ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡୁମେରବାହାଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ବହିଦାର ଗତ ୩୧ ମେ ୨୦୨୬ ତାରିଖରେ ଦୀର୍ଘ ଶିକ୍ଷା ସେବା ପରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟୀ ସମ୍ବର୍ଦ୍ଧନା ସଭାରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆଚାରୀ ଶବର ଓ ବିଶିଷ୍ଟ ପରିବେଶବିତ୍ ଶ୍ରୀ ରବୀନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।
ଶ୍ରୀମତୀ ବହିଦାର କେବଳ ଜଣେ ଦକ୍ଷ ଶିକ୍ଷୟିତ୍ରୀ ଭାବେ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଓ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ନେତୃତ୍ୱରେ ବିଦ୍ୟାଳୟରେ ବିଭିନ୍ନ ଶିକ୍ଷାମୂଳକ, ସାମାଜିକ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ବିଶେଷକରି ପରିବେଶ ସୁରକ୍ଷା ପ୍ରତି ତାଙ୍କର ନିଷ୍ଠା ଓ ଅବିରତ ପ୍ରୟାସ ବିଦ୍ୟାଳୟକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ବିଦ୍ୟାଳୟ ପରିସର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ, ପରିବେଶ ସଚେତନତା ଅଭିଯାନ ଏବଂ ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଯୋଗୁଁ ବିଦ୍ୟାଳୟ ୨୦୨୫-୨୬ ବର୍ଷ ପାଇଁ ସମ୍ମାନଜନକ “ପ୍ରକୃତି ମିତ୍ର ପୁରସ୍କାର” ହାସଲ କରିଛି। ଏହା କେବଳ ବିଦ୍ୟାଳୟ ପାଇଁ ନୁହେଁ, ସମଗ୍ର ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଛି।
ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଶ୍ରୀମତୀ ଜୟଶ୍ରୀ ବହିଦାରଙ୍କ ସହ ବିଦ୍ୟାଳୟର ସହକାରୀ ଶିକ୍ଷକ ବିନୋଦ ବିହାରୀ ବିଶି, ଲୋଟସ ତ୍ରିପାଠୀ ଓ ଅସୀମ ଭୋଇ ଉପସ୍ଥିତ ରହି କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶଙ୍କ କରକମଳରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ।
ଶିକ୍ଷା ଓ ପରିବେଶ କ୍ଷେତ୍ରରେ ଶ୍ରୀମତୀ ବହିଦାରଙ୍କ ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ମତ ପ୍ରକାଶ କରିଥିଲେ। ଅବସର ଗ୍ରହଣ ପରେ ମଧ୍ୟ ତାଙ୍କର ପରିବେଶ ପ୍ରତି ସମର୍ପଣ ଓ ସମାଜସେବା ମନୋଭାବ ଅନ୍ୟମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିବ।
ରାଜ୍ୟ
ଅବସର ପରେ ବି ପରିବେଶ ସେବାରେ ଅଗ୍ରଣୀ: ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହେଲା ଡୁମେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
- Hits: 19







