେ ରୋମାଞ୍ଚକର ତିନୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ଗୁଡ଼ିକରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍, ଡାୟିନୋମିକ୍ କିଙ୍ଗସ୍ (ଏ) ଓ ଲିଜେଣ୍ଡ ଏମ୍ପୋରିଅର ବିଜୟୀ ହୋଇଥିଲେ।ପ୍ରଥମ ମ୍ୟାଚ୍ରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଡାୟିନୋମିକ୍ କିଙ୍ଗସ୍ (ବି) ଦଳ ସମସ୍ତ ୱିକେଟ୍ ହରାଇ ୮୮ ରନ୍ରେ ସୀମିତ ରହିଥିଲା। ଫଳରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ୧୪ ରନ୍ରେ ବିଜୟୀ ହୋଇଥିଲା। ବିଜୟୀ ଦଳର ବିଶ୍ୱଜିତଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦ୍ୱିତୀୟ ମ୍ୟାଚ୍ରେ ବିଏମ୍ ଟାଇଗରସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟ ପିଛା କରି ଡାୟିନୋମିକ୍ କିଙ୍ଗସ୍ (ଏ) ଦଳ ୯.୩ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୮୫ ରନ୍ ସଂଗ୍ରହ କରି ସହଜ ବିଜୟ ହାସଲ କରିଥିଲା। ବିଜୟୀ ଦଳର ସୋମନାଥ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବେ ମନୋନୀତ ହୋଇଥିଲେ।
ବର୍ଷା କାରଣରୁ ତୃତୀୟ ମ୍ୟାଚ୍କୁ ୭ ଓଭର ବିଶିଷ୍ଟ କରାଯାଇଥିଲା। ଏହି ମ୍ୟାଚ୍ରେ ଏଲାଇଟ୍ ଇଗଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭ ଓଭରରେ ୩ ୱିକେଟ୍ ହରାଇ ୬୪ ରନ୍ କରିଥିଲା। ଜବାବରେ ଲିଜେଣ୍ଡ ଏମ୍ପୋରିଅର ଦଳ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୫.୧ ଓଭରରେ କୌଣସି ୱିକେଟ୍ ନହରାଇ ୬୫ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିନେଇଥିଲା। ବ୍ରହ୍ମିଙ୍କୁ ତାଙ୍କର ଉତ୍କୃଷ୍ଟ ଖେଳ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା। ଆଜି ଦିନର ଖେଳକୁ ରାମନାଥ, ଚନ୍ଦନ, କିଶନ, ଦୋରା, ଗୁଲୁ, ସୁନୀଲ, ସୌମ୍ୟ, ଆରିଏଲ୍ ଅଭି ଓ ସିତୁ ସୁଚାରୁରୂପେ ପରିଚାଳନା କରିଥିଲେ। ଆସନ୍ତାକାଲି ମଙ୍ଗଳବାରର ଥଣ୍ଡର ଷ୍ଟ୍ରାଇକର ବନାମ ଓଡ଼ଗାଁ ଥଣ୍ଡର, ଗୋଲ୍ଡେନ୍ ସ୍ପୋର୍ଟସ୍ ବନାମ ବ୍ଳାକ୍ ହଣ୍ଟର, ବେଷ୍ଟ ଇଲେଭେନ୍ ବନାମ ଫ୍ରେଣ୍ଡସ୍ ଇଲେଭେନ୍, ଏସ୍ଆର୍ଏସ୍ସି ବନାମ ଭାଇପର୍ କିଙ୍ଗସ୍ ଓଡ଼ଗାଁ କ୍ରିକେଟ ଲିଗ୍ରେ ସ୍ଥାନୀୟ ଦର୍ଶକଙ୍କ ଉତ୍ସାହ ଓ ଖେଳାଳିମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ କରିଛି।







