ହେଡଲାଇନସ୍:

୮ ବର୍ଷ ଧରି ଅଚଳ କୋଲାବିରା ଆରଏମସି ମାର୍କେଟୟାର୍ଡ : ରୟତି ଜମି ବିବାଦରେ ଅଟକିଲା ଚାଷୀଙ୍କ ସ୍ୱପ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରକାରୀ ଅବହେଳା, ଭୁଲ ଜମି ଚିହ୍ନଟ ଓ ପ୍ରଶାସନିକ ଅଦକ୍ଷତାର ଜ୍ୱଳନ୍ତ ଉଦାହରଣ ପାଲଟିଛି କୋଲାବିରା ଆରଏମସି ମାର୍କେଟୟାର୍ଡ। ନିର୍ମାଣ କାମ ଆରମ୍ଭ ହୋଇ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଚାଷୀଙ୍କ କାମରେ ଆସିପାରିନାହିଁ। ଫଳରେ ସରକାରଙ୍କ ପ୍ରାୟ ୩୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ ପ୍ରାୟ ମୂଲ୍ୟହୀନ ହୋଇପଡ଼ିଛି।

ସୂଚନା ଅନୁଯାୟୀ, ୨୦୧୭ ମସିହାରେ କୋଲାବିରା ମୌଜାରେ ୨ ଏକର ଜମି ଆରଏମସିକୁ ମାର୍କେଟୟାର୍ଡ ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ବର୍ଷ ୩୨ ଲକ୍ଷ ୭୯ ହଜାର ଟଙ୍କା ବ୍ୟୟ ଅଟକଳରେ ଦୁଇଟି ସେଡ୍ ଓ ଚାରିଟି ଖୋଲା ପ୍ଲାଟଫର୍ମ ନିର୍ମାଣ କାମ ଆରମ୍ଭ ହୋଇଥିଲା। କାମ ପ୍ରାୟ ସମାପ୍ତ ହୋଇଥିବା ବେଳେ ଗୋଟିଏ ସେଡ୍ ୧୨ ଡେସିମିଲ ରୟତି ଜମି ଉପରେ ନିର୍ମାଣ ହୋଇଥିବା ନେଇ ଜମି ମାଲିକ ସ୍ମୃତି ରଞ୍ଜନ ରାୟ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ସମ୍ପୂର୍ଣ୍ଣ ମାର୍କେଟୟାର୍ଡ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏପର୍ଯ୍ୟନ୍ତ ଟଏଲେଟ ବ୍ଲକ ଓ ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଜମି ବିବାଦ ଯୋଗୁ ଆରମ୍ଭ ହୋଇପାରିନାହିଁ।

ଚାଷୀମାନଙ୍କ ଅଭିଯୋଗ ଯେ, ଜମି ଚିହ୍ନଟ ସମୟରେ ରାଜସ୍ୱ ବିଭାଗ, ପୂର୍ତ୍ତ ବିଭାଗ ଓ ଆରଏମସି କର୍ମଚାରୀ ଉପସ୍ଥିତ ଥିଲେ ମଧ୍ୟ ଏପରି ଭୁଲ କିପରି ହେଲା, ତାହାର ତଦନ୍ତ ହୋଇନାହିଁ। ଦୋଷୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇନଥିବାରୁ ଚାଷୀ ମହଳରେ ଅସନ୍ତୋଷ ବଢ଼ିଛି।

ସମ୍ପ୍ରତି କୋଲାବିରା ସମବାୟ ସମିତିର ଧାନ ସଂଗ୍ରହ କେନ୍ଦ୍ର ପରିଦର୍ଶନ ସମୟରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଚାଷୀମାନେ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଚାଷୀମାନେ ବିବାଦୀୟ ୧୨ ଡେସିମିଲ ଜମିକୁ ଛାଡ଼ି ଅବଶିଷ୍ଟ ଜମିରେ ମାର୍କେଟୟାର୍ଡକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ଭୁଲ ଜମି ଚିହ୍ନଟ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏନେଇ ଆରଏମସି ସମ୍ପାଦକ କିଶୋର ନାଏକ ବିଧାୟକଙ୍କୁ ସୂଚନା ଦେଇଥିବା ବେଳେ ଜମି ମାଲିକ ସରକାରୀ ଦରରେ ଜମି ଛାଡ଼ିବାକୁ ରାଜି ନଥିବା କହିଥିଲେ। ବିଧାୟକ ଶ୍ରୀ ତ୍ରିପାଠୀ ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବା ସହ ପୁନର୍ବାର ଟେଣ୍ଡର ଆହ୍ୱାନରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

0
0
0
s2sdefault