ହେଡଲାଇନସ୍:

ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ରାଉରକେଲା,(ବସନ୍ତ କୁମାର ଜେନା): ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସଠିକ୍ ଏବଂ ତ୍ରୁଟିଶୂନ୍ୟ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସମଗ୍ର କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ।
ଜିଲ୍ଲାପାଳ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ ଅଧିକାରୀ (BLO) ଏବଂ BLO ସୁପରଭାଇଜରମାନଙ୍କ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇସାରିଛି। ସେହିଭଳି ପରିଗଣନା ଫର୍ମ ବା Enumeration Form ଛପା ହୋଇ ବିଭିନ୍ନ ବ୍ଲକ ପଏଣ୍ଟରେ ଉପଲବ୍ଧ କରାଯାଇଛି।
ଆସନ୍ତା ୩୦ ମଇ ଠାରୁ ୨୮ ଜୁନ୍ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବି ଏଲ ଓ ଘରେ ଘରେ ପହଞ୍ଚି ଭୋଟରମାନଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ ଏବଂ ଫର୍ମ ପୂରଣ କରିବାରେ ସହଯୋଗ କରିବେ। ପୂରଣ ହୋଇଥିବା ଫର୍ମ ସଂଗ୍ରହ ପରେ ସେମାନେ ଭୋଟରମାନଙ୍କୁ acknowledgement ପ୍ରଦାନ କରିବେ।
ସେ କହିଥିଲେ ଯେ, ୫ ଜୁଲାଇ ୨୦୨୬ ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯିବ। ଏହି ଦାବି ଓ ଆପତ୍ତି ଉପରେ ୫ ଜୁଲାଇରୁ ୨ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଶୁଣାଣି ଓ ନିଷ୍ପତ୍ତି ଗ୍ରହଣ କରାଯିବ। ପରେ ୬ ସେପ୍ଟେମ୍ବର ୨୦୨୬ ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ।
ଚୂଡାନ୍ତ ତାଲିକା ପ୍ରକାଶ ପରେ ଯଦି କୌଣସି ବ୍ୟକ୍ତିଙ୍କର ଆପତ୍ତି କିମ୍ବା ଅଭିଯୋଗ ରହିଥାଏ, ତେବେ ସେମାନେ RP Act 1950 ର Section 24(A) ଅନୁସାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ। ଏହାପରେ ମଧ୍ୟ ଯଦି ଅଭିଯୋଗ ରହିଥାଏ, ତେବେ Section 24(B) ଅନୁସାରେ ୩୦ ଦିନ ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ।
ଏହି ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇଁ toll free number 1950 କୁ ଯୋଗାଯୋଗ କରିବା ସହ voters.eci.gov.in ୱେବସାଇଟ୍ ଏବଂ ECINET ଆପ୍ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଜନସାଧାରଣ, ମହିଳା ଏବଂ ସଚେତନ ଯୁବବର୍ଗଙ୍କୁ BLOମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରିବାରର କୌଣସି ବି ଯୋଗ୍ୟ ସଦସ୍ୟ, ବିଶେଷକରି ୧୮ ବର୍ଷ ବୟସ ପୂରଣ କରିବାକୁ ଯାଉଥିବା ନୂତନ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ସମ୍ମିଳିତ କରିବାକୁ ସେ ସମସ୍ତଙ୍କୁ ସଚେତନ ରହିବାକୁ କହିଥିଲେ।
ସେହିପରି ସମସ୍ତ ରାଜନୈତିକ ଦଳମାନଙ୍କୁ ନିଜ ନିଜ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରି ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଉପ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ରେ ଉପସ୍ଥିତ ଥିଲେ ।

0
0
0
s2sdefault