ବେଲଗୁଣ୍ଠା, ୨୯/୦୫ -(ଶିବରାମ ଚୌଧୁରୀ )-ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ “ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ”କୁ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ସମଗ୍ର ରାଜ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଛି । ସମାଜର ପ୍ରତ୍ୟେକ ଅଶିକ୍ଷିତ ବ୍ୟକ୍ତିଙ୍କୁ ସାକ୍ଷରତାର ମୂଳ ସ୍ରୋତ ସହ ଯୋଡ଼ିବା ଏବଂ ସାମାଜିକ, ଆର୍ଥିକ ଓ ବୈଚାରିକ ଉନ୍ନତି ଦିଗରେ ଆଗକୁ ନେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ ।ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ବିଭିନ୍ନ ପଞ୍ଚାୟତ, ବିଦ୍ୟାଳୟ ଓ ଗ୍ରାମ ସ୍ତରରେ ସଚେତନତା ଅଭିଯାନ ଜୋରଦାର ଭାବେ ଚାଲିଛି । ଏହାର ଅଂଶସ୍ୱରୂପ ଆଜି ବେଲଗୁଣ୍ଠା ଅଞ୍ଚଳରେ ଏକ ବ୍ୟାପକ ଉଲ୍ଲାସ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା ।ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼କ୍ଟର ପ୍ରଭାତୀ ମହାପାତ୍ର ବେଲଗୁଣ୍ଠା ଗସ୍ତ କରି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ସେମାନେ ଲୋକମାନଙ୍କୁ ସାକ୍ଷରତାର ଆବଶ୍ୟକତା, ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏହାର ସାମାଜିକ ଉପକାରିତା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ବିଶେଷକରି ବୟସ୍କ ଅଶିକ୍ଷିତ ବ୍ୟକ୍ତିମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉତ୍ସାହିତ କରାଯାଇଥିଲା ।ସଚେତନତା ଅଭିଯାନ ସମୟରେ ଅଭିଭାବକ, ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସାଧାରଣ ଜନସାଧାରଣ ଏହି ପ୍ରୟାସକୁ ସ୍ୱାଗତ କରିଥିଲେ । ସେମାନଙ୍କ ମତାନୁସାରେ, ଏପରି ଘରକୁ ଘର ବୁଲି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ମନରେ ସାକ୍ଷରତା ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଅଧିକ ସଂଖ୍ୟକ ଲୋକ ଏହି ଯୋଜନାରେ ସାମିଲ ହେବେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମସ୍ତ CRCC, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସେମାନେ ମଧ୍ୟ ଗ୍ରାମବାସୀଙ୍କୁ ସାକ୍ଷରତାର ଉପକାରିତା ସମ୍ପର୍କରେ ବୁଝାଇବା ସହ ଏହି ଅଭିଯାନକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।ପ୍ରକାଶ ଥାଉ କି, ଚଳିତ ବର୍ଷ ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨ ଲକ୍ଷ ୮୦ ହଜାର ପ୍ରଶିକ୍ଷାର୍ଥୀଙ୍କୁ “ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ”ରେ ସାମିଲ କରାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲାର ସମସ୍ତ ବ୍ଲକ୍ରେ ପର୍ଯ୍ୟାୟକ୍ରମେ ସଚେତନତା ଓ ନାମଲେଖା କାର୍ଯ୍ୟକ୍ରମ ଚାଲିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ପ୍ରକାଶ କରିଛନ୍ତି l







