ହେଡଲାଇନସ୍:

ବିଶ୍ୱ ପରିବେଶ ଦିବସରେ ସମ୍ବଲପୁରରୁ ଜାତୀୟ ଅଭିଯାନ “ମୋର ୫୦୦ ମିଟର ସହର”ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ଭୁବନେଶ୍ୱର, ଜୁନ୍ ୫: ସର୍ବଭାରତୀୟ ସ୍ୱେଚ୍ଛାସେବୀ-ଚାଳିତ ୟୁଥ୍ ଫର୍ ୱାଟର୍-ଇଣ୍ଡିଆ ଅଭିଯାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏହାର ନୂତନ ଜାତୀୟ ପଦକ୍ଷେପ “ମୋର ୫୦୦ ମିଟର ସହର” ଆଜି  ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନର ଜାତୀୟ ଶୁଭାରମ୍ଭ ସମ୍ବଲପୁର ସହରର ଐତିହାସିକ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ମହାନଦୀ ତଟରେ ଅନୁଷ୍ଠିତ ହୋଇଥିବା ବେଳେ ଦେଶର ୨୦ରୁ ଅଧିକ ସହରରେ ଅଭିଯାନର ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ସମାବେଶ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ଅଭିଯାନର ପ୍ରତିଷ୍ଠାତା-ପରାମର୍ଶଦାତା ଏବଂ “ଓଡ଼ିଶାର ଜଳପୁରୁଷ” ଭାବେ ପରିଚିତ ରଞ୍ଜନ ପଣ୍ଡା ଏହି ଅବସରରେ କହିଥିଲେ ଯେ, ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସ୍ଥାୟୀ ଯାତାୟାତ ଏବଂ ଜଳବାୟୁ-ସଚେତନ ଜୀବନଶୈଳୀ ମାଧ୍ୟମରେ ନିଜ ପଡ଼ୋଶ ଓ ସହରକୁ ନୂଆ ଦୃଷ୍ଟିକୋଣରୁ ଗଢ଼ିବା ପାଇଁ ପ୍ରେରିତ କରିବା।
ସମ୍ବଲପୁରରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଯୁବକ-ଯୁବତୀ ଓ ସହରବାସୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଅଭିଯାନର ଲୋଗୋ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମର ସହ-ଆୟୋଜକ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବାର ଉପାୟ ଖୋଜୁଥିବା ସମୟରେ ଏପରି ଅଭିଯାନ ସମୟର ଆବଶ୍ୟକତା ଏବଂ ଏହା ଅଧିକ ବାସଯୋଗ୍ୟ ସହର ଗଠନରେ ସହାୟକ ହେବ।
ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ ଓ ଶିବ ନନ୍ଦ, ଏବଂ ସହରର ଅନ୍ୟାନ୍ୟ ବିଶିଷ୍ଟ ନାଗରିକମାନେ ଉପସ୍ଥିତ ଲୋକଙ୍କୁ ଏହି ଅଭିଯାନର ମୂଳ ଧାରଣାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଜଳ, ଜୈବବିବିଧତା ଏବଂ ସହରୀୟ ପରିବେଶ ସଂରକ୍ଷଣ ପାଇଁ ଅଧିକ ସକ୍ରିୟ ହେବାକୁ ଆହ୍ୱାନ ଜଣାଇଥିଲେ।
“ମୋର ୫୦୦ ମିଟର ସହର” ଅଭିଯାନର ମୂଳ ଧାରଣା ସରଳ କିନ୍ତୁ ପରିବର୍ତ୍ତନଶୀଳ। ପ୍ରତ୍ୟେକ ନାଗରିକ ନିଜ ଘର, କାର୍ଯ୍ୟସ୍ଥଳ କିମ୍ବା ଅନୁଷ୍ଠାନକୁ କେନ୍ଦ୍ର କରି ୫୦୦ ମିଟର ପରିଧି ଚିହ୍ନଟ କରିବେ ଏବଂ ସେହି ପରିଧି ଭିତରେ ଜୀବାଶ୍ମ ଇନ୍ଧନ ଆଧାରିତ ଯାନବାହନର ବ୍ୟବହାରକୁ ଯଥାସମ୍ଭବ କମାଇବେ। କାର୍ଯ୍ୟକ୍ରମର ସମନ୍ୱୟକାରୀ ଏବଂ ୟୁଥ୍ ଫର୍ ୱାଟର୍-ଇଣ୍ଡିଆର କୋର୍ ଭଲେଣ୍ଟିୟର ମାସୁଦ ଆଲମ୍ କହିଥିଲେ ଯେ, ଏହି ପଦକ୍ଷେପ ପ୍ରଦୂଷଣ ହ୍ରାସ, କାର୍ବନ ନିର୍ଗମନ କମାଇବା, ସାମାଜିକ ସମ୍ପର୍କ ବୃଦ୍ଧି ଏବଂ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଉନ୍ନତିରେ ସହାୟକ ହେବ।
ଅଭିଯାନର ସକ୍ରିୟ ଯୁବ ସଦସ୍ୟା ସୁହାନୀ ପାତ୍ର କହିଥିଲେ ଯେ, ସେ ନିୟମିତ ଭାବେ ସାଇକେଲ ବ୍ୟବହାର କରନ୍ତି ଏବଂ ଏହି ଅଭିଯାନ ଅଧିକ ଲୋକଙ୍କୁ ପାଦରେ ଚାଲିବା ଓ ସାଇକେଲ ଚଳାଇବା ପାଇଁ ପ୍ରେରିତ କରିବ। ଅନ୍ୟ ଜଣେ କୋର୍ ଭଲେଣ୍ଟିୟର ରଶ୍ମି ରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଥିଲେ ଯେ, ଏହି ଅଭିଯାନକୁ ଆଗାମୀ ଦିନରେ ବିଭିନ୍ନ ସହରରେ ନାଗରିକ-ନେତୃତ୍ୱାଧୀନ କାର୍ଯ୍ୟକଳାପ ମାଧ୍ୟମରେ ବିସ୍ତାର କରାଯିବ।
କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ସମସ୍ତ ଅଂଶଗ୍ରହଣକାରୀଙ୍କ ଦ୍ୱାରା ନିଆଯାଇଥିବା ସାମୂହିକ ଶପଥ। ଏହି ଶପଥ ମାଧ୍ୟମରେ ସେମାନେ ସବୁଜ, ସ୍ୱଚ୍ଛ ଏବଂ ଜଳ-ସମୃଦ୍ଧ ସହର ଗଠନ ପାଇଁ ନିଜର ସମର୍ଥନ ଓ ଅଂଶଗ୍ରହଣର ପ୍ରତିଶ୍ରୁତି ଦେଇଥିଲେ। ଯୁବ ସ୍ୱେଚ୍ଛାସେବୀ ସୁପ୍ରୀତି ଭିତ୍ରିଆ କହିଥିଲେ, “ଏହି ଶପଥ ଆମର ସୁସ୍ଥ ସହର ଓ ସୁଦୃଢ଼ ସମୁଦାୟ ଗଠନ ପ୍ରତି ସାମୂହିକ ଦାୟିତ୍ୱର ପ୍ରତିଫଳନ।”
ଅଭିଯାନର ଭବିଷ୍ୟତ ଦିଗ ସମ୍ପର୍କରେ ପଣ୍ଡା କହିଥିଲେ ଯେ, ବିଶ୍ୱସ୍ତରୀୟ ପ୍ରଭାବ ସୃଷ୍ଟି କରିଥିବା ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜର ସଫଳତା ପରେ ଏବେ “ମୋର ୫୦୦ ମିଟର ସହର” ଅଭିଯାନକୁ ସମଗ୍ର ଦେଶ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ବିସ୍ତାର କରିବାର ଲକ୍ଷ୍ୟ ରହିଛି।
ସେ ଆହୁରି କହିଥିଲେ, “ଏହା ଏକ ସମ୍ପୂର୍ଣ୍ଣ ସ୍ୱେଚ୍ଛାସେବୀ-ଚାଳିତ ଏବଂ ସହଯୋଗାତ୍ମକ ଅଭିଯାନ। ସରକାରୀ ସଂସ୍ଥା, ସାମାଜିକ ସଂଗଠନ, କର୍ପୋରେଟ ସଂସ୍ଥା, ଶିକ୍ଷାନୁଷ୍ଠାନ, ଗଣମାଧ୍ୟମ, ଯୁବ ଗୋଷ୍ଠୀ, ନାଗରିକ ମଞ୍ଚ ଓ ସମସ୍ତ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଆମେ ଆହ୍ୱାନ ଜଣାଉଛୁ।”
କାର୍ଯ୍ୟକ୍ରମରେ “ବାସଯୋଗ୍ୟ ସହର: ପ୍ରକୃତି ସହ ସାମଞ୍ଜସ୍ୟରେ ବଞ୍ଚୁଥିବା ସହର ସମ୍ପର୍କରେ ମୋର ଧାରଣା” ଶୀର୍ଷକ ବିଷୟକୁ ନେଇ ଆୟୋଜିତ ଚାରୋଟି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସହଯୋଗରେ ଆୟୋଜିତ ହୋଇଥିଲା। ଏଥିରେ AJSA India, Big Wire, ABCD Charitable Trust, Sambalpur Cycling Club, Parivartan Setu, Mahanadi Dhara, Adarsha, Sikshya Niketan, Loka Seva, Aahwan Foundation, Mount Xplore, Rupayaan, Water Initiatives–India ଏବଂ Mahanadi River Waterkeeper ପ୍ରମୁଖ ସଂଗଠନ ସହଯୋଗ କରିଥିଲେ।

0
0
0
s2sdefault