ହେଡଲାଇନସ୍:

କଳାହାଣ୍ଡିର ଲୋକପ୍ରିୟ ଶିଶୁରୋଗ ବିଶେଷଜ୍ଞ ଡା. ପଲ୍ଲବ ପ୍ରଧାନଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାବାସୀଙ୍କ ମଧ୍ୟରେ ଶୋକର ଛାୟା, ରୋଗୀସେବା ପ୍ରତି ତାଙ୍କ ଅବଦାନ ଚିରସ୍ମରଣୀୟ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଅତ୍ୟନ୍ତ ଲୋକପ୍ରିୟ ଚିକିତ୍ସକ ଡା. ପଲ୍ଲବ ପ୍ରଧାନ (ଏମ୍‌.ଡି.)ଙ୍କ ଅକାଳ ବିୟୋଗ ଖବର ଜିଲ୍ଲାବାସୀଙ୍କୁ ଗଭୀର ମର୍ମାହତ କରିଛି। ତାଙ୍କ ଦେହାନ୍ତ ସହିତ କଳାହାଣ୍ଡି ଏକ ଦକ୍ଷ, ମାନବିକ ଓ ନିଷ୍ଠାବାନ ଚିକିତ୍ସକଙ୍କୁ ହରାଇଛି।
ସୂଚନା ଅନୁଯାୟୀ, ଡା. ପ୍ରଧାନ ନିଜ ପରିବାର ସଦସ୍ୟଙ୍କ ସହ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିବା ବେଳେ ତାମିଲନାଡୁର କୋଏମ୍ବାଟୁରସ୍ଥିତ ଏକ ହୋଟେଲରେ ହୃଦଘାତରେ ଆଜି ଭୋର ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କ ବୟସ ୭୨ ବର୍ଷ ହୋଇଥିଲା।
ଡା. ପ୍ରଧାନ ୧୯୮୮ ମସିହାରେ ଧର୍ମଗଡ଼ ସରକାରୀ ଚିକିତ୍ସାଳୟରେ ଶିଶୁରୋଗ ବିଶେଷଜ୍ଞ ଭାବେ ଯୋଗଦେଇ ପ୍ରାୟ ୧୯ ବର୍ଷ ଧରି ଧର୍ମଗଡ଼ ଅଞ୍ଚଳର ଅସଂଖ୍ୟ ଶିଶୁ ଓ ପରିବାରଙ୍କୁ ସେବା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭବାନୀପାଟଣା ଓ ପାସ୍ଟିକୁଡ଼ି ଚିକିତ୍ସାଳୟରେ ମଧ୍ୟ ପ୍ରାୟ ସାତ ବର୍ଷ ଲେଖାଏଁ କାର୍ଯ୍ୟରତ ରହି ଲୋକଙ୍କ ଆସ୍ଥାଭାଜନ ହୋଇଥିଲେ।
ଚାକିରିରୁ ଅବସର ଗ୍ରହଣ ପରେ ମଧ୍ୟ ସେ ସମାଜସେବାରୁ ଦୂରେଇ ନଥିଲେ। ମାତ୍ର ୫୦ ଟଙ୍କା ଫିରେ ରୋଗୀ ଦେଖି ଅସହାୟ ଓ ଦରିଦ୍ର ଲୋକଙ୍କ ସେବା କରୁଥିଲେ। ଶିଶୁମାନଙ୍କ ସୁସ୍ଥତା ଓ ସେବାକୁ ସେ ଜୀବନର ଲକ୍ଷ୍ୟ ବୋଲି ମନେ କରୁଥିଲେ। ତାଙ୍କର ନିସ୍ୱାର୍ଥପର ସେବା, କୋମଳ ବ୍ୟବହାର ଓ ରୋଗୀଙ୍କ ପ୍ରତି ଆତ୍ମୀୟତା ତାଙ୍କୁ ସାଧାରଣ ଡାକ୍ତରଙ୍କଠାରୁ ଭିନ୍ନ ପରିଚୟ ଦେଇଥିଲା।
ରୋଗୀଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା, ସଠିକ୍ ପରାମର୍ଶ ଦେବା ଏବଂ ମାନବିକ ଦୃଷ୍ଟିକୋଣରୁ ଚିକିତ୍ସା କରିବା ତାଙ୍କ ବୃତ୍ତିଗତ ଜୀବନର ବିଶେଷତା ଥିଲା। ଅନେକ ଶିଶୁ ରୋଗୀ ଓ ସେମାନଙ୍କ ପରିବାର ପାଇଁ ସେ ଆଶା ଓ ଭରସାର ପ୍ରତୀକ ହୋଇ ରହିଥିଲେ।
ଡା. ପ୍ରଧାନଙ୍କ ଅକସ୍ମାତ ବିୟୋଗରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ସମେତ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି, ଚିକିତ୍ସକ ଓ ସାଧାରଣ ଜନତା ଗଭୀର ଶୋକ ପ୍ରକାଶ କରିଛନ୍ତି। ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି।
ଡା. ପଲ୍ଲବ ପ୍ରଧାନ କେବଳ ଜଣେ ଚିକିତ୍ସକ ନୁହଁନ୍ତି, ସେ ଥିଲେ ମାନବସେବାର ଏକ ଜୀବନ୍ତ ପ୍ରତୀକ। ତାଙ୍କର ସେବା, ସରଳତା ଓ ମାନବିକତା କଳାହାଣ୍ଡିବାସୀଙ୍କ ହୃଦୟରେ ସଦା ଅମ୍ଳାନ ହୋଇ ରହିବ।

0
0
0
s2sdefault