ବେଲଗୁଣ୍ଠା,୦୮/୦୬,-(ଶିବରାମ ଚୌଧୁରୀ )-ବର୍ତ୍ତମାନ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ବିଶ୍ଵର ତାପମାତ୍ରା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବା ସହିତ ଶହ ଶହ ବର୍ଷର ପୁରୁଣା ଗଛ ଗୁଡ଼ିକୁ ସୁରକ୍ଷା ଦେବାର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି। କିନ୍ତୁ ବିଡ଼ମ୍ବନାର ବିଷୟ କିଛି କାଠ ମାଫିଆ ଏବଂ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀର ଲୋକେ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବଡ ବଡ ଜଙ୍ଗଲକୁ ମଧ୍ୟ କାଟି ସଫା କରିବାକୁ ପଛାଉ ନାହାଁନ୍ତି। ବର୍ତ୍ତମାନ କିଛି କାଠ ମାଫିଆ ଗୋଷ୍ଠୀ ଶହ ଶହ ବର୍ଷର ପୁରୁଣା କାକପୋଇ ଗଛ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ବିଶେଷକରି କାକପୋଇ ଗଛ ଗୁଡ଼ିକ ଜଙ୍ଗଲ ଅଧିକାର ନିୟମର ଅନ୍ତର୍ଗତ ହୋଇନଥିବାରୁ କାଠ ମାଫିଆମାନେ ଏହାକୁ ନିର୍ଭୟରେ କାଟି ନେବା ପାଇଁ ପଛାଉ ନାହାଁନ୍ତି। ବିଶେଷକରି ଆନ୍ଧ୍ର ପ୍ରଦେଶ,ବାଲେଶ୍ଵର,ଭଦ୍ରକ ଭଳି ଅଞ୍ଚଳରୁ କାଠ ମାଫିଆ ମାନେ ଆସି କମ୍ ମୂଲ୍ୟରେ କାକପୋଇ ଗଛ ଗୁଡ଼ିକୁ କିଣି ଚାଲାଣ କରୁଛନ୍ତି। ଏହି ବେପାରୀ ମାନେ ଗତ ଦଶ ପନ୍ଦର ବର୍ଷ ମଧ୍ୟରେ ଗ୍ରାମ ଗୁଡିକରେ ଶହ ଶହ ବର୍ଷର କାକପୋଇ ଗଛ ଗୁଡ଼ିକ କାଟି ନେଇଥିବା ଅଭିଯୋଗ ହେଉଛି। ଆଜି ଏହିଭଳି ଏକ ଅଭିଯୋଗ ପାଇବା ପରେ ବେଲଗୁଣ୍ଠା ପ୍ରଶାସନ ତ୍ୱରିତ ଚଢ଼ାଉ କରି ଶତାଧିକ କାକପୋଇ କାଠ ଗଣ୍ଡି ଜବତ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗୋବରା ନିକଟସ୍ଥ ଷଡ଼ଙ୍ଗୀପଲ୍ଲୀ- ବରପଲ୍ଲୀ ରାସ୍ତା ପାର୍ଶ୍ବରେ ଥିବା ଏକ ସରକାରୀ ଜମିରେ ଶତାଧିକ କାଠ ଗଣ୍ଡି ଥିବା ଖବର ପାଇ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ନେଟେଙ୍ଗା ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ବେହେରା,ଗୋବରା ରାଜସ୍ବ ନୀରିକ୍ଷକ ସନ୍ତୋଷୀନି ନାୟକ,ହାବିଲଦାର ଆପାୟା ପ୍ରଧାନ,କାଳିଆମ୍ବା ବନ କର୍ମଚାରୀ ଏବଂ ଗାଙ୍ଗପୁର ଥାନାର ପୋଲିସ୍ କର୍ମଚାରୀ ସଂପୃକ୍ତ ଜମିରେ ପହଞ୍ଚି ସେଠାରେ ଥିବା ୧୦୬ ଖଣ୍ଡ କାକପୋଇ କାଠକୁ ଜବତ କରିଥିଲେ। ଏହି କାଠ ଖଣ୍ଡ ଗୁଡିକ ବଡ ବଡ଼ ପ୍ଲାଇ କମ୍ପାନୀ ଏବଂ ସେଟ୍ରିଂ କାମ ପାଇଁ ବିକ୍ରି କରାଯିବାପାଇଁ ରଖାଯାଇଥିବା ଅନୁମାନ କରାଯାଉଛି। ଜବତ କାଠ ଗଣ୍ଡି ଗୁଡିକୁ ସରକାରୀ ସ୍ତରରେ ନିଲାମ କରାଯିବା ସହିତ ଆଗାମୀ ଦିନରେ କାକପୋଇ ଗଛ କାଟିବା ଉପରେ ମଧ୍ୟ କଟକଣା ଲାଗୁ କରାଯିବ ବୋଲି ତହସିଲଦାର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
ରାଜ୍ୟ
ଶହ ଶହ ବର୍ଷ ପୁରୁଣା କାକପୋଇ ଗଛ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ; ଶତାଧିକ କାଠ ଗଣ୍ଡି ଜବତ କଲା ପ୍ରଶାସନ
- Hits: 12







