ହେଡଲାଇନସ୍:

ଜିଲ୍ଲାସ୍ତରୀୟ “ମେଧାବୀ ମୟୂରଭଞ୍ଜ” ସମ୍ବର୍ଦ୍ଧନା ସମାରୋହ -୨୦୨୬

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ ଓ ତତସହିତ ଅଧିକ ସଂଖ୍ୟାରେ A1 ଗ୍ରେଡରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରିବାରେ ଲକ୍ଷ୍ୟ ନେଇ ୨୦୨୪-୨୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଛି ବର୍ତ୍ତମାନର ଲୋକପ୍ରିୟ ଜିଲ୍ଲାପାଳଙ୍କ ମାନସପ୍ରସୂ କାର୍ଯ୍ୟକ୍ରମ “ମେଧାବୀ ମୟୂରଭଞ୍ଜ” । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀଙ୍କ ନିୟମିତ ତଦାରଖ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସମୟ ଉପଯୋଗୀ ଉତ୍ସର୍ଗୀକୃତ ଶିକ୍ଷାଦାନ ଆଜି ଆମ ଜିଲ୍ଲାକୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ଅଭୂତପୂର୍ବ ସଫଳତା ଆଣି ଦେଇଛି। ୨୦୨୪ ମସିହାରେ ଆମ ଜିଲ୍ଲାରେ ୪୦ଜଣ A1 ଗ୍ରେଡ ପାଇଥିଲା ବେଳେ “ମେଧାବୀ ମୟୂରଭଞ୍ଜ” ଆରମ୍ଭ ହେବା ପରେ ୨୦୨୫ ମସିହାରେ ୮୦ ଜଣ ଏବଂ ଚଳିତ ବର୍ଷ ୨୦୨୬ ମସିହାରେ ୧୪୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଆମ ଜିଲ୍ଲାର ମୋଟ ୬୨୦ଟି ଉଚ୍ଚ ବିଦ୍ୟାଳୟରୁ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୦୯୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ୩୦୨୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ଆମ ଜିଲ୍ଲାର ସଫଳତାର ହାର ଶତକଡା ୯୭.୫୨ ଅଟେ। ସେଥି ମଧ୍ୟରୁ A1 ଗ୍ରେଡରେ ୧୪୬ ଜଣ, A2 ଗ୍ରେଡରେ ୬୭୫ ଜଣ, B1 ଗ୍ରେଡରେ ୧୬୩୧ ଜଣ, B2 ଗ୍ରେଡରେ ୩୬୦୯ ଜଣ, C ଗ୍ରେଡରେ ୭୦୮୩ ଜଣ, D ଗ୍ରେଡରେ ୧୦୪୮୭ ଜଣ, E ଗ୍ରେଡରେ ୬୫୮୨ ଜଣ ପାସ କରିଛନ୍ତି । ମୋଟ A1 ଗ୍ରେଡ ପାଇଥିବା ବିଦ୍ୟାଳୟ ସଂଖ୍ୟା ୪୭ ଥିଲାବେଳେ ସେଥିମଧ୍ୟରୁ ୩୯ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ହୋଇଥିବାବେଳେ ୦୮ଟି ବେସରକାରୀ ବିଦ୍ୟାଳୟ ରହିଛି । ସରକାରୀ ବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ୧୧୪ ଜଣ A1 ଗ୍ରେଡ ପାଇଥିଲାବେଳେ ବେସରକାରୀ ବିଦ୍ୟାଳୟରୁ ମୋଟ ୩୨ ଜଣ A1 ଗ୍ରେଡ ପାଇଛନ୍ତି । ଏହିପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ହାରାହାରି ପାସ ହାର ଆଧାରରେ ଏକ ମାନନିର୍ଦ୍ଧାରଣ କରାଯାଇ ୩ଟି ଉଚ୍ଚ ବିଦ୍ୟାଳୟ ଯଥା-ଚକାଡୋଳା ବିଦ୍ୟାପୀଠ, ମାଣିକପୁର, ରାସଗୋବିନ୍ଦପୁର ବ୍ଲକ, ଶଙ୍ଖାଭଙ୍ଗା ଉଚ୍ଚ ବିଦ୍ୟାଳୟ, ବାରିପଦା ବ୍ଲକ, ଟିକରପଡା ଉଚ୍ଚ ବିଦ୍ୟାଳୟ, ଶାମାଖୁଣ୍ଟା ବ୍ଲକକୁ ସର୍ବୋତକୃଷ୍ଟ ବିଦ୍ୟାଳୟ ଭାବେ ପୁରସ୍କୃତ କରାଯାଇଛି। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦା-୨ର ଛାତ୍ର ଶ୍ରୀମାନ ପାର୍ଥସାରଥି ମହାନ୍ତ ୯୮% ନମ୍ବର ରଖି ରାଜ୍ୟ ଟପର ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ସାଉଁଟିଛନ୍ତି ଯାହା ପରବର୍ତ୍ତୀ ସମୟରେ ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ। ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ସର୍ବପରି ଛାତ୍ରଛାତ୍ରୀମାନଙ୍କର ପ୍ରଚେଷ୍ଟା ଓ ବଳିଷ୍ଠ ଉଦ୍ୟମ ଜିଲ୍ଲାକୁ ସଫଳତା ଶୀର୍ଷରେ ପହଞ୍ଚାଇ ପାରିଛି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ତରଫରୁ ଶହୀଦ୍ ସ୍ମୃତି ଭବନ ବାରିପଦାଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ “ମେଧାବୀ ମୟୂରଭଞ୍ଜ” ନାମରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ସମସ୍ତ A1 ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପଦକ, ମାନପତ୍ର, ପୁସ୍ତକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ, ଅଧ୍ୟୟନରତ ସମସ୍ତ ବିଦ୍ୟାଳୟର ଶିକ୍ଷକ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମାରୋହଟି ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ମନ୍ତ୍ରୀ ପରିବେଶ ଓ ଜଙ୍ଗଲ ବିଭାଗ ଓଡିଶା ସରକାର, ବରେଣ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନବ ଚରଣ ମାଝି, ମାନ୍ୟବର ଲୋକସଭା ସାଂସଦ, ମୟୂରଭଞ୍ଜ, ତଥା ଶ୍ରୀମତୀ ଭାରତୀ ହାଁସଦା, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୟୂରଭଞ୍ଜ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଉଦଳା, ଶ୍ରୀଯୁକ୍ତ ଜଲେନ ନାଏକ, ମାନ୍ୟବର ବିଧାୟକ ରାଇରଙ୍ଗପୁର, ଶ୍ରୀଯୁକ୍ତ ଭାଦବ ହାଁସଦା, ମାନ୍ୟବର ବିଧାୟକ ସାରସକଣା, ଶ୍ରୀଯୁକ୍ତ ଦୀପକ ଗୋଛାୟତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସ।ହିତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ମହୋଦୟ କାର୍ଯ୍ୟକ୍ରମର ଆଭିମୁଖ୍ଯ ପ୍ରଦାନ କରିବା ସହିତ, ୨୦୨୬-୨୭ ଶିକ୍ଷା ବର୍ଷରେ କିପରି ଶିକ୍ଷାର ମାନ ଆହୁରି ବୃଦ୍ଧି ହେବ ସେଥିପାଇଁ ସମସ୍ତ ଶିକ୍ଷା ବିଭାଗର ଅଧିକାରୀ ମାନେ ବିଦ୍ୟାଳୟ ପରିଦର୍ଶନ ସମୟରେ କ୍ଲାସ ନେବେ ବୋଲି ନିଜର ମତ ରଖିଥିଲେ । ସମସ୍ତ ଅତିଥି ବୃନ୍ଦ ସେମାନଙ୍କ ଉଦବୋଧନରେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ବଳ କାମନା କରିବା ସହିତ ଜଣେ ଜଣେ ସଂସ୍କାରୀ ଓ ସୁନାଗରିକ ହୋଇ ଜିଲ୍ଲାର ଗୌରବ ବୃଦ୍ଧି କରିବା ସହିତ ରାଜ୍ୟ ଓ ଦେଶ ଗଠନରେ ସେମାନଙ୍କର ସହଭାଗିତା କାମନା କରିଥିଲେ । ଶ୍ରୀଯୁକ୍ତ ହରେନ୍ଦ୍ର କୁମାର ମହାନ୍ତ, ଶିକ୍ଷକ ନାହାସୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୋରଡା, ମଞ୍ଚ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶିଧର ସିଂ, ଶ୍ରୀଯୁକ୍ତ ଗୌତମ ପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ସପନ କୁମାର ପୃଷ୍ଟି, ନିରଞ୍ଜନ ନାୟକ, ଶୈଳବାଳା ବେହେରା, ମନୋଜ କୁମାର ଶର୍ମା ପ୍ରମୁଖ ଯୋଗଦେଇଥିଲେ ।

0
0
0
s2sdefault