ବରଗଡ଼:- ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବା ସହ ଭୋଟର ତାଲିକାର ସଠିକତାକୁ ସୁନିଶ୍ଚିତ କରି ଏକ ସ୍ୱଚ୍ଛ, ସତ୍ୟାପିତ ତଥା ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟରେ"ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍. ଆଇ.ଆର୍)” ଅଭିଯାନର ଶୁଭାରମ୍ଭ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହି ପରିପ୍ରେକ୍ଷିରେ ଚଳିତ ମେ ମାସ ୩୦ ତାରିଖ ଅର୍ଥାତ ଆସନ୍ତା କାଲିରୁ ଜୁନ ମାସ ୨୮ ତାରିଖ ପାଖାପାଖି ଏକ ମାସ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବି.ଏଲ୍.ଓ) ମାନେ ଜିଲ୍ଲାର ସମସ୍ତ ଭୋଟରମାନଙ୍କ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରି ଦୁଇଟି ଲେଖାଏଁ ପରିଗଣନା ଫର୍ମ (ଏନୁମରେସନ୍ ଫର୍ମ) ପ୍ରଦାନ କରିବା ସହ ଫର୍ମଟିକୁ ସଠିକ୍ ଭାବରେ ପୂରଣ କରିବାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିବେ । ମତଦାତାଙ୍କ ଦ୍ୱାରା ଆବଶ୍ୟକୀୟ ସୂଚନା ପୂରଣ ହୋଇଥିବା ପରିଗଣନା ଫର୍ମ(ଏନୁମରେସନ୍ ଫର୍ମ)କୁ ବିଏଲ୍ଓ ସଂଗ୍ରହ କରିବେ ଏବଂ ଏହାର ପ୍ରମାଣ ସ୍ୱରୂପ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ । ଏତଦବ୍ୟତୀତ ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ରେ ଅପଲୋଡ୍ କରିପାରିବେ ।
ସୂଚନାଯୋଗ୍ୟକି,୨୮ ଜୁନ ୨୦୨୬ ସୁଦ୍ଧା ସମସ୍ତ ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କରାଯିବା ସହ ୦୫ ଜୁଲାଇ ୨୦୨୬ ତାରିଖରେ ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ ପ୍ରକାଶ ପାଇବ । ଏହାପରେ ମତଦାତାଙ୍କ କୌଣସି ଦାବି/ଆପତ୍ତି ଥିଲେ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ସୁଦ୍ଧା ଦାଖଲ କରିପାରିବେ । ପ୍ରାପ୍ତ ହୋଇଥିବା ସମସ୍ତ ଦାବି/ଆପତ୍ତିର ସତ୍ୟାସତ୍ୟର ଯାଞ୍ଚ ତଥା ପରିଗଣନା ଫର୍ମରେ ଭୋଟର ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ ପୂର୍ବ ଏସ୍. ଆଇ.ଆର୍-୨୦୦୨ ଭୋଟର ତାଲିକାର ବିବରଣୀ/ଡ଼ାଟାବେସ୍ ସହ ମେଳ ଖାଉନଥିଲେ କିମ୍ବା ଉପଲବ୍ଧ ନଥିଲେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ / ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇ.ଆର୍.ଓ./ଏ.ଇ.ଆର୍.ଓ) ସେହି ଭୋଟରମାନଙ୍କୁ ନୋଟିସ ଜାରି କରିବେ । ନୋଟିସ ପାଇବା ପରେ, ଭୋଟରମାନେ ନିମ୍ନଲିଖିତ ଦସ୍ତାବିଜ ଗୁଡ଼ିକ ମଧ୍ୟରୁ ଯେକୌଣସିଟି ପ୍ରଯୁଜ୍ୟ ଦସ୍ତାବିଜ ଇ.ଆର୍.ଓ./ଏ.ଇ.ଆର୍.ଓ ମାନଙ୍କୁ ପ୍ରଦାନ କରି ସଂଶୋଧନ କରିପାରିବେ।
୧. ଯେ କୌଣସି କେନ୍ଦ୍ର/ରାଜ୍ୟ ସରକାର/ ପିଏସୟୁର ନିୟମିତ କର୍ମଚାରୀ/ ପେନସନଭୋଗୀଙ୍କୁ ଜାରି କରାଯାଇଥିବା ଯେକୌଣସି ପରିଚୟପତ୍ର/ ପେନସନ ଦେୟ ଆଦେଶନାମା
୨. ୦୧.୦୭.୧୯୮୭ ପୂର୍ବରୁ ସରକାର / ସ୍ଥାନୀୟ କର୍ତ୍ତୃପକ୍ଷ / ବ୍ୟାଙ୍କ / ଡାକଘର / ଏଇଆଇସି / ପିଏସୟୁ ଦ୍ବାରା ଭାରତରେ ଜାରି ହୋଇଥିବା ଯେ କୌଣସି ପରିଚୟ ପତ୍ର / ପ୍ରମାଣପତ୍ର / ଦସ୍ତାବିଜକ (ତକ୍ୟୁମେଣ୍ଟ) ।
୩. ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଜନ୍ମ ପ୍ରମାଣପତ୍ର
४. ପାସପୋର୍ଟ
୫. ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଦାନ କରାଯାଇଥିବା ମାଟ୍ରିକ୍/ ଶିକ୍ଷାଗତ ପ୍ରମାଣପତ୍ର
୬. ପ୍ରାକୃତ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର
୭. ଜଙ୍ଗଲ ଅଧିକାର ପ୍ରମାଣପତ୍ର
୮. ଓବିସି/ଏସସି/ଏସଟି କିମ୍ବା ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଯେ କୌଣସି ଜାତି ପ୍ରମାଣପତ୍ର
୯. ଜାତୀୟ ନାଗରିକ ପଞ୍ଜିକା (ଯେଉଁଠାରେ ଏହା ଅଛି)
୧୦. ରାଜ୍ୟ/ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରସ୍ତୁତ ପରିବାର ପଞ୍ଜିକା
୧୧. ସରକାରଙ୍କ ଦ୍ବାରା ଯେକୌଣସି ଜମି/ଘର ଆବଣ୍ଟନ ପ୍ରମାଣପତ୍ର
୧୨. ଆଧାର ପାଇଁ, ଆୟୋଗଙ୍କ ଚିଠି ସଂଖ୍ୟା ୨୩/୨୦୨୫-ERS/ଖଣ୍ଡ II ତାରିଖ ୦୯.୦୯.୨୦୨୫ (ପରିଶିଷ୍ଟ II) ମାଧ୍ୟମରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ ହେବ।
ଏହାପରେ, ୦୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏହି ଯାଞ୍ଚ କରିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏସ୍. ଆଇ.ଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ କିମ୍ବା ଭୋଟର ତାଲିକାରେ ନିଜର ନାମ ଯାଞ୍ଚ/ପରିବର୍ତ୍ତନ କରିବା ପାଇଁ ସମସ୍ତେ voters.eci.gov.in ୱେବସାଇଟ୍ ପରିଦର୍ଶନ କରିବା ସହ ECINET ମୋବାଇଲ ଆପର ବ୍ୟବହାର କରିପାରିବେ କିମ୍ବା ନିଜର ନିକଟସ୍ଥ ବି.ଏଲ୍.ଓଙ୍କ ସାହାଯ୍ୟ ନେଇପାରିବେ । ବରଗଡ଼ ଜିଲ୍ଲାରେ ଏସ୍. ଆଇ.ଆର୍ ସମୟରେ ବି.ଏଲ୍.ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ଭୋଟର ତଥା ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।







